ସତରେ ପୁର୍ନଜନ୍ମ ପାଇବ ପୁଣ୍ୟତୋୟା ପ୍ରାଚୀ!

ବାଲିପାଟଣା: ପ୍ରାଚୀନ କଳିଙ୍ଗର ବହୁ କୀର୍ତ୍ତିର ଗାଥା ବହନ କରିଥିବା ପୁଣ୍ୟତୋୟା ପ୍ରାଚୀ ନଦୀର ମୃତ୍ୟୁ ହୋଇଯାଇଛି। କର୍ପୂର ଉଡ଼ି ଯାଇଛି, ଜୀର୍ଣ୍ଣଶୀର୍ଣ୍ଣ କପଡ଼ା ପଡ଼ିଛି। ମହାନଦୀରୁ ଉତ୍ପତ୍ତି ଲାଭ କରିଥିବା ଏହି ପବିତ୍ର ନଦୀର ଉତ୍ପତ୍ତିସ୍ଥଳ ବିଲୁପ୍ତ ହୋଇଯାଇଥିବାରୁ ସମ୍ପ୍ରତି ଏହା ମସ୍ତକ ବିହୀନ ହୋଇପଡ଼ିଛି। ଶରୀରର କିଛି ଅଂଶ ସ୍ଥିତି ଜାହିର କରୁଥିବା ବେଳେ ସମୁଦ୍ର ମୁହାଁଣ ବି ବିଲୀନ ହେବାକୁ ବସିଲାଣି। ଦିନେ ଓଡ଼ିଆ ଜାତିର ବାଣିଜ୍ୟ, ପରିବହନ ଓ ପୂଜା ପାର୍ବଣର ମୂକସାକ୍ଷୀ ହୋଇଥିବା ଏହି ସର୍ବପ୍ରା‌ଚୀନ ପବିତ୍ର ନଦୀ କାଳର କରାଳ ସ୍ରୋତରେ ଅସ୍ତିତ୍ବ ହରାଇସାରିଛି। ଏବେ ଏହି ନଦୀକୁ ପୁଣି ଖନନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଯଦି ସତକୁ ସତ ଖନନ କାର୍ଯ୍ୟ ହୁଏ, ପ୍ରାଚୀର ପୁର୍ନଜନ୍ମ ହେବ। ଏହି ପ୍ରସଙ୍ଗ ଉତ୍‌ଥାପନ ହେବା ପରେ ପ୍ରାଚୀ ତଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ନବଉନ୍ମାଦନା। ମନରେ ସୃଷ୍ଟି ହୋଇଛି ସନ୍ଦେହ। ସତରେ କ’ଣ ପ୍ରାଚୀ ନଦୀ ପୁଣି ଚଳଚଞ୍ଚଳ ହେବ!

କିଂବଦନ୍ତି କୁହେ, ଗଙ୍ଗା ନଦୀଠାରୁ ପ୍ରାଚୀ ନଦୀ ଶହେ ବର୍ଷ ବଡ଼। ଏହି ନଦୀର ତ୍ରିବେଣୀ ଘାଟରେ ଗୁପ୍ତଗଙ୍ଗାଙ୍କ ଆବିର୍ଭାବ ହୋଇଥିଲା। ତେଣୁ ତ୍ରି‌ବେଣୀ ଘାଟ ଥିଲା ଭାରତର ସାଧୁସନ୍ଥମାନଙ୍କ ତପ ସାଧନର ସ୍ଥଳ। ଆଜି ବି ଏହି ନଦୀରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନର ବିଶ୍ବାସ ଓ ବିଧି ରହିଛି। କେବଳ ସେତିକି ନୁହେଁ, ଏହି ନଦୀ ଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ସ୍ଥାନ। ଏବେ ବି କେନ୍ଦୁବିଲ୍ବ ଭଳି ବହୁ ସ୍ଥାନରେ ଶିଆଳି ଲତା ଦେଖିବାକୁ ମିଳୁଛି। କବି ଜୟଦେବଙ୍କ ଭକ୍ତିରେ ଭଗବାନ ଶ୍ରୀକୃଷ୍ଣ ଏହି ନଦୀ ତଟସ୍ଥ ତାଙ୍କ କୁଟୀରକୁ ଆସି ନିଜ ହାତରେ କବିଙ୍କ ଅଧୁରା କବିତାକୁ ପୂରଣ କରିଥିବା ବିଶ୍ବାସ ରହିଛି। ସେହିଭଳି ପ୍ରଭୁ ଜଗନ୍ନାଥଙ୍କ ନବକଳେବର ଓ ରଥ ନିର୍ମାଣ ପାଇଁ ଏହି ନଦୀ ବକ୍ଷରେ ଦାରୁ ପରିବହନ ହେଉଥିଲା। କୋଣାର୍କ ମନ୍ଦିର ନିର୍ମାଣ ସମୟରେ ବିଶାଳ ପଥର ଖଣ୍ଡସବୁକୁ ମଧ୍ୟ ଏହି ନଦୀ ବକ୍ଷରେ ପରିବହନ କରାଯାଇଥିବା କୁହାଯାଏ। ସେହିଭଳି ଏହି ନଦୀ ତଟବର୍ତ୍ତୀ ଅଞ୍ଚଳ ଥିଲା ମହାନ ଶକ୍ତିପୀଠ। କାକଟପୁର ମା’ ମଙ୍ଗଳାଙ୍କ ପୀଠ ସମେତ ଏବେ ବି ଦ୍ବାଦଶ ଶକ୍ତିପୀଠ ରହିଛି। ହିନ୍ଦୁ ସାଧୁସନ୍ଥଙ୍କ ସହିତ ବୈଷ୍ଣବ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ମଧ୍ୟ ଏହି ପବିତ୍ର ନଦୀ ପ୍ରତି ଆକୃଷ୍ଟ ହୋଇଛନ୍ତି।

