ବିଳମ୍ବରେ କାର୍ଯ୍ୟାଳୟକୁ ଆସିବା ମହଙ୍ଗା ପଡ଼ିଲା : ୧୯ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ସଚିବ ଶାଶ୍ବତ ମିଶ୍ରଙ୍କ ବାରମ୍ବାର ତାଗିଦ ପରେ ବି କିଛି ସୁଫଳ ମିଳୁନି। ବିଭାଗୀୟ ଅଧିକାରୀମାନେ ମନ୍ତ୍ରୀ ଓ ସଚିବଙ୍କ କଥା ଶୁଣୁନାହାନ୍ତି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି। ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ପଳାଇ ଯାଉଛନ୍ତି। ଏଭଳି କାର୍ଯ୍ୟରେ ଅବହେଳା କରିଥିବା ଉଚ୍ଚଶିକ୍ଷା ବିଭାଗର ୧୯ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଧିକାରୀମାନେ ଯେଉଁ ଦିନ ବିଳମ୍ବରେ କାର୍ଯ୍ୟାଳୟକୁ ଆସିଛନ୍ତି, ସେହିଦିନଗୁଡ଼ିକୁ ତାଙ୍କର ଛୁଟି ବୋଲି ଧରାଯାଇଛି। ଫଳସ୍ବରୂପ ସେହି କର୍ମଚାରୀମାନଙ୍କ ଛୁଟି କାଟ୍ କରାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୨୨ରୁ ଅଗଷ୍ଟ ୨୦ ମଧ୍ୟରେ ବାୟୋମେଟ୍ରିକ୍‌ ଉପସ୍ଥାନକୁ ଯାଞ୍ଚ କରାଯିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ଅଧିକାରୀମାନଙ୍କ ମଧ୍ୟରେ ଅତିରିକ୍ତ ସଚିବଙ୍କଠାରୁ ଆରମ୍ଭ କରି ଯୁଗ୍ମ ସଚିବ, ଏସ୍‌ଓ, ଏଏସ୍‌ଓ ଆଦି ରହିଛନ୍ତି। ଏହି ସମୟ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଉପସଚିବ ପ୍ରାଣବନ୍ଧୁ ରାଉତ ୫ଦିନ ବିଳମ୍ବରେ କାର୍ଯ୍ୟାଳୟକୁ ଆସିଥିବା ବେଳେ ଏସ୍‌ଓ ବଂଶୀଧର ମହାନ୍ତି ୪, ଯୁଗ୍ମ ସଚିବ ରଞ୍ଜିତା‌ ରଥ ୩, ଏସ୍‌ଓ ରଞ୍ଜିତ କୁମାର ଦାଶ ୩, ଅନୁସଚିବ ମିନତି ଭୂୟାଁ ୨, ଦିବାକର ଦାଶ ୨, ଆଶୁତୋଷ ବେହେରା ୨ ଦିନ ଲେଖାଏଁ ବିଳମ୍ବରେ କାର୍ଯ୍ୟାଳୟକୁ ଆସିଛନ୍ତି। ଏମାନଙ୍କ ବ୍ୟତୀତ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି, ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ସଚିବ ଶ୍ୟାମଳୀ ମହାପାତ୍ର, ଉପସଚିବ ଖଗେଶ୍ବର ବେହେରା, ପ୍ରମୋଦ କୁମାର ରାଉତ, ଏସ୍‌ଓ ନେହା କାନୁନ୍‌ଗୋ, ଅନୁପମା ରଥ, ଅଡିଟର ଲକ୍ଷ୍ମୀକାନ୍ତ ରାୟ, ଏଏସ୍‌ଓ ସୌମ୍ୟରଞ୍ଜନ ବେହେରା, ଦେବକଲ୍ୟାଣୀ ପାଇକରାୟ, ଏସ୍‌ ନିତେଶ, ଭୁଜରାମ ସୋରେନ୍‌, ନମିତା ବାଗ୍‌ ଗୋଟିଏ ଦିନ ଲେଖାଏଁ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଛନ୍ତି। ତେଣୁ ‌ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ସମ୍ବନ୍ଧିତ ଖବର