ପ୍ରାର୍ଥନା ସଭାରେ ଛାତ୍ର ଆଣ୍ଠେଇବାକୁ ନେଇ ମାମଲା : ମାନସିକ ଆଘାତ ଦିଆଯାଇଥିବା ଅଭିଭାବକଙ୍କ ଅଭିଯୋଗ

ବାରିପଦା : ପ୍ରାର୍ଥନା ସଭାରେ ଜଣେ ଛାତ୍ର ଆଣ୍ଠେଇବାକୁ ନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ପୁଅକୁ ମାନସିକ ଭାବେ ଆଘାତ ଦିଆଯାଇଥିବା ସମ୍ପୃକ୍ତ ଛାତ୍ରଙ୍କ ମା’ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଏହି ପଦକ୍ଷେପ ଗ୍ରହଣ କରିଛି। ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର(ଏମ୍‌କେସି) ଉଚ୍ଚବିଦ୍ୟାଳୟରେ ଏହି ଘଟଣା ଘଟିଛି।

ଅଭିଯୋଗ ଅନୁସାରେ, ବିଦ୍ୟାଳୟର ପ୍ରାର୍ଥନା ସଭାରେ ଆଜି କିଛି ଛାତ୍ରଙ୍କୁ ଦଣ୍ଡସ୍ବରୂପ ଆଣ୍ଠେଇବାକୁ ପଡ଼ିଥିଲା। ମାତ୍ର, ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ର(ଦୀପକ-ଛଦ୍ମନାମ)ଙ୍କ ମା’ ତଥା ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ସଦସ୍ୟା ଅଭିଯୋଗ କରିଥିଲେ, ପ୍ରଧାନଶିକ୍ଷୟିତ୍ରୀ ତାଙ୍କ ପୁଅକୁ ଉଦ୍ଦେଶ୍ୟମୂଳକ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ଆଣ୍ଠେଇବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପୁଅର ଚୁଟିକୁ ନେଇ କଟୁ ମନ୍ତବ୍ୟ ଦେଇଥିଲେ। ଫଳରେ ତାଙ୍କ ପୁଅକୁ ମାନସିକଭାବେ ଆଘାତ ଦେଇଛି। ସେ ଏ ସମ୍ପର୍କରେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ଜେନା ଓ ଶିକ୍ଷକ ଗୋବିନ୍ଦ ରାଉତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଟାଉନ୍‌ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।

ଅପରପକ୍ଷେ, ଏହି ଅଭିଯୋଗକୁ ପ୍ରଧାନଶିକ୍ଷୟିତ୍ରୀ ଅସ୍ବୀକାର କରିଛନ୍ତି। ସମ୍ପୃକ୍ତ ଛାତ୍ରଙ୍କ ପିତାମାତା କୌଶଳକ୍ରମେ ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି)ରେ ସଦସ୍ୟ ଭାବେ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ଏ ବିଷୟରେ ଜଣାପଡ଼ିଲା ପରେ ସ୍ବାମୀଙ୍କୁ ଏସ୍‌ଏମ୍‌ସିରୁ ବାହାର କରାଯାଇଥିଲା। ଯାହାର ପ୍ରତିଶୋଧ ନେବାକୁ ଭିନ୍ନଭିନ୍ନ ସମୟରେ ଏହିଭଳି ଅଭିଯୋଗ ଆଣୁଥିବା କହିଛନ୍ତି। ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ବ୍ୟକ୍ତିଗତ ଭା‌ବେ ଘଟଣାର ତଦନ୍ତ କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର