ମା’ଙ୍କ ଶେଷକୃତ୍ୟ ପାଇଁ ପୁଞ୍ଜିଲାଲଙ୍କୁ ଜାମିନ, ପୁଲିସ ସୁରକ୍ଷାରେ ମୁଖାଗ୍ନି ଦେବାକୁ ଅନୁମତି

ପାଟଣାଗଡ଼ :ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର ଶୁକ୍ରବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ପରଲୋକ ହୋଇଛି। ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ଜାମିନରେ ଯିବାକୁ ଆବେଦନ କରିଥିଲେ। ପାଟଣାଗଡ଼ ଏଡିଜେ ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ଗୋଟିଏ ଦିନ ପାଇଁ ଜାମିନରେ ଯାଇ ପୁଲିସ ସୁରକ୍ଷାରେ ମୁଖାଗ୍ନି ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ବର୍ତ୍ତମାନ ବଲାଙ୍ଗୀର ଜେଲ୍‌ରେ ଅଛନ୍ତି। ତାଙ୍କ ମା’ ଇନ୍ଦୁମତୀ ମେହେର ଅସୁସ୍ଥ ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ସକାଳୁ ଇନ୍ଦୁମତୀଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଞ୍ଜିଲାଲ ପାଟଣାଗଡ଼ରେ ୧୫ ଦିନ ଲାଗି ଜାମିନରେ ଯିବାକୁ ଆବେଦନ କରିଥିଲେ। ତାଙ୍କ ହାଇକୋର୍ଟ ଓକିଲ ତୀର୍ଥକୁମାର ସାହୁ ଓ ପାଟଣାଗଡ଼ର ଓକିଲ ଶ୍ରୀମତ୍‌ ପାଣିଗ୍ରାହୀ ଶନିବାର ଦିନ ୨ଟା ବେଳେ ଏହି ଆବେଦନ କରିଥିଲେ। ଦ୍ବିତୀୟ ଶନିବାର ଥିବା ଯୋଗୁଁ ଏଡିଜେଙ୍କ ବାସଭବନରେ ଜାମିନ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ପାଟଣାଗଡ଼ ଏଡିଜେ କୋର୍ଟ ପୁଲିସ ସୁରକ୍ଷା ବଳୟରେ ଦିନକ ପାଇଁ ପୁଞ୍ଜିଲାଲ ତାଙ୍କର ମା’ଙ୍କ ମୁଖାଗ୍ନି ଦେବା ପାଇଁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ ବୋଲି ପୁଞ୍ଜିଲାଲଙ୍କ ଓକିଲ ଦ୍ବୟଙ୍କ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଇନ୍ଦୁମତୀଙ୍କ ଶବ ବଲାଙ୍ଗୀରସ୍ଥିତ ପୋଷ୍ଟମର୍ଟମ ୱାର୍ଡରେ ରଖାଯାଇଛି।

ବଲାଙ୍ଗୀର ଜେଲର୍‌ ସଞ୍ଜୟ ବର୍ମାଙ୍କ କହିବା ଅନୁଯାୟୀ, ପୁଞ୍ଜିଲାଲଙ୍କ ପରିବାର ଲୋକେ ଶୁକ୍ରବାର ବଲାଙ୍ଗୀର ଜେଲ୍‌କୁ ଯାଇ ପୁଞ୍ଜିଲାଲଙ୍କୁ ସାକ୍ଷାତ କରି ତାଙ୍କ ମାଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଇଥିଲେ। ଅପରପକ୍ଷରେ ଓକିଲ ଶ୍ରୀ ସାହୁଙ୍କ କହିବା ଅନୁଯାୟୀ, ପୁଞ୍ଜିଲାଲ ପାଟଣାଗଡ଼ ଜେଲ୍‌ରେ ଥିବା ସମୟରେ ୬ ଡକାୟତ ସହ ଫେରାର୍‌ ଉଦ୍ୟମ କରୁଥିବା ମାମଲାରେ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟ ଜାମିନ ଆବେଦନ ଖାରଜ କରିଥିଲେ।

ପ୍ରକାଶ ଥାଉ କି, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ୨୦୧୮ ମସିହା ଫେବ୍ରୁଆରି ୨୩ ତାରିଖ ଦିନ ହୋଇଥିଲା। ଏଥିରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ସଂପର୍କୀୟ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ। ମାସକ ପରେ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା। ତେବେ ଜେଲରେ ଥିବାବେଳେ ସେଠାରୁ ପୁଞ୍ଜିଲାଲ ପାଟଣାଗଡ଼ ଜେଲ୍‌ରେ ଥିବା ୬ ଜଣ ଡକାୟତଙ୍କ ସହି ମିଶି ଫେରାର୍‌ ଉଦ୍ୟମ କରୁଥିଲେ। ପରେ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ଜେଲ୍‌ରୁ ବଲାଙ୍ଗୀର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଜେଲ୍‌ରୁ ଫେରାର୍‌ ଉଦ୍ୟମ ମାମଲାରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନକୁ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟ ଖାରଜ କରିଥି‌ଲେ।

ସମ୍ବନ୍ଧିତ ଖବର