ସେଲ୍‌ ନଂ-୮ରେ ପୁଞ୍ଜିଲାଲ : ରାତିରେ ପ୍ରାର୍ଥନା, ଦିନରେ ଉପନ୍ୟାସ

ବଲାଙ୍ଗୀର : ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରର ଠିକଣା ବଦଳିଛି। ନୂଆ ଠିକଣା ଏବେ ବଲାଙ୍ଗୀର ଜିଲ୍ଲା କାରଗାରର ସେଲ ନଂ-୮। ଶୁକ୍ରବାର ପୁଞ୍ଜିଲାଲ ବଲାଙ୍ଗୀର ଜେଲକୁ ଆସିଥିଲା। ଆସିବା ପରେ ତାକୁ ଏକ ସ୍ୱତନ୍ତ୍ର ସେଲରେ ରଖାଯାଇଥିଲା। ପରେ ପୁଞ୍ଜିଲାଲକୁ ସେଲ ନଂ-୮ରେ ରଖା ଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଦିନସାରା ପୁଞ୍ଜିଲାଲ ସେଲ ଭିତରୁ ବାହାରି ନଥିଲା। ଅନଶନ ଜାରି ରଖିଥିବା ବେଳେ ହାତ ଯୋଡ଼ି ବିଳମ୍ବିତ ରାତି ଯାଏଁ ପ୍ରାର୍ଥନା କରିଥିଲା। ସକାଳୁ ଉଠିବା ପରେ ସେଲ ଖୋଲିଥିଲା। କିଛି ସମୟ ନିତ୍ୟକର୍ମ ସାରିବା ପରେ ନୋଭେଲ ବହି ମାଗିଥିଲା। ନିଜ ସହ ରଖିଥିବା ସବୁ ବହିକୁ ପୁଞ୍ଜିଲାଲ ପଢ଼ି ଚାଲିଥିଲା। ତେବେ ଜେଲ ଭିତରେ ପୁଞ୍ଜିଲାଲ ଖାଦ୍ୟ ଗ୍ରହଣ କରି ନାହିଁ। କେବଳ ଗ୍ଲୁକୋଜ ପାଣି ପିଇଛି। ଏପଟେ ଜେଲ କର୍ତ୍ତୃପକ୍ଷ ତାର ସ୍ୱାସ୍ଥ୍ୟବସ୍ଥା ଚେକଅପ କରାଇଛନ୍ତି। ସ୍ୱାସ୍ଥ୍ୟବସ୍ଥା ଠିକଠାକ ଥିବା ଜେଲର ସଂଜୟ ବର୍ମା କହିଛନ୍ତି। ପୁଞ୍ଜିଲାଲର ଦାବି ହେଲା ପାଟଣାଗଡ଼ ଜେଲରେ ତା’ ପ୍ରତି ଅନ୍ୟାୟ କରାଯାଇଛି। ଖାଇବା ସେଠାରେ ଠିକ ଦିଆଯାଉ ନଥିଲା ଓ ତା’ର ତଦନ୍ତ କରାଯାଉ ବୋଲି ଦାବି କରୁଛି। ଏପରିକି ବିଗତ ଦିନରେ ଘଟିଥିବା ଘଟଣାରେ ସିସିଟିଭି ଯାଞ୍ଚ କରିବାକୁ ପୁଞ୍ଜିଲାଲ ଦାବି କରୁଛି। ତେବେ ଆସନ୍ତାକାଲିଠାରୁ ପୁଞ୍ଜିଲାଲ ୨୪ ଘଣ୍ଟା ସେଲ ଭିତରେ ରହିବ ବୋଲି ସୂଚନା ମିଳିଛି। ଅନଶନ କରୁଥିବାରୁ ସେଲରେ ହିଁ ସେ ସବୁ ସମୟରେ ରହିବ। ତାର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଚେକଅପ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା କାରଗାର ଭିତରେ ଥିବା ଅନ୍ୟ ଅନ୍ତେବାସୀମାନେ ପୁଞ୍ଜିଲାଲ ସହ କିଛି କଥା ହେଉ ନାହାନ୍ତି। ଏକା ହୋଇ ପୁଞ୍ଜିଲାଲ ଚୁପଚାପ ବସୁଥିବା ସୂଚନା ମିଳିଛି। ସେଲରେ ଏକାଏକା ପୁଞ୍ଜିଲାଲ ଥିବା ବେଳେ ସିସିଟିଭିରେ ତାକୁ କଡ଼ା ନଜର ରଖାଯାଇଛି। ତା’ର ପ୍ରତିଟି କାର୍ଯ୍ୟକଳାପକୁ ଜେଲ କର୍ତ୍ତୃପକ୍ଷ ନଜର ରଖିଛନ୍ତି।

କୁଖ୍ୟାତ ଧଳସାମନ୍ତ କଥା ହେଲାନି
କୁଖ୍ୟାତ ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜିଲ୍ଲା କାରାଗାରରେ ରହିଛି। ପୁଞ୍ଜିଲାଲ ସେଲ ନଂ-୮ ପାଖରେ ରହିଛି ଧଳସାମନ୍ତର ସେଲ । ଶନିବାର ଦିନବେଳା କୁଖ୍ୟାତ ଧଳସାମନ୍ତ ସହ ତାର ସାକ୍ଷାତ ହୋଇଥିଲା। କିନ୍ତୁ ଧଳସାମନ୍ତ ପୁଞ୍ଜିଲାଲକୁ ଦୂରରେ ରହିବାକୁ କହି ଆଡ଼େଇ ଚାଲି ଯାଇଥିଲା। ଅନ୍ୟ ଅନ୍ତେବାସୀମାନେ ମଧ୍ୟ ନାନା କଥା ପୁଞ୍ଜିଲାଲ ବିଷୟରେ କହୁଥିବା ଜଣାଯାଇଛି।

ସ୍ତ୍ରୀ ସହ କଥା ହେଲା ପୁଞ୍ଜିଲାଲ
ନିଜ ସ୍ତ୍ରୀ ସହ କଥା ହେବାକୁ ପୁଞ୍ଜିଲାଲ ଜେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲା। ପରେ ଜେଲ ଭିତରେ ଥିବା ଫୋନରୁ ସେ ନିଜ ସ୍ତ୍ରୀକୁ ଫୋନ କରି ବଲାଙ୍ଗୀର ଜେଲରେ ଥିବା କହିଥିଲା। ମାତ୍ର କେଇଟା ମିନିଟ ସ୍ତ୍ରୀ ସହ କଥା ହେବାକୁ ସୁଯୋଗ ଦିଆଯାଇଥିଲା। ପାଟଣାଗଡରୁ ପୁଞ୍ଜିଲାଲ ବଲାଙ୍ଗୀର ଆସିବା ପରେ ଏଠାରେ ଚୁପଚାପ ରହୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର