ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ୪ ଦିନିଆ ଜାମିନରେ ଆସିଲେ ପୁଞ୍ଜିଲାଲ

ସ୍ବର୍ଗଦ୍ବାରରୁ ମା’ଙ୍କ ଅସ୍ଥି ସଂଗ୍ରହ କଲେ, ପୁଲିସ ସୁରକ୍ଷା ଲୋଡ଼ିଲେ ମୃତକଙ୍କ ବାପା

ପାଟଣାଗଡ଼ : ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମ‌େହେର ଶୁକ୍ରବାର ସକାଳ ୧୧ଟାରେ ପାଟଣାଗଡ଼ ରାମପୁରସ୍ଥିତ ତାଙ୍କ ଘରେ ପହଞ୍ଚିଛନ୍ତି। ଅପରପକ୍ଷରେ ପୁଞ୍ଜିଲାଲ ଘରେ ପହଞ୍ଚିବା ପରେ ଭୟଭୀତ ହୋଇ ପୁଲିସ ସୁରକ୍ଷା ଲୋଡ଼ିଛନ୍ତି ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମାଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ଗତ ୧୦ ତାରିଖ ଦିନ ପ୍ରାଣ ହରାଇଥିଲେ। ଏଥପାଇଁ ପୁଞ୍ଜିଲାଲଙ୍କ ଓକିଲ ପାଟଣାଗଡ଼ ଏଡିଜେ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ପୁଲିସ ସୁରକ୍ଷାରେ ମୁଖାଗ୍ନି ଦେବା ପାଇଁ ଏଡିଜେ ଅନୁମତି ଦେଇଥିଲେ। ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ଶୁଦ୍ଧିକ୍ରିୟା ପାଇଁ ତାଙ୍କ ଓକିଲଙ୍କ ଜରିଆରେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଏହି ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ୪ ଦିନ ପାଇଁ ଜାମିନରେ ଛାଡ଼ିଛନ୍ତି। ଶୁକ୍ରବାର ବଲାଙ୍ଗୀର ଜିଲ୍ଲା କାରାଗାରରୁ ବାହାରି ଏକ କାର୍‌ରେ ସକାଳ ୧୧ଟାରେ ପାଟଣାଗଡ଼ ରାମପୁରରସ୍ଥିତ ତାଙ୍କ ଘରେ ପୁଞ୍ଜିଲାଲ ପହଞ୍ଚିଥିଲେ। ଗାଡ଼ିରେ ତାଙ୍କ ଓକିଲ ମଧ୍ୟ ବସିଥିଲେ। ଘରେ ଥିଲେ ପୁଞ୍ଜିଲାଲଙ୍କ ବାପା, ପତ୍ନୀ ଓ ପରିବାରବର୍ଗ। ପରିବାରବର୍ଗଙ୍କ ସହିତ କିଛି ସମୟ ରହିବା ପରେ ଦ୍ବିପ୍ରହରରେ ସ୍ବର୍ଗଦ୍ବାରକୁ ସେ ନିଜେ ଗାଡ଼ି ଚଳାଇ ଯାଇଥିଲେ ଏବଂ ସେଠାରୁ ତାଙ୍କ ମା’ଙ୍କ ଅସ୍ଥି ସଂଗ୍ରହ କରି ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର