ବଦଳିବ ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଂଜିଲାଲ୍‌ର ଠିକଣା : ପାଟଣାଗଡ ସବ୍‌ଜେଲରୁ ବଲାଙ୍ଗିର ଜିଲ୍ଲା କାରାଗାରକୁ ହେବ ସ୍ଥାନାନ୍ତର

ବଲାଙ୍ଗୀର : ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଂଜିଲାଲ ମେହେରକୁ ପାଟଣାଗଡ ସବ ଜେଲରୁ ବଲାଙ୍ଗିର ଜିଲ୍ଲା କାରାଗାରକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାଟଣାଗଡ ଜେଲରୁ ପୁଂଜିଲାଲ, ୬ ଡକାୟତଙ୍କ ସହ ଖସିଯିବାକୁ ଉଦ୍ୟମ କରିଥିବା ନେଇ ଗତ ୨୪ ତାରିଖରେ ଖବର ପ୍ରସାରଣ ହୋଇଥିଲା । ଏହା ପରେ ଜେଲ କର୍ତୃପକ୍ଷ ପୁଂଜିଲାଲକୁ ସ୍ଥାନାନ୍ତର କରିବା ପାଇଁ ପାଟଣାଗଡ ଏଡିଜେ କୋର୍ଟରେ ଆବେଦନ କରିଥିଲେ ।

ଗତ ଜାନୁଆରୀ ୨୪ ତାରିଖ ଦିନ ସକାଳ ପ୍ରାୟ ୮ଟା ସମୟରେ ହଠାତ୍ ପାଟଣାଗଡ଼ ଉପକାରାଗାର ଗେଟ୍ ନିକଟରେ ହଇଚଇ ସୃଷ୍ଟି ହୋଇଗଲା । କାରଣ ୬ ଜଣ ଦୁର୍ଦ୍ଦାନ୍ତ ଡକାୟତ ଜେଲ ସୁରକ୍ଷା ବଳୟ ଭେଦ କରି ପହଁଚି ଯାଇଥିଲେ ଜେଲର ଶେଷ ଗେଟ୍ ନିକଟରେ । ଆଉ ଏହି ୬ ଜଣ ଡକାୟତଙ୍କ ସହ ଥିଲେ ପୁଂଜିଲାଲ୍ । ପାଟଣାଗଡ଼ ଥାନାରେ ମାମଲା ଥିବାରୁ ତିନି ଦିନ ତଳେ ଏହି ଡକାୟତ ଦଳ ବିଚାରାଧୀନ କଏଦୀ ଭାବେ ବଲାଙ୍ଗୀରରୁ ଆସିଥିଲେ ପାଟଣାଗଡ଼ ଜେଲ । ମାତ୍ର ତିନି ଦିନ ଭିତରେ ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମତାଇବାରେ ସକ୍ଷମ ହୋଇଥିଲା ପୁଂଜିଲାଲ୍ ।

ଏହି ଘଟଣା ପରେ ପୁଂଜିଲାଲକୁ ସ୍ଥାନାନ୍ତର କରିବା ପାଇଁ ଜେଲ କର୍ତୃପକ୍ଷ ଉଦ୍ୟମ ଆରମ୍ଭ କରି ଦେଇଥିଲେ । କାରଣ ସେମାନଙ୍କ ସନ୍ଦେହ ହେଉଥିଲା, ପୁଂଜିଲାଲ କେତେବେଳେ ଜେଲର ସୁରକ୍ଷା ବଳୟ ଭେଦ କରି ଫେରାର ହୋଇଯିବ । ପାଟଣାଗଡ ଉପ କାରାଗାର କର୍ତୃପକ୍ଷଙ୍କ ଆବେଦନକୁ ବିଚାରକୁ ନେଇଥିଲେ ସ୍ଥାନୀୟ କୋର୍ଟ । ଶୁଣାଣି ବେଳେ ବିଚାରପତି ହୃଦବୋଧ ମଧ୍ୟ କଲେ ଯେ ସେଠାରେ ପୁଂଜିଲାଲକୁ ରଖିବା ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଶେଷରେ ଜେଲରୁ ସ୍ଥାନାନ୍ତର ପାଇଁ ନିଷ୍ପତି ନେଲେ କୋର୍ଟ । ଆନୁସଙ୍ଗିକ କାଗଜପତ୍ର ଓ ଡାକ୍ତରୀମାଇନା ପରେ ଖୁବ୍ ଶୀଘ୍ର ପୁଂଜିଲାଲକୁ ବଲାଙ୍ଗିର କାରାଗାରକୁ ସ୍ଥାନାନ୍ତର କରାଯିବ । ସେ ଜିଲ୍ଲା କାରାଗାରରେ ରହିଲେ ମଧ୍ୟ ତାଙ୍କ ବିରୋଧରେ ଥିବା ପାର୍ସଲ ବୋମା ବିସ୍ଫୋରଣ ମାମଲା ପାଟଣାଗଡରେ ହିଁ ଚାଲିବ, ଏବଂ କୋର୍ଟ ତାରିଖ ଅନୁସାରେ ପୁଂଜିଲାଲ ପାଟଣାଗଡ କୋର୍ଟରେ ହାଜର ହେବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର