ପାଟଣାଗଡ଼ ଜେଲରୁ କଏଦୀଙ୍କ ଚମ୍ପଟ ଉଦ୍ୟମ

କର୍ମଚାରୀଙ୍କୁ କଏଦୀଙ୍କ ଧସ୍ତାଧସ୍ତି, ଝମେଲା ପଛରେ ପୁଞ୍ଜିଲାଲ

ପାଟଣାଗଡ଼/ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପକାରାଗାରରୁ ଗୁରୁବାର ସକାଳୁ ବିଚାରାଧୀନ କଏଦୀଙ୍କ ଫେରାର୍ ଉଦ୍ୟମ ପଣ୍ଡ ହୋଇଛି। ପରେ ମଧ୍ୟାହ୍ନରେ ଭଲ ଭାବେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗରେ କଏଦୀମାନେ ଅନଶନ କରିବା ସହ ଜେଲ କର୍ମଚାରୀଙ୍କ ସହ ଗଣ୍ଡ‌େଗାଳ କରି ଜେଲରଙ୍କୁ ପ୍ରାୟ ଘଣ୍ଟାଏ ସମୟ ଧରି ଏକ ‌ପ୍ରକୋଷ୍ଠ ବନ୍ଦ କରି ରଖିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନ୍ୟପକ୍ଷରେ ଏହି ଘଟଣା ପଛରେ ପାର୍ସଲ୍‌ ବୋମା ଘଟଣାର ଅଭିଯୁକ୍ତ ପ୍ୁଞ୍ଜିଲାଲ ମେହେରଙ୍କ ହାତ ଥିବା କୁହାଯାଉଛି। ପାର୍ସଲ ବୋମା ଘଟଣାର ମଷ୍ଟର ମାଇଣ୍ଡ ପୁଞ୍ଜିଲାଲଙ୍କ କାରନାମା ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ଆଜି (ଗୁରୁବାର) ସକାଳ ପ୍ରାୟ ୮ ଟାରେ ପାଟଣାଗଡ଼ ଉପକାରାଗାରରେ ପାଟିତୁଣ୍ଡ ହୋ ହାଲ୍ଲା ହୋଇଥିଲା। ଏହାପରେ ଜେଲର ସାଇରନ୍ ବାଜିଥିଲା। ଜଣାପଡ଼ିଲା ଯେ, ଜେଲର ୬ ଜଣ ବିଚାରାଧୀନ କଏଦୀ ସେଲ ବାହାରକୁ ଆସି ଜେଲ୍‌ର ପଛ ଗେଟ ପାଖକୁ ଚାଲି ଆସିଥିଲେ। ‌କାର୍ଯ୍ୟରତ କର୍ମଚାରୀଙ୍କୁ ନ ପଚାରି ଅଫିସ ପାଖକୁ କାହିଁକି ଆସିଛ ବୋଲି ପଚାରିବାରୁ କଏଦୀମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଏହାପରେ ସଂପୃକ୍ତ କଏଦୀ ଓ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତିର ଫାଇଦା ଉଠାଇ ସଂପୃକ୍ତ କଏଦୀମାନେ ଜେଲରୁ ଫେରାର୍ ମାରିବା ଉଦ୍ୟମ କରୁଥିଲେ। ତେବେ, କୌଣସି ପ୍ରକାରେ ଜେଲ କମର୍ଚାରୀମାନେ ‌ଏହାକୁ ପଣ୍ଡ କରି ସଂପୃକ୍ତ ୬ ଜଣ କଏଦୀ ଚୂଡାମଣି ନାଗ, ତନୁ କଠାର, ସୁଦର୍ଶନ କୁମ୍ଭାର, ମୋହନ ବାଗ, କାଳିଆ ନାଗ, ରିଙ୍କୁ ସେଠଙ୍କୁ ଅଲଗା ସେଲ୍‌ରେ ରଖାଯାଇଥିଲା। ସେମାନେ ପାଟଣାଗଡ଼ ଓ ବଲାଙ୍ଗୀର ଅଞ୍ଚଳରେ ଡକାୟତି ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ରହିଛନ୍ତି।

ଜେଲର୍‌ ଉପଜିଲ୍ଲାପାଳ ସକ୍ତ୍ୟ କ୍ରିଷ୍ଣନ କେ. ପି. ଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇଥିଲେ। ସେହିପରି ଥାନାକୁ ମଧ୍ୟ ଜେଲ୍‌ କର୍ମଚାରୀ ଓ ଜେଲର୍‌ ଫୋନ ଯୋଗେ ଜଣାଇଥିଲେ। ଏହା ପରେ ମଧ୍ୟ ବହୁ ସମୟ ଯାଏ ପୁଲିସ କର୍ମଚାରୀ ଆସିନଥିବା ଜେଲ କର୍ମଚାରୀ କହିଥିଲେ।

