ରାଇରଙ୍ଗପୁର/ଗୋରୁମହିଷାଣୀ: ସମସ୍ତ ଶିକ୍ଷାନୁଷ୍ଠାନକୁ ‘ଦଣ୍ଡମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ତେବେ, କେତେକ ଶିକ୍ଷାନୁଷ୍ଠାନରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଏପରିକି, ଛାତ୍ରଛାତ୍ରୀଙ୍କ ପ୍ରତି ଦଣ୍ଡବିଧାନ ସୀମା ଟପି ଯାଉଛି। ରାଇରଙ୍ଗପୁର ବ୍ଲକ୍‌ ସାନମଉଦା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ୧୯୦ ଥର ଉଠ୍‌ବସ୍‌ କରିବାପରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଏହି ଘଟଣା ଘଟିଛି ଚଳିତମାସ ୭ ତାରିଖରେ। ସୂଚନା ଅନୁସାରେ, ହୋମ୍‌ୱାର୍କ ନକରିବାରୁ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ (ପରିଚୟ ଗୋପନ ରଖାଯାଇଛି)ଙ୍କୁ ୧୯୦ ଥର ଉଠ୍‌ବସ୍‌ ହେବାଭଳି କଠିନ ଦଣ୍ଡ ଦେଇଥିଲେ। ଫଳରେ, ଘରକୁ ଫେରିବା ପରେ ଛାତ୍ରୀ ଜଣକଙ୍କ ମାଂସପେଶୀରେ ଯନ୍ତ୍ରଣା ହେବାସହ ସେ ଚାଲି ପାରି ନଥିଲେ। ପରିବାର ଲୋକେ ତାଙ୍କୁ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ରାଇରଙ୍ଗପୁର ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ଛାତ୍ରୀ ଜଣକ ଚିକିତ୍ସିତ ଅଛନ୍ତି।

ଏ ସଂପର୍କରେ ଛାତ୍ରୀଙ୍କ ବାପା ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଡ. ନିର୍ମଳା ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଛାତ୍ରୀ ଜଣକ ହୋମ୍‌ୱାର୍କ ଖାତାରେ ଗୋଟିଏ ବି ପ୍ରଶ୍ନର ଉତ୍ତର କରିନଥିଲେ। ସେଥିପାଇଁ ତାଗିଦ୍‌ କରି ଦଣ୍ଡସ୍ୱରୂପ ଉଠବସ୍‌ କରାଇଥିବା ସ୍ବୀକାର କରିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା ସେ କହିଛନ୍ତି। ଛାତ୍ରୀଙ୍କ ଅଭିଭାବକ ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସହିତ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।