ବିବନ ବିରୋଧରେ ରାଜସାକ୍ଷୀ ହେବେ ପୁଣେର ସମ୍ପର୍କୀୟ!

ସଂପର୍କରେ ଥିବା ଅଭିଯୋଗକୁ ବିବନ ପତ୍ନୀଙ୍କ ଅସ୍ବୀକାର, ସିଡିଆର, ଟ୍ରୁ କଲରରେ ବି ବିବନ ପାଲଟି ଯାଇଥିଲା ଜଳନ୍ଧର

କଟକ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ପୁଣେରେ ଆଶ୍ରୟ ଦେଇଥିବା ସମ୍ପର୍କୀୟକୁ ସିବିଆଇ ରାଜସାକ୍ଷୀ କରିବାକୁ ଯୋଜନା କରୁଛି। ବିବନ ନିଜ ଦୁଇ ପୁଅ ଓ ସ୍ତ୍ରୀ ବାଦ୍‌ ଚତୁର୍ଥ ବ୍ୟକ୍ତି ହିସାବରେ ପୁଣେର ଉକ୍ତ ସମ୍ପର୍କୀୟ ସହିତ ଯୋଗାଯୋଗରେ ଥିଲା। ତେଣୁ ସିବିଆଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ନକରି ତାଙ୍କୁ ରାଜସାକ୍ଷୀ କରିବାକୁ ଏଭଳି ଯୋଜନା କରିଥିବା କୁହାଯାଉଛି। ତେଣୁ ଏହି ଘଟଣାରେ ଆଉ ଅଧିକ ବ୍ୟକ୍ତି ଗିରଫ ହେବା ସମ୍ଭାବନା କମ୍‌ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ, ବିବନ ସମ୍ପର୍କରେ ଆଉ ଏକ ତଥ୍ୟ ମିଳିଛି। ୧୯୯୯ ପରଠାରୁ ବିବନ ବିଶ୍ବାଳ ଯେଉଁ ସିମ୍‌ କାର୍ଡ ବ୍ୟବହାର କରୁଥିଲା, ତାହା ଜଳନ୍ଧର ସ୍ବାଇଁ ନାଁରେ ଥିଲା। ପୁଲିସ ଯେତେବେଳେ ବିବନର ମୋବାଇଲ୍‌ ନମ୍ବର ସ˚ଗ୍ରହ କରି ସିଡିଆର‌୍‌(କଲ୍‌ ଡିଟେଲ୍‌ ରେକର୍ଡ) ଓ ଟ୍ରୁ କଲର ଯାଞ୍ଚ କଲା, ସେଥିରେ ଜଳନ୍ଧର ସ୍ବାଇଁ ନାମ ସାମ୍‌ନାକୁ ଆସିଲା। ଅର୍ଥାତ ବିବନର ଫୋନ୍‌ ନମ୍ବର ଦୁଇ ପୁଅ, ସ୍ତ୍ରୀ ଓ ପୁଣେରେ ରହୁଥିବା ସମ୍ପୃକ୍ତ ସମ୍ପର୍କୀୟଙ୍କ ମୋବାଇଲ୍‌ରେ ଜଳନ୍ଧର ସ୍ବାଇଁ ନାଁରେ ସେଭ୍‌ ହୋଇଥିଲା। ପୁଲିସ ଏବେ ପୁଣେରେ ସେହି ଲୋକଙ୍କୁ ରାଜସାକ୍ଷୀ କରିବାକୁ ଯାଉଛି।
ଅନ୍ୟପଟେ ବିବନକୁ ମୃତକ ସଜାଇବା ପରିବାର ଲୋକଙ୍କ ପାଇଁ କାଳ ହେଲା। ବଡ଼ ପୁଅ ରାକେଶ ବିଶ୍ବାଳ ଓରଫ ସୋନୁ ବାପାଙ୍କ ଡେଥ୍‌ ସାର୍ଟିଫିକେଟ୍‌ ପାଇଁ ଜାନୁଆରି ୧୫ ତାରିଖରେ ବାରଙ୍ଗ ଥାନାରେ ଆବେଦନ କରିଥିଲେ। ପୁଲିସ ଜାଣିଶୁଣି ଆବେଦନକୁ ଥାନାରେ ଏଣ୍ଟ୍ରି କରି ନଥିଲା। ବାରମ୍ବାର ସୋନୁ ବାରଙ୍ଗ ଥାନାକୁ ଦୌଡ଼ିଥିଲେ। ଏହି ସମୟ ଭିତରେ ପୁଲିସ ସୋନୁର ମୋବାଇଲ୍‌ ଫୋନ୍‌କୁ ଟ୍ରେସ୍‌ କରିବା ଆରମ୍ଭ କରିଥିଲା। ସେବେଠାରୁ ବିବନ ଉପରେ ତୀକ୍ଷ୍ଣ ନଜର ରଖିଥିଲା ପୁଲିସ।

ତେବେ, ବିବନର ସ୍ତ୍ରୀ ଗୀତାଞ୍ଜଳି ବିଶ୍ବାଳ କହିଛନ୍ତି ଯେ ୨୨ ବର୍ଷ ହେଲାଣି ବିବନ ଘରୁ ଯାଇଛନ୍ତି। ସେତେବେଳେ ପିଲାମାନେ ଛୋଟ ଛୋଟ ହୋଇଥିଲେ। ତା’ପରେ ଆଉ ସେ ଘରକୁ ଫେରିନାହାନ୍ତି। କୌଣସି ଯୋଗାଯୋଗ ବି ତାଙ୍କ ସହିତ ନଥିଲା। ଟଙ୍କା ପଇସା ବି ଦିଅନ୍ତି ନାହିଁ। ଦୁଃଖ କଷ୍ଟରେ ଜମିବାଡ଼ି ବିକ୍ରି କରି ସେ ନିଜେ ପିଲାଛୁଆଙ୍କୁ ପାଳିଛନ୍ତି। ବିବନ ପୁଣେରେ ରହି ଟଙ୍କା ପଠାଉଥିବା କଥା ପୁଲିସ ଯାହା କହୁଛି, ସେଥିରେ ସତ୍ୟାସତ୍ୟ ନାହିଁ। ଘରେ ଶାଶୂ ଅସୁସ୍ଥ। ଜମି ବାଡ଼ି କାମ ପାଇଁ ଆଇନଗତ ଉତ୍ତରାଧିକାରୀ ସାର୍ଟିଫିକେଟ୍‌ର ଆବଶ୍ୟକତା ରହିଛି। ଶ୍ବଶୁର ପୂର୍ଣ୍ଣାନନ୍ଦ ବିଶ୍ବାଳଙ୍କ ନାଁରେ ଲିଗାଲ୍‌ ହେଆର‌୍‌ କାଢ଼ିବାକୁ ବଡ଼ ପୁଅ ଚେଷ୍ଟା କରୁଥିଲା। ସ୍ବାମୀଙ୍କ ଡେଥ୍‌ ସାର୍ଟିଫିକେଟ୍‌ ପାଇଁ ନୁହେଁ ବୋଲି କହିଛନ୍ତି ଗୀତାଞ୍ଜଳି।

ସମ୍ବନ୍ଧିତ ଖବର