ମନ୍ତରା ତେଲ ଓ ପାଣିରେ ରୋଗ ଭଲ କରୁଛନ୍ତି ପଞ୍ଜାବୀ ଡ଼୍ରାଇଭର ବାବା !

କୁଲାଡ଼କୁ ଚାରିଆଡୁ ହଜାର ହଜାର ଲୋକଙ୍କ ସୁଅ

ଭଞ୍ଜନଗର: ବାବାଙ୍କ ହାତରେ ରହିଛି ଅଲୌକିକ ଶକ୍ତି! ତାଙ୍କର ମନ୍ତୁରା ପାଣି ପିଇଲେ କିମ୍ବା ମନ୍ତୁରା ତେଲ ମାଲିସ୍ କଲେ ବର୍ଷ ବର୍ଷର ଅସାଧ୍ୟ ରୋଗରୁ ଉପଶମ ମିଳି ପାରୁଛି। ହଠାତ୍ ଏଭଳି ଏକ ଚମତ୍କାରୀ ବାବାଙ୍କ ଆର୍ବିଭାବ ହୋଇଥିବା ଖବର ବିଜୁଳି ବେଗରେ ପ୍ରଚାରିତ ହେବ ପରେ ଭଞ୍ଜନଗର ବ୍ଳକ ଅଧୀନ କୁଲାଡ଼ ନିକଟସ୍ଥ ହେଟାପଲ୍ଲୀ ଗ୍ରାମରେ ହଜାର ହଜାର ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା। ସତରେ ରୋଗ ଭଲ ହେଉଥିଲା ନା ନାହିଁ ଏହାର ସତ୍ୟତା ସଂର୍ପକରେ କେହି ନଜାଣି ମଧ୍ୟ ନିଜ ରୋଗ ଭଲ କରିବା ପାଇଁ ଗତ ଦୁଇ ଦିନ ଧରି ଲୋକ ମାନେ ଭିଡ଼ ଜମାଇବା ସହ ବାବାଙ୍କ ଠାରେ ନିଜ ସମସ୍ୟା ସଂର୍ପକରେ ଗୁହାରୀ ଜଣାଉଥିଲେ। ଏଥିପାଇଁ ସେ କାହା ନିକଟରୁ ଟଙ୍କା ଟିଏ ମଧ୍ୟ ନେଉନଥିବା ବେଳେ ଟଙ୍କା କିମ୍ବା ପାରିଶ୍ରମିକ ନେଲେ ତାଙ୍କ ମନ୍ତ୍ର କାର୍ଯ୍ୟ କରିବ ନାହିଁ ବୋଲି ଲୋକ ମାନଙ୍କୁ କହୁଥିବା ଲୋକ ମାନେ ପ୍ରକାଶ କରିଛନ୍ତି।

ବିଶ୍ବାସ ହେଉ ଅବା ଅନ୍ଧ ବିଶ୍ବାସ କିଛି ଲୋକ ବାବାଙ୍କୁ ଦେଖାଇ ପରେ ନିଜର ରୋଗରୁ ଭଲ ହେଉଥିବା ଅନୁଭବ କରିବା ପରେ ନିଜ ବନ୍ଧୁ ପ୍ରିୟଜନଙ୍କୁ ମଧ୍ୟ ଏସଂର୍ପକରେ ଅବଗତ କରୁଥିଲେ। ଯାହା ଫଳରେ ବାବାଙ୍କ ଚମତ୍କାର ଖବର ବିଜୁଳି ବେଗରେ ଖେଳିବାକୁ ଲାଗିଥିଲା। କୁଲାଡ଼ ଭଞ୍ଜନଗର ଆଖପାଖ ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ବାବାଙ୍କ ନିକଟରେ ଭିଡ଼ି ଜମାଇଥିଲେ। ଆଜି ସକାଳ ସମୟରେ ହେଟାପଲ୍ଲୀ ଗ୍ରାମରେ ଭିଡ ହେବା ସହ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାରେ ଶତାଧିକ ଲୋକ ଭିଡ଼ ଜମାଇଥିବା ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ବାରମ୍ବାର ଲୋକ ମାନଙ୍କୁ ସେଠାରୁ ଘଉଡାଇଥିଲେ ମଧ୍ୟ ବାବାଙ୍କ ପାଖକୁ ଆସି ଯାଉଥିଲେ। ଶେଷରେ ଉପାୟ ନପାଇ ପୁଲିସ୍ ସଂପୃକ୍ତ ବ୍ୟକ୍ତିଙ୍କୁ ଆଣି ଥାନାରେ ଅଟକ ରଖିଥିଲା।

ଥାନାରେ ସେହି ବ୍ୟକ୍ତିଙ୍କ ସଂର୍ପକରେ ପଚରା ଉଚୁରା ପରେ ସେ ପଞ୍ଚାବ ଅମୃତସର ତରୁଣତନୟ ଜିଲ୍ଲା ବାନିୟା ଗ୍ରାମର ପୁରଣ୍ ସିଂହ ବୋଲି ନିଜର ପରିଚୟ ଦେଇଥିଲେ। ସେ ନିଜ ଟ୍ରକ୍ରେ ଲୁହା ପଥର ନେଇ ରାଉରକେଲାରୁ ବିଶାଖାପାଟଣା ଯାଉଥିବା କହିଥିଲେ। ଗତ ବୁଧବାର ଦିନ କୁଲାଡ଼ ଠାରେ ତାଙ୍କ ଗାଡି ଷ୍ଟାର୍ଟିଂ ସମସ୍ୟା ଦେଖା ଦେବାରୁ ଅଟକି ଥିଲେ ଏହି ସମୟରେ ସେହି ଗ୍ରାମର ସତ୍ୟବାନ ସାସମଲଙ୍କୁ ତାଙ୍କ ସ୍ତ୍ରୀ ଧରିଥିବା ବେଳେ ସେ ବାଡି ସହାୟତରେ ରାସ୍ତା ପାର ହେଉଥିଲେ ଏହାପରେ ପୁରଣ ସିଂହ କିଛି ତେଲ ମାଗି ତାଙ୍କ ଗୋଡରେ ମାଲିସ୍ କରିବା ପରେ ସେ ବାଡିର ସହାୟତା ବିନା ଚାଲିବା ପରିଥିବା ସେ କହିଥିଲେ।

ଏହି ଖବର ପ୍ରଚାର ହେବା ପରେ ଲୋକଙ୍କ ମାନେ ସେଠାକୁ ଆସିବା ଆରମ୍ଭ ହେବା ସହ କିଛି ଲୋକ ସେମାନଙ୍କ ସମସ୍ୟା ମଧ୍ୟ ପୁରଣ ସିଂହକୁ ଜଣାଇଥିଲେ। ସେମାନଙ୍କ ସମସ୍ୟା ମଧ୍ୟ ସେ ମନ୍ତୁରା ପାଣି ଏବଂ ତେଲ ଦ୍ବାରା ଭଲ କରିଥିବା ପ୍ରକାଶ କରିଛନ୍ତି। ଏହାପରେ କିଛି ଲୋକ ତାଙ୍କୁ ନିକଟସ୍ଥ ହେଟାପଲ୍ଲୀରେ ରଖିଥିବା ବେଳେ ଲୋକଙ୍କ ଭିଡ ବଢିବାରେ ଲାଗିଥିଲା। ପୁରଣ ସିଂହଙ୍କୁ ପୁଲିସ୍ ଥାନାକୁ ଆଣିବା ପରେ ମଧ୍ୟ ବହୁ ଲୋକ ଥାନାକୁ ପଛରେ ଆସିଥିଲେ। ଖବର ଲେଖାଯିବା ସୁଧା ଅନେକ ଲୋକ ହେଟାପଲ୍ଲୀ ନିକଟରେ ତାଙ୍କୁ ଅପେକ୍ଷା କରିଥିବା ଜଣାପଡ଼ିଛି। ତେବେ ବିନା ଟଙ୍କାରେ ସ୍ବଳ୍ପ ସମୟରେ ରୋଗ ଭଲ କରିଦେଉଥିବା ବାବାଙ୍କୁ କାହିଁକି ପୁଲିସ୍ ଉଠାଇ ନେଲା ବୋଲି ଅନେକ ବ୍ୟକ୍ତି ବିଶୋଦଗାର କରିଥିଲେ।

ସମ୍ବନ୍ଧିତ ଖବର