ବିଜୁଳି ବିନା ଜୀବନ ସମ୍ଭବ? ବିନା ବିଜୁଳିରେ ଦୀର୍ଘ ବର୍ଷ ହେବ ଜୀବନ ଅତିବାହିତ କରୁଛନ୍ତି ଏହି ଉଚ୍ଚଶିକ୍ଷିତା ମହିଳା! କାରଣ…

ପୁଣେ: ବିଦ୍ୟୁତ୍‌ ବିନା ଚଳିବା ଯେ କେତେ କଷ୍ଟକର ତାହା ବର୍ତ୍ତମାନ ପରିସ୍ଥିତିରେ ଭୁବନେଶ୍ୱର, କଟକ ଓ ପୁରୀବାସୀଙ୍କଠାରୁ କିଏ ବେଶି ଜାଣେ? ବାତ୍ୟା ‘ଫନି’ ପରଠାରୁ ଓଡ଼ିଶାର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ କାଟ ହେବା ପରେ ଲୋକ ଯେ କିପରି ପାଗଳ ପ୍ରାୟ ହେଉଛନ୍ତି ତାହା କହିବା ଜରୁରୀ ନୁହେଁ। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ବି ଜଣେ ଲୋକ ଅଛନ୍ତି ଯିଏକି ଜାଣି ଜାଣି ନିଜ ଘରକୁ ବିଦ୍ୟୁତ୍‌ ନେଇନାହାନ୍ତି। ସେ ପୁଣି କୌଣସି ତଳ ଅଞ୍ଚଳ କିମ୍ବା ଗରିବ ଶ୍ରେଣୀର ନୁହଁନ୍ତି। ଆଜି ଆମେ ଯାହାଙ୍କ ବିଷୟରେ କଥା ହେଉଛେ ସେ ଜଣେ ଉଚ୍ଚ ଶିକ୍ଷିତା ଭଦ୍ର ମହିଳା। ତାଙ୍କର ପ୍ରକୃତି ପ୍ରତି ଥିବା ଅହେତକୁ ପ୍ରେମ ହେତୁ ସେ ନିଜକୁ ଜାଣି ଜାଣି ପ୍ରାଚୁର୍ଯ୍ୟଠାରୁ ଦୂରେଇ ରଖିଛନ୍ତି।

ଏହି ୭୯ ବର୍ଷୀୟା ଅବସରପ୍ରାପ୍ତ ପ୍ରଫେସର୍‌ଙ୍କ ଘର ପୁଣେଠାରେ। ତାଙ୍କ ନାମ ଡକ୍ଟର ହେମା ସନେ। ସେ ଉଦ୍ଭିଦ ବିଜ୍ଞାନରେ ଡକ୍ଟରେଟ୍‌ କରିଛନ୍ତି। ସେ ପୁଣେର ଗରଓ୍ଵାରେ କଲେଜରେ ପ୍ରଫେସର୍‌ ଥିଲେ। ସେ ପରିବେଶ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ଉପରେ ଅନେକ ପୁସ୍ତକ ରଚନା କରିଛନ୍ତି। ଏବେ ବି ସେ ନିଜକୁ ଲେଖାଲେଖିରେ ବ୍ୟସ୍ତ ରଖନ୍ତି।

(Photo: ANI)

ସେ ଏକ ନିରୋଳା ସ୍ଥାନରେ ବାଉଁଶ ଓ କାଠରେ ଘର କରିଛନ୍ତି। ତାଙ୍କ ଘର ଚାରି ପଟେ ଲଗାଇଛନ୍ତି ଭଳିକି ଭଳି ଗଛ ସବୁ। ତାଙ୍କ ଘରେ ସେ କୁକୁର, ୨ଟି ବିଲେଇ, ଗୁଣ୍ଡୁଚିମୂଷା ଓ ବହୁତ ସାରା ଚଢ଼େଇ ରଖିଛନ୍ତି। ଛଢ଼େଇମାନଙ୍କୁ ଚେଁ ଚେଁ ଶବ୍ଦରେ ଡକ୍ଟରସନେଙ୍କ ନିଦ ଭାଙ୍ଗେ। ରାତିରେ ମିଞ୍ଜି ମିଞ୍ଜି ଲ୍ୟାମ୍ପ ଆଲେକକୁ ଲିଭାଇ ଦେଇ ଶାନ୍ତିରେ ଶୋଇ ଯାଆନ୍ତି ସେ।

ତାଙ୍କୁ ଯଦି କେହି ପଚାରନ୍ତି ଆପଣ ବିନା ବିଜୁଳିରେ କିପରି ରହୁଛନ୍ତି, ସେ ଉତ୍ତର ଦିଅନ୍ତି ଆପଣ ବିଜୁଳି ସହ କିପରି ରହିପାରୁଛନ୍ତି? ତାଙ୍କ ଘରକୁ ବିକ୍ରି କରିଦେବାକୁ ବି ଅନେକ ପରାମର୍ଶ ଦେଇଛନ୍ତି। ମାତ୍ର ସେ ମନ ଦେଇନାହାନ୍ତି। ସେ ଯଦି ଘର ଛାଡ଼ି ଦିଅନ୍ତି ତେବେ ତାଙ୍କ ପୋଷା ଜୀବମାନଙ୍କର କିଏ ଦେଖାଶୁଣା କରିବ ବୋଲି ସେ ପ୍ରଶ୍ନ କରନ୍ତି। ସେ କୁହନ୍ତି କି ଏ ଘର ସେମାନଙ୍କର। ମୁଁ ସେମାନଙ୍କ ଦେଖାଶୁଣା କରିବାକୁ ଏଠାରେ ରହିଛି। ଆଜିର ପ୍ରାଚୁର୍ଯ୍ୟଭରା ଦୁନିଆରେ ଡକ୍ଟର ସନେ ପ୍ରକୃତି ପ୍ରେମୀର ଜଣେ ଜୀବନ୍ତ ଉଦାହରଣ!

ସମ୍ବନ୍ଧିତ ଖବର