କଟକ: ଫେସବୁକ୍ ମାଧ୍ୟମରେ ସଂପର୍କ ଯୋଡି ମୁମ୍ବାଇରେ କଟକ ଜିଲ୍ଲାର ଜଣେ ୧୪ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି କଟକ ଆଡ୍-ହକ୍ ଅତିରିକ୍ତ ଦୌରା ଜଜ୍ ତଥା ଫାଷ୍ଟ ଟ୍ରାକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ପ୍ରଶାନ୍ତ କୁମାର ଦାସ ମାମଲାର ଅଭିଯୁକ୍ତ ଗୁଡୁ ନିଶାଦକୁ ୨୦ ବର୍ଷ ସଶ୍ରମ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ଆଇପିସିର ଦଫା ୩୭୬ ଓ ପୋକସୋ ଆଇନର ଧାରା ୬ରେ ଗୁଡୁକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଯଦି ଦୋଷୀ ଜରିମାନା ରାଶି ପଇଠ କରିବାରେ ବିଫଳ ହୁଏ ତେବେ ତାକୁ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗ କରବାକୁ ପଡ଼ିବ। ଏଥି ସହିତ ପୀଡିତା ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ନେମାଳ ଅଞ୍ଚଳର ନାବାଳିକା ୨୦୨୧, ଡିସେମ୍ବର ୨୦ରେ ସ୍କୁଟି ଯୋଗେ ସ୍କୁଲକୁ ଯାଇ ଆଉ ଫେରି ନଥିଲା। ୨ଟା ବେଳେ ଘରକୁ ପୀଡିତା ନ ଫେରିବାରୁ ତାଙ୍କ ବାପା ପ୍ରାୟ ୪ଟା ସମୟରେ ନେମାଳ ଥାନାରେ ଏତଲା ଦେଇଥିଲେ।
ନେମାଳ ଥାନା ପୁଲିସ ଫୋନ୍ ଟ୍ରାକିଂ ମାଧ୍ୟମରେ ପୀଡିତା ମୁମ୍ବାଇର କଲ୍ୟାଣ ଷ୍ଟେସନ ପାଖ ଅଞ୍ଚଳରେ ଥିବା ଜଣା ପଡିଥିଲା। ପୁଲିସ ଏକ ଟିମ୍ ଗଠନ କରି ମୁମ୍ବାଇ ଯାଇ ପୀଡିତାଙ୍କୁ ଉଦ୍ଧାର କରିବା ସହିତ ଗୁଡୁକୁ ଗିରଫ କରିଥିଲା। ଗୁଡୁ ସହିତ ପୀଡିତା ଫେସବୁକ୍ ମାଧ୍ୟମରେ ବନ୍ଧୁ ହୋଇଥିଲେ। ଏକ ଜିନ୍ସ ପ୍ୟାଣ୍ଟ କମ୍ପାନିରେ କାମ କରୁଥିବା ଗୁଡୁ ପୀଡିତାଙ୍କ ନଗ୍ନ ଫଟୋ ଭାଇରାଲ କରିବାର ଧମକ ଦେଇ ତାଙ୍କୁ ମୁମ୍ବାଇ ଡକାଇଥିଲା। ପୀଡିତା ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କ ସହିତ ଗୁଡୁ ଜୋର ଜବରଦସ୍ତ ପ୍ରତିଦିନ ଦୁଷ୍କର୍ମ କରିଥିଲା। ନିଖୋଜ ହେବାର ପ୍ରାୟ ୭ଦିନ ପରେ ପୁଲିସ ପୀଡିତାଙ୍କୁ ଉଦ୍ଧାର କରିଥିବା ବେଳେ ସେତେବେଳକୁ ସେ ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ସାରିଥିଲେ। ଏହି ମାମଲାରେ ପୁଲିସ ଚାର୍ଜସିଟ ଦାଖଲ କରିବା ପରେ ସ୍ବତନ୍ତ୍ର ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ତରଫରୁ ୧୮ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ତରଫରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ବିଶ୍ବଜିତ ରାୟ ମାମଲା ପରିଚାଳନା କରୁଥିଲେ।