ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଜି ବୁର୍ଲାସ୍ଥିତ ଭିମସାରକୁ ନିଆଯାଇଥିଲା। ସ୍ପଣ୍ଡିଲାଇଟିସ୍‌ ସମସ୍ୟା ଯୋଗୁଁ ସେ ଅସୁସ୍ଥ ଥିବା ଜଣାପଡ଼ିଛି। ବଲାଙ୍ଗୀର ଜେଲର୍‌ଙ୍କଠାରୁ ପ୍ରକାଶ ଯେ ପୁଲିସ୍‌ ସୁରକ୍ଷା ସହ ଆଜି ସକାଳେ ତାଙ୍କୁ ବଲାଙ୍ଗୀର ଜେଲରୁ ବୁର୍ଲାକୁ ନେଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ତାଙ୍କୁ ସେଠାରୁ ଫେରାଇ ଅଣାଯାଇଛି। ବୁର୍ଲାରେ ସ୍ନାୟୁ ବିଭାଗରେ ତାଙ୍କର ପରୀକ୍ଷା କରାଯାଇଥିଲା। ପୁଞ୍ଜିଲାଲ ସ୍ବାସ୍ଥ୍ୟଗତ କାରଣରୁ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିବାରୁ ହାଇକୋର୍ଟ ତାଙ୍କ ସ୍ବାସ୍ଥ୍ୟ ସଂପର୍କିତ ରିପୋର୍ଟ ମାଗିଛନ୍ତି। ଏଥି ପାଇଁ ଆଜି ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।