ଦିବ୍ୟାଙ୍ଗକୁ ହତ୍ୟା ମାମଲାରେ ବିଚାରାଧୀନ କଏଦୀକୁ ଆଜୀବନ ସଶ୍ରମ କାରାଦଣ୍ଡ ଦଣ୍ଡିତ

ନବରଙ୍ଗପୁର: ଜଣେ ଦିବ୍ୟାଙ୍ଗଙ୍କୁ ହତ୍ୟା କରିବା ମାମଲାରେ ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍‌ ଅଶୋକ କୁମାର ପଣ୍ଡା ଆଜି ଜଣେ ବିଚାରାଧୀନ କଏଦୀକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ୨୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ବିଚାରଣା କରି ହତ୍ୟା ମାମଲାରେ ଅଭିଯୁକ୍ତ ଭଗତ କୁମ୍ଭାରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଏହି ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଚ୍ଚି ନନ୍ଦନ ସ୍ୱାଇଁ ପରିଚାଳନା କରିଥିଲେ।

ସୂଚନା ଅନୁସାରେ କୋଡିଗାଁ ଥାନା ଅନ୍ତର୍ଗତ ରତାଖଣ୍ଡିଗୁଡା ଗାଁରେ ଦିବ୍ୟାଙ୍ଗ ଲଛମନ କୁମ୍ଭାର (୫୫) ଓ ତାଙ୍କ ସମ୍ପର୍କୀୟ ପୁତୁରା ଭଗତ କୁମ୍ଭାରଙ୍କ ମଧ୍ୟରେ ଜମିଜମାକୁ କେନ୍ଦ୍ର କରି ବିବାଦ ଲାଗିରହିଥିଲା। ଗତ ୧୯-୭-୧୯୯୭ରେ ଲଛମନ କୁମ୍ଭାର ନିଜ ଟ୍ରାଇସାଇକେଲରେ ସଂଧ୍ୟା ସମୟରେ ଘର ଅଗଣାରେ ବସିଥିବା ସମୟରେ ପୁତୁରା ଭଗତ ଠେଙ୍ଗାରେ ଲଛମନଙ୍କ ମୁଣ୍ଡ ଉପରକୁ ଆକ୍ରମଣ କରିଥିଲା। ଅତ୍ୟଧିକ ରକ୍ତସ୍ରାବ ହୋଇ ଦିବ୍ୟାଙ୍ଗ ଲଛମନଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ଘଟଣା ସଂକ୍ରାନ୍ତରେ ୧୯୯୭ ଜୁଲାଇ ୨୦ରେ ମୃତକ ଲଛମନଙ୍କ ପୁଅ ରାଜେନ୍ଦ୍ର କୁମ୍ଭାର କୋଡିଗାଁ ଥାନାରେ ଏତଲା ଦେଇଥିଲେ। କୋଡିଗାଁ ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଭଗତ କୁମ୍ଭାରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫ ଠାରୁ ଭଗତ ଜେଲରେ ବିଚାରାଧିନ କଏଦୀ ଭାବେ ରହିଥିଲା। ଏହି ମାମଲା ନବରଙ୍ଗପୁର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ମାମଲା ବିଚାରଧିନ ଥିଲା।

ସମ୍ବନ୍ଧିତ ଖବର