ବଡ଼ କଥା ହେଉଛି, ଏକଦା ଏହି ନଦୀ ଥିଲା ଓଡ଼ିଆ ଜାତିର ଜୀବନରେଖା। ସାଧବ ପୁଅ ମାନେ ନୌବାଣିଜ୍ୟ ପାଇଁ ଏହି ନଦୀ ଉପରେ ନିର୍ଭର କରୁଥିଲେ। ଏହି ନଦୀ ଦେଇ ବଙ୍ଗୋପସାଗର ଓ ସେଠାରୁ ଓଡ଼ିଆ ସାଧବ ପୁଅ ଯାଉଥିଲା ଜାଭା, ସୁମାତ୍ରା, ବାଲି ଦ୍ବୀପକୁ। ତେଣୁ ହଜାର ହଜାର ବର୍ଷ ଧରି ଏହି ନଦୀ ଥିଲା ଓଡ଼ିଆ ଜାତିର ଚିର ସହଚର। ମାତ୍ର କାଳର ଗତିରେ ନଦୀର ଗତିପଥ ବଦଳିଗଲା। ମହାନଦୀର ନରାଜ ମୁଣ୍ଡଳୀରୁ ବାହାରିଥିବା ପ୍ରାଚୀ ନଦୀର ମୁହଁ କୌଣସି କାରଣରୁ ବନ୍ଦ ହୋଇଗଲା। କେହି କେହି ନରାଜ ବ୍ୟାରେଜ୍‌ ଓ ପୁରୀ ମୁଖ୍ୟ କେନାଲ ନିର୍ମାଣକୁ ଦାୟୀ କରନ୍ତି। ମାତ୍ର ପ୍ରକୃତରେ କେଉଁ କାରଣ ପାଇଁ ମହାନଦୀର ଜଳଧାର ପ୍ରାଚୀକୁ ଆସିଲା ନାହିଁ, ତାହା ଆଜି ବି ଅସ୍ପଷ୍ଟ। ମୁହଁ ମରିଗଲା ପରେ ସ୍ବତଃ ନଦୀ ବକ୍ଷ ଶୁଖିଗଲା ଓ କାଳକ୍ରମେ ନଦୀ ବକ୍ଷ ଶୁଷ୍କ ଭୂମି ପଡ଼ିଆ ପାଲଟି ଗଲା। ଏମିତିକି ପବିତ୍ର ତ୍ରିବେଣୀ ଘାଟ ବି ଶୁଖିଗଲା। ଫଳରେ ବହୁ ସ୍ଥାନରେ ନଦୀ ବକ୍ଷ ଲୋକଙ୍କ ଜବରଦଖଲକୁ ଚାଲିଗଲା। ତେବେ ଆଜି ବି ବହୁ ସ୍ଥାନ‌ରେ ନଦୀର ଗଣ୍ଡ ଅଞ୍ଚଳ ସବୁ ରହିଛି। ଗୋପ, କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ନଦୀର ସ୍ଥିତି ରହିଛି। ଅସ୍ତରଙ୍ଗ କେଳୁଣି ମୁହାଁଣ ବି ରହିଛି।

ନିକଟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ନଦୀକୁ ପୁଣି ଖନନ କରିବାକୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଏକ ନଦୀର ପୁର୍ନଜନ୍ମ ସମ୍ଭବ ହେବ ଓ ଇତିହାସ କଡ଼ ଲେଉଟାଇବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର