ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ରାୟ ପ୍ରକାଶ ପରେ ମଧ୍ୟ ଏହି ମାମଲାକୁ ନେଇ ଲୋକଙ୍କ ଉତ୍ସୁକତା କମିନାହିଁ। ଦୋଷୀ ସାବ୍ୟସ୍ତ ହୋଇଥିବା ପୁଞ୍ଜିଲାଲ୍ ମେହେର ଆଗକୁ କ’ଣ କରିବ? ଜେଲ୍ରେ ତା’ର ହାବଭାବ କିପରି? ସେ ଜାମିନ୍ ପାଇଁ ଆଗକୁ ଅପିଲ୍ କରିବ କି? ପୀଡ଼ିତ ପରିବାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ? ଏ ସବୁ ପ୍ରଶ୍ନକୁ ନେଇ ଲୋକେ ଚର୍ଚ୍ଚାରେ ମାତିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପୁଞ୍ଜିଲାଲ୍ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ବଲାଙ୍ଗୀର ଜେଲ୍ର ସେଲ୍ ନମ୍ବର-୧୧ରେ ରଖାଯାଇଛି। ସେଠାରେ ପୂର୍ବରୁ ୫୦ରୁ ଅଧିକ କଏଦୀ ସଜା କାଟୁଛନ୍ତି। ରାୟ ପ୍ରକାଶ ପରେ ମାନସିକ ଚାପରେ ପୁଞ୍ଜିଲାଲ ବୁଧବାର ରାତି ଶୋଇ ପାରିନଥିଲା। ଅନିଦ୍ରାରେ ରାତି କାଟିଥିଲା। ଏପରିକି, ଖାଇବା ମଧ୍ୟ କମ୍ କରିଥିଲା। ଗୁରୁବାର ସକାଳୁ ସେ ମାନସିକ ଚାପରେ ଥିବା ମୁହଁରୁ ଜଣାପଡ଼ୁଥିଲା। ସକାଳୁ ପୁଞ୍ଜିଲାଲର ପୁଅ ଜେଲ୍କୁ ଆସିଥିଲେ।
ବାପ-ପୁଅ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା। ଉଭୟଙ୍କ ଆଖିରେ ଲୁହ ଭରି ରହିଥିଲା। ତେବେ ପୁଞ୍ଜିଲାଲ୍ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ସଜବାଜ ହେଉଛି। ପରିବାରବର୍ଗ ଓ ଆଇନଜୀବୀମାନେ ମଧ୍ୟ ଏ ନେଇ ପ୍ରାକ୍ ସୂଚନା ଦେଇସାରିଛନ୍ତି। ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବର୍ତ୍ତମାନ ଯାଏଁ ପୁଞ୍ଜିଲାଲ୍ ଆଇନ ଲଢ଼େଇରେ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଛି। ଏଥିପାଇଁ କିଛି ଜମି ମଧ୍ୟ ବିକ୍ରି କରାଯାଇଛି। ହାଇକୋର୍ଟରେ ଜାମିନ ଆବେଦନ ସକାଶେ ଟଙ୍କା ଯୋଗାଡ଼ ଚାଲିଥିବା ଜଣେ ନିକଟତମ ସମ୍ପର୍କୀୟଙ୍କ ସୂତ୍ରରୁ ପ୍ରକାଶ। ଏଣେ ପୁଞ୍ଜିଲାଲ୍ ଜାମିନ ପାଇଁ ଆବେଦନ କଲେ ତାକୁ ପୀଡ଼ିତ ପରିବାରଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯିବ। ତେଣୁ ପୁଞ୍ଜିଲାଲ୍ର ପରବର୍ତ୍ତୀ ପଦକ୍ଷେପ ଉପରେ ପ୍ରତିପକ୍ଷ ଆଇନଜୀବୀମାନେ ନଜର ରଖିଛନ୍ତି।
‘ଆଜି ରାତି ଜେଲ୍ରେ ଶେଷ ଭୋଜନ’
ବୁଧବାର ରାୟ ଶୁଣାଣିର ପୂର୍ବ ରାତି ପୁଞ୍ଜିଲାଲ୍ ନିର୍ଦ୍ଦୋଷରେ ଖଲାସ୍ ହେବ ବୋଲି ଆଶାବାଦୀ ଥିଲା। ଜେଲ୍ରେ ସେ ସ୍ବାଭାବିକ ରାତ୍ରିଭୋଜନ କରିଥିଲା। ହେଲେ ଏକାସାଙ୍ଗରେ ଖାଉଥିବା ଅନ୍ତେବାସୀଙ୍କୁ ସେ ଏହି ମାମଲାରୁ ଖଲାସ ହୋଇଯିବ ଏବଂ ଆଜି (ମଙ୍ଗଳବାର) ଜେଲ୍ରେ ତା’ର ଶେଷ ରାତ୍ରିଭୋଜନ ବୋଲି କହିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ଏଥିରୁ ପୁଞ୍ଜିଲାଲ୍ର ମାତ୍ରାଧିକ ଆତ୍ମବିଶ୍ବାସ ଥିବା ଜଣାପଡ଼ୁଛି।