କଟକ : ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧୢାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ମାମଲାରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଞ୍ଜିଲାଲଙ୍କ ନିୟମିତ ଜାମିନ ଆବେଦନ ସହିତ ଅନ୍ତରୀଣ ଆବେଦନ ଉପରେ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଞ୍ଜିଲାଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମେ ୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁଞ୍ଜିଲାଲ ନିୟମିତ ଜାମିନ ଆବେଦନ ସହିତ ଏକ ଅନ୍ତରୀଣ ଆବେଦନ ମଧ୍ୟ ହାଇକୋର୍ଟରେ ଦାଖଲ କରିଛନ୍ତି। ସେ ଜେଲ୍ରେ ରହି ପିଏଚଡି କରୁଛନ୍ତି ଏବଂ ଥେସିସ ଦାଖଲ ପାଇଁ ତାଙ୍କୁ ତିନି ମାସ ଅନ୍ତରୀଣ ଜାମିନ ମଞ୍ଜୁର କରାଯାଉ ବୋଲି ଅନ୍ତରୀଣ ଜାମିନ ଆବେଦନରେ ଦର୍ଶାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ୨୦୧୯, ମାର୍ଚ୍ଚ ୨୫ ଓ ୨୦୨୨, ଜୁଲାଇ ୨୨ରେ ହାଇକୋର୍ଟରେ ପୁଞ୍ଜିଲାଲର ଜାମିନ ଆବେଦନ ଖାରଜ ହୋଇଥିଲା।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେମା’ଙ୍କର ଏବଂ ହସ୍ପିଟାଲରେ ସୌମ୍ୟଶେଖରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇ˚ରାଜୀ ଅଧୢାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା। ସରକାରଙ୍କ ତରଫରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।