ଭୁବନେଶ୍ବର : କରୋନା ଏବେ ସମଗ୍ର ବିଶ୍ବ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ବିଦେଶ ଫେରନ୍ତା ବ୍ୟକ୍ତିମାନେ ତଥ୍ୟ ନ ଲୁଚାଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟୋଲ୍‌-ଫ୍ରି’ ନମ୍ବରରେ କଲ୍ କରି କିମ୍ବା ଇ-ମେଲ୍ ଜରିଆରେ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ରହିଛି। ଆଇନ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। କାରଣ ଯଦି ଜଣେ ବିଦେଶ ଫେରନ୍ତା ବ୍ୟକ୍ତି (କରୋନା ଆକ୍ରାନ୍ତ ହୋଇଥିଲେ) ସଂଗରୋଧରେ ନ ରହି ବାହାରେ ବୁଲି‌ବେ, ଅନ୍ୟମାନେ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହି ଆଇନ ଭାଙ୍ଗିବା ଅଭିଯୋଗରେ ବିଦେଶ ଫେରନ୍ତା ୪ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାରେ ଏକ ଦମ୍ପତି, କଟକ ଲାଲବାଗ ଥାନାରେ ଜଣେ ବ୍ୟକ୍ତି ଓ ସମ୍ବଲପୁର ଧନୁପାଲି ଥାନାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ସେମାନଙ୍କୁ ସଂଗରୋଧ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। ସେହିପରି ଟ୍ବିନ୍‌ ସିଟି ସହ ୧୪ ଜିଲ୍ଲାରେ ଲକ୍-ଡାଉନ୍ ଘୋଷଣା କରାଯାଇଛି। ଟ୍ବିନ୍‌-ସିଟିରେ ଲାଗୁ ହୋଇସାରିଥିଲେ ବି ଲୋକ ଅମାନିଆ ହୋଇ ବିନା କାରଣରେ ଘରୁ ବାହାରୁଛନ୍ତି। ଯାହା ଆଗକୁ ବିପଦ ସୃଷ୍ଟି କରିପାରେ। ଏଥିଲାଗି କ’ଣ ନିୟମ ରହିଛି, ଆସନ୍ତୁ ଜାଣିବା ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କଠାରୁ...

Advertisment

ଆଇପିସି ଦଫା-୧୮୮: ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶକୁ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।

ଆଇପିସି ଦଫା-୨୬୯ : ଜୀବନ ପ୍ରତି ବିପଦ ଥିବା ରୋଗର ଭୂତାଣୁକୁ ଜାଣିଶୁଣି ବିସ୍ତାର କରିବା ଅଭିଯୋଗରେ ଆଇନ ଅନୁଯାୟୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏହି ଦଫାରେ ଦୋଷୀ ସାବ୍ୟସ୍ତ ହେଲେ ୬ମାସ ଜେଲ୍‌ କିମ୍ବା ଜରିମାନାରେ ଦଣ୍ଡିତ କରାଯାଇ ପାରିବ। ଉଭୟ ଦଣ୍ଡରେ ବି ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି।

ଆଇପିସି ଦଫା-୨୭୦ : ଜୀବନ ପ୍ରତି ବିପଦ ଥିବା ରୋଗର ଭୂତାଣୁକୁ ଜାଣିଶୁଣି ହାନିକାରକ ଭାବେ ଏଣେତେଣେ ବୁଲି ବିସ୍ତାର କରିବା ଦଣ୍ଡନୀୟ ଅପରାଧ। ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଦୋଷୀ ସାବ୍ୟସ୍ତ ହେଲେ ଆଇନ ଅନୁଯାୟୀ, ୨ ବର୍ଷ ଜେଲ୍ କିମ୍ବା ଜରିମାନାର ବ୍ୟବସ୍ଥା ଅଛି। ଉଭୟ ଦଣ୍ଡରେ ବି ଦଣ୍ଡିତ କରାଯାଇ ପାରିବ।

ଆଇପିସି ଦଫା-୨୭୧: ଜାଣିଶୁଣି ସଂଗରୋଧ ନିୟମକୁ ଖିଲାପ କଲେ, ଏହି ଦଫାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଦୋଷୀ ସାବ୍ୟସ୍ତ ହେଲେ ୬ ମାସ ଜେଲ୍ କିମ୍ବା ଜରିମାନାରେ ଦଣ୍ଡିତ କରାଯାଇପାରିବ। ଉଭୟ ଦଣ୍ଡ‌ରେ ମଧ୍ୟ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି।

ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୫୧ରୁ ୫୭ ଭିତ‌ରେ ବିଭିନ୍ନ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।