ମୃତ୍ୟୁ ପରେ ସମ୍ପର୍କୀୟଙ୍କୁ ଅର୍ଥଦଣ୍ଡ

ଘଟଗାଁ : ଡାକ୍ତରଖାନାର ଭିତ୍ତିଭୂମି ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ବଡ଼ବଡ଼ କୋଠାଘର ନିର୍ମାଣ କରାଯାଉଛି। ହେଲେ ବର୍ଷବର୍ଷ ଧରି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ହୋଇପାରୁ ନଥିବାରୁ ଦୁର୍ଘଟଣା ଜନିତ କିମ୍ବା ଅପମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟବଚ୍ଛେଦ ପାଇଁ ଅନ୍ୟତ୍ର ଶବ ନେବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଫଳରେ ମୃତକଙ୍କ ପରିଜନ ଅର୍ଥଦଣ୍ଡରେ ଦଣ୍ଡିତ ହେଉଛନ୍ତି। ଦୀର୍ଘ ୪୦ ବର୍ଷ ହେଲା ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରିବାକୁ ଦାବି ହେଉଥିବାବେଳେ ସ୍ଥାନାଭାବ ଦେଖାଇ ଏଥିପ୍ରତି ଅଣଦେଖା କରାଯିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।

Kalinga TV

ଘଟଗାଁ ବ୍ଲକ୍‌ର ଏକଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଘଟଗାଁରେ ରହିଛି ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ସେହିପରି ଏହି ଅଞ୍ଚଳ ଦେଇ ୨୦ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ପ୍ରତିଦିନ ଦୁର୍ଘଟଣାରେ ମୃତାହତ ଲୋକେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଅପମୃତ୍ୟୁ କିମ୍ବା ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଶବ ବ୍ୟବଚ୍ଛେଦ ବାଧ୍ୟତାମୂଳକ କରାଯାଇଛି। ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ନଥିବାରୁ ସମ୍ପର୍କୀୟମାନେ ମୃତଦେହ ଧରି ସମ୍ପର୍କୀୟମାନେ ୪୫ କିମି ଦୂର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୪୦ କିମି ଦୂର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନଚେତ ୩୫ କିମି ଦୂର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବ‌ଚ୍ଛେଦ ପାଇଁ ଯାଉଛନ୍ତି। ଏଥିପାଇଁ ଗାଡ଼ିଭଡ଼ା ୩ରୁ ୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ରାତିରେ ଶବ ବ୍ୟବଚ୍ଛେଦ ହେଉନଥିବାରୁ ସମ୍ପର୍କୀୟମାନେ ଡାକ୍ତରଖାନା ବାରଣ୍ଡାରେ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି।

ପୁରୁଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ଗୃହ ଥିଲା। ପରେ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ ଥିବା ନୂଆ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହେବା ପରେ ସେଠାରେ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ନାହିଁ। ସମୟ ସହ ତାଳ ଦେଇ ଘଟଗାଁ ବଜାରର କଳେବର ବଢ଼ିଛି। ଲୋକସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବଡ଼ବଡ଼ କୋଠା, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗଢ଼ି ଉଠିଛି। ହେଲେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁ ମାତ୍ର ୨ ଡିସିମିଲ ଜାଗା ନ ମିଳିବା ଅତ୍ୟନ୍ତ ପରିତାପର ବିଷୟ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌ରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରିବାକୁ ଲୋକେ ବ୍ଲକ୍‌ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଜଣାଇଛନ୍ତି। ରାସ୍ତାରୋକ କରି ପୁଲିସ ମାଡ଼ରେ ଲହୁଲୁହାଣ ହୋଇଥିବା ନଜିର ରହିଛି। ହେଲେ ଦାବି ପୂରଣ ହେଉନି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର