ସମ୍ବଲପୁର : ତ୍ରୁଟିପୂର୍ଣ୍ଣ ତଥ୍ୟ ଦେବ‌ା ଓ ସେବା ପ୍ରଦାନରେ ଅବହେଳା କାରଣରୁ ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ଓ ସମାଧାନ ଆୟୋଗ ପଞ୍ଜାବ ‌ନ୍ୟାସନାଲ୍ ବ୍ୟାଙ୍କକୁ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

Advertisment

ସମ୍ବଲପୁର ଜିଲ୍ଲା ପରମାଣପୁର ନିବାସୀ ବଳରାମ ମିଶ୍ର ୨୦୧୬ ମସିହାରେ ଏକ ଜରୁରୀ ଆର୍ଥିକ ଆବଶ୍ୟକତା ପାଇଁ ବିଭିନ୍ନ ବ୍ୟାଙ୍କ୍‌କୁ ଯାଇ ଋଣ ଆବେଦନ କରିଥିଲେ। କିନ୍ତୁ, ତାଙ୍କ ନାମରେ ୧,୮୧,୮୩୯ ଟଙ୍କାର ବକେୟା ଥିବା ଦର୍ଶାଇ ବିଭିନ୍ନ ବ୍ୟାଙ୍କ ଋଣ ଦେବାକୁ ମନା କରିଦେଇଥିଲେ। ତାଙ୍କର ସେଭଳି କିଛି ବକେୟା ନଥିବାବେଳେ ଏଭଳି ତଥ୍ୟ କେମିତି ଦର୍ଶାଉଛି ଜାଣିବା ପାଇଁ ସେ କ୍ରେଡିଟ୍ ଇନ୍‌ଫରମେସନ୍ ବ୍ୟୁରୋ (ଇଣ୍ଡିଆ) ଲିମିଟେଡ୍‌ (ସିବିଲ୍‌)କୁ ଚିଠି ଲେଖି ଅଭିଯୋଗ କରିଥିଲେ। ସିବିଲ୍ ପକ୍ଷରୁ ଏକ ପତ୍ର ଜରିଆରେ ସୂଚନା ଦିଆଗଲା ଯେ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ପାରାଦୀପ ଶାଖା ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ କର୍ପୋରେଟ୍ କାର୍ଯ୍ୟାଳୟ ପକ୍ଷରୁ ଅନ୍ୟ ଜଣେ ବ୍ୟକ୍ତି ଋଣ ଆକାଉଣ୍ଟ ସଂପର୍କିତ ତଥ୍ୟ ଶ୍ରୀ ମିଶ୍ରଙ୍କ ନାମରେ ପ୍ରଦାନ କରାଯାଇଥିଲା। ଯାହାଫଳରେ, ତାଙ୍କ ନାମରେ ଋଣ ବକେୟା ଥିବା ଦର୍ଶାଉଛି। ଏଥିରେ ଆବଶ୍ୟକ ସଂଶୋଧନ କରାଯିବ ବୋଲି ସିବିଲ୍ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା।

ଅଭିଯୋଗକାରୀ ଅନେକ ଦିନ ଅପେକ୍ଷା କରିବା ପରେ ବି ସେଥିରେ ସଂଶୋଧନ ହୋଇ ନଥିଲା।

ଏହି ଘଟଣାରେ ଶ୍ରୀ ମିଶ୍ର ୨୦୧୯ରେ ପିଏନ୍‌ବି ପାରାଦୀପ, ପିଏନ୍‌ବି କର୍ପୋରେଟ୍ କାର୍ଯ୍ୟାଳୟ ଓ ସିବିଲ୍‌କୁ ପକ୍ଷଭୁକ୍ତ କରି ଖାଉଟି ଆୟୋଗରେ ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର କରି ସମ୍ବଲପୁର ଖାଉଟି ଆୟୋଗର ସଭାପତି ଡ. ରମାକାନ୍ତ ଶତପଥୀ ଏବଂ ସଦସ୍ୟ ସଦାନନ୍ଦ ତ୍ରିପାଠୀ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୋଗକାରୀ ଶ୍ରୀ ମିଶ୍ରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଏହା ଉପରେ ୪% ସୁଧ, ୧୦ ହଜାର ଟଙ୍କା ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଷତିପୂରଣ ନଦେଲେ ୯% ହାରରେ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।