ପଞ୍ଜାବରେ ପହଞ୍ଚିଲା ପୁରୀ ମଠ ଭଙ୍ଗାର କମ୍ପନ : ମଙ୍ଗୁ ମଠ ଭଙ୍ଗା ପ୍ରସ୍ତାବକୁ ପଞ୍ଜାବରେ ବିରୋଧ, ନବୀନଙ୍କୁ ପତ୍ର ଲେଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭଙ୍ଗାଯାଉଥିବା ବିଭିନ୍ନ ମଠର କମ୍ପନ ସୁଦୂର ପଞ୍ଜାବରେ ଅନୁଭୂତ ହୋଇଛି । ବଡ଼ଦାଣ୍ଡ ଦୋଳଗୋବିନ୍ଦ ସାହି ନିକଟସ୍ଥ ମଙ୍ଗୁ ମଠ ଭାଙ୍ଗିବାକୁ ସରକାର ପ୍ରସ୍ତୁତ ହେଉଥିବାବେଳେ ପଞ୍ଜାବରେ ଏହାକୁ ନେଇ ପ୍ରବଳ ବିରୋଧ ପ୍ରକାଶ ପାଇଛି । ଜନମତକୁ ଦୃଷ୍ଟିରେ ରଖି ଖୋଦ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହି ମଠକୁ ନଭାଙ୍ଗିବାକୁ ଅନୁରୋଧ କରିଛନ୍ତି ।

 

ସାରା ବିଶ୍ୱ ଗୁରୁ ନାନକଙ୍କ ୫୫୦ତମ ପ୍ରକାଶପର୍ବ ପାଳନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ, ଇତିହାସ ପ୍ରସିଦ୍ଧ ତଥା ଜଗନ୍ନାଥ ସଂସ୍କୃତି ଓ ଶିଖ ଧର୍ମ ମଧ୍ୟରେ ସଂପର୍କର ପ୍ରତୀକ ମଙ୍ଗୁ ମଠକୁ ଭାଙ୍ଗିବାକୁ ଓଡ଼ିଶା ସରକାର ଭାଙ୍ଗିବାକୁ ପ୍ରସ୍ତୁତ ହେବ ବେଶ ଦୁର୍ଭାଗ୍ୟଜନକ ବୋଲି ଅମରିନ୍ଦର ନିଜ ପତ୍ରରେ ଲେଖିଛନ୍ତି ।
୧୬୧୫ ମସିହାରେ ଶିଖଧର୍ମ ପ୍ରଚାରକ ଭାଇ ଅଲମସ୍ତଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ମଙ୍ଗୁ ମଠ ଶିଖ ଧର୍ମାବଲମ୍ବୀର ଲୋକମାନଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରେ । ଏହି ମଠକୁ ୧୬୭୦ ମସିହାରେ ଗୁରୁ ତେଗବାହାଦୂର ଆସିଥିଲେ । ଶହ ଶହ ବର୍ଷଧରି ଏହି ମଠକୁ ଆସୁଥିବା ଶିଖ ପ୍ରଚାରକମାନେ ଉତ୍ତର-ଭାରତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରିଥିଲେ ।

 

ତେବେ ଏ ସଂପର୍କରେ ନିଜର ପ୍ରତିକ୍ରିୟା ରଖି ପୁରୀ ସାଂସଦ ପିନାକୀ ମିଶ୍ର ଟ୍ଵିଟ କରି ଲେଖିଛନ୍ତି ଯେ ଏହି ମଠକୁ ଭଙ୍ଗାଯିବ ନାହିଁ । କେବଳ ଏହାନିକଟରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ଭଙ୍ଗାଯିବ ।

ସମ୍ବନ୍ଧିତ ଖବର