ତେବେ, ଏତିକିରେ କଥା ସରିନଥିଲା। ଦ୍ବିପ୍ରହର ସମୟରେ ଖାଇବା ବେଳେ ପୁଣି ଝାମେଲା ହୋଇଥିଲା। ଭଲ ଭାବେ ଖାଦ୍ୟ ଦିଆଯାଉନଥିବା ଦର୍ଶାଇ ବିଚାରାଧୀନ କଏଦୀମାନେ ଖାଇବାକୁ ମନା କରିଦେଇଥିଲେ। । ପ୍ରତିବାଦରେ ପରେ କଏଦୀମାନେ ଅନଶନରେ ବସିଥିଲେ। ପୁଞ୍ଜିଲାଲ ଏମାନଙ୍କ ନେତୃତ୍ବ ନେଇଥିବା ଜେଲ କର୍ମଚାରୀ କହିଛନ୍ତି। ଅପରାହ୍ନ ପ୍ରାୟ ୪ଟା ବେଳେ ପୁଞ୍ଜିଲାଲ ଭିତରୁ ଜେଲର୍‌ଙ୍କୁ ଉଚ୍ଚସ୍ବରରେ ଡାକି ସମାଧାନ କରିବାକୁ କହିଥିଲେ। ଜେଲର ପ୍ରଦୀପ ମହାଲିଙ୍ଗ କଏଦୀଙ୍କ ସହ ଆଲୋଚନା କରିବା ପାଇଁ ଧାରଣାସ୍ଥଳକୁ ଯାଇଥିଲେ। ସେ ସେଠାକୁ ଯିବା ମାତ୍ରେ କଏଦୀମାନେ ଜେଲରଙ୍କୁ ଘେରି ଯାଇ ଟାଣି ଟାଣି ନେଇ ସେଲ ନଂ. ୧ରେ ଭରି ଦେଇଥିଲେ। ପୁଞ୍ଜିଲାଲ ଜେଲରଙ୍କ ମୋବାଇଲ ଛଡ଼ାଇ ନେଇ ବିଭିନ୍ନ ସ୍ଥାନକୁ ଫୋନ ମଧ୍ୟ କରିଥିବା ଜଣାପଡ଼ିଛି। କର୍ମଚାରୀ ମାନଙ୍କୁ ଧମକ୍ ଚମକ୍ ଦେଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଜେଲ ଭିତରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ପାଟଣାଗଡ଼ ଏସଡିପିଓ ଶେଷଦେବ ବରିହା କେତେକ କର୍ମଚାରୀଙ୍କ ସହ ଜେଲ୍‌କୁ ପହଞ୍ଚିଥିଲେ। ପ୍ରାୟ ଘଣ୍ଟାଏ କଏଦୀମାନେ ଜେଲର୍‌ଙ୍କୁ ସେଲ ଭିତରୁ ବାହାର କରିଥିଲେ। ରିପୋର୍ଟ ଲେଖାଯିବା ‌‌ପର୍ଯ୍ୟନ୍ତ କଏଦୀମାନେ ଅନଶନ ଚଲାଇଥିବା ଜଣାଯାଇଛି। ସମ୍ବଲପୁର ସର୍କଲ ଜେଲ୍ ସୁପରିନଟେଣ୍ଡେଣ୍ଟ ଅମିୟ ପଟ୍ଟନାୟକ, ବଲାଙ୍ଗୀର ଜେଲ ସୁପରିନଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜ ଏଠାରେ ପହଞ୍ଚି ପଟଣାଗଡ଼ ଏସଡିପିଓ ଶ୍ରୀ ବରିହା ଓ ଜେଲର ମହାଲିଙ୍ଗ ସହ ଆଲୋଚନା କରୁଛନ୍ତିି। ବଲାଙ୍ଗୀରରୁ ଆସିଥିବା ଜେଲ ୱାର୍ଡରମାନେ କଏଦୀଙ୍କୁ ଅନଶନରୁ ଓହରିବାକୁ ଅନୁରୋଧ କରୁଥିବା ଜଣାଯାଇଛି। ଉପକାରାଗାରରେ ସମୁଦାୟ ୭୨ ଜଣ ରହିଛନ୍ତି। ସେଥିମଧ୍ୟରୁ ୮ ଜଣ ଖାଇଥିବା ବେଳେ ପୁଞ୍ଜିଲାଲଙ୍କୁ ମିଶାଇ ୬୪ ଜଣ ଖାଇ ନ ଥିବା ଜଣାପଡ଼ିଛି।

ଘଟଣା ଜଣାପଡ଼ିବା ପରେ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେଉଁମାନେ ଫେରାର୍‌ ହେବାକୁ ଉଦ୍ୟମ କରୁଥିଲେ, ଏହା ପଛରେ କିଏ ମାଷ୍ଟର ମାଇଣ୍ଡ ତାହା ଜଣାପଡ଼ିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ ପୁଞ୍ଜିଲାଲ ଏଠାରେ ରହିବା ପାଇଁ ଚାହୁନାହିଁ। ଏଣୁ ଏଠାରୁ ଫେରାର୍‌ ହେବାକୁ ଉଦ୍ୟମ କରୁଥିଲା ବୋଲି କୁହାଯାଉଛି। ତେବେ ଡିଜି କହିଛନ୍ତି ତଦନ୍ତ ପରେ ବାସ୍ତବ କାରଣ ଜଣାପଡ଼ିବ। ଯଦି ପୁଞ୍ଜିଲାଲ ମେହେର ଏହା ପଛରେ ଥାଏ, ଜେଲ‌େର ସୁରକ୍ଷା ବଢ଼ାଇବା ସହିତ ତାକୁ ଜେଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ଚିନ୍ତା କରାଯିବ ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର