ବଦଳିଗୁଡାରେ ବଦଳିଲାନି ସାମାଜିକ ନିୟମ : ଜାତିରେ ମିଶାଇବାକୁ ଦୁଇ ଭଉଣୀକୁ ମୁଣ୍ଡନ କଲେ ଗ୍ରାମବାସୀ

ଜୟପୁର : ବଦଳିଗୁଡାରେ ବଦଳିଲାନି ନିୟମ। ଏହି ସାମାଜିକ ନିୟମ ହେତୁ ନାହିଁ ନ ଥିବା ହଇରାଣର ଶିକାର ହୋଇଛନ୍ତି ଗୋଟିଏ ପରିବାରର ଦୁଇ ଭଉଣୀ। ସ୍ଥିତି ଏପରି ହୋଇଛି ଯେ ସାମାଜିକ ନିୟମ ପାଇଁ ଦୁଇ ଭଉଣୀଙ୍କୁ ନଣ୍ଡା ହେବାକୁ ପଡିଛି। ନାରୀ ହୋଇଥିବାରୁ ନଣ୍ଡା ହୋଇ ଗାଁରେ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି ଦୁଇ ଯୁବତୀ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ଅନ୍ତର୍ଗତ ବଦଳିଗୁଡା ଗାଁରେ।

ମିଳିଥିବା ସୂଚନା ମୁତାବକ ବଦଳିଗୁଡାର ଗତ ମେ ୭ତାରିଖରେ ସୁମତି ଓ ଶାନ୍ତିଙ୍କ ବାପା ଅର୍ଜୁନ ମାଳୀଙ୍କ ମୃତ୍ୟୁ ହୋଇଥିଲା। ବାପାର ମୃତ୍ୟୁ ପରେ ସଂସ୍କାର କାର୍ଯ୍ୟ ପାଳନ ପାଇଁ ପୁଅ ନଥିବାରୁ ଝିଅମାନେ କାର୍ଯ୍ୟ କରିବେ ବୋଲି ନିୟମ ରହିଛି। ହେଲେ ଝିଅମାନେ ଅନ୍ୟ ଜାତି ଅର୍ଥାତ୍ ଗାଦବା ସମାଜ (ହରିଜନ)ର ଭୋଜିଭାତ ଖାଇଥିବା ଅଭିଯୋଗ ହୋଇଥିଲା। ସମିତି ପକ୍ଷରୁ ପ୍ରଥମେ ଝିଅଙ୍କୁ ନିଜ ଜାତିକୁ ଫେରାଇ ଆଣିବାକୁ ଗାଁ ସମିତି ବୌଠକ ନିଷ୍ପତ୍ତି ହୋଇଥିଲା। ଏହି ଅନୁସାରେ ଝିଅଙ୍କୁ ଲଣ୍ତା କରାଯାଇ ବାପାଙ୍କ ମୃତ୍ୟୁର ରିତି ନୀତି ଅନୁସାରେ ଦଶାହ କାର୍ଯ୍ୟ ସ˚ପନ୍ନ ହୋଇଥିଲା। ଏହାକୁ ନେଇ ଜାତିରେ ବିବାଦ ମୁଣ୍ଡ ଟେକିବା ପରେ ପୁଲିସ ପାଖକୁ କଥାଯାଇଥିଲା। ଏନେଇ ଚର୍ଚ୍ଚା ହେବାରୁ ଘୋର ବିରୋଧ କରିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ମାଳି ସମାଜ ବିକାଶ ପରିଷଦ। ସମାଜ ପକ୍ଷରୁ ଏପରି ଘୃଣ୍ୟ କାର୍ଯ୍ୟକୁ ବିରୋଧ କରିବା ସହ ଲିଖିତ ଭାବେ ଜିଲ୍ଲା ଏସପି ଓ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ଏନେଇ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ଏହାକୁ ନିନ୍ଦା କରିବା ସହ ଘଟଣାର ତଦନ୍ତ କରାଯିବା ସହ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର