ରାୟପୁର/ଭୁବନେଶ୍ବର: ଛତିଶଗଡ଼ ରାଜ୍ୟର ବୃହତ ଓଡ଼ିଆ ସମାଜର ସଭାପତି ଏବଂ ଭାରତୀୟ ଜନତା ପାର୍ଟିର ପାର୍ଥୀ ପୁରନ୍ଦର ମିଶ୍ର ରାୟପୁର (ଉତ୍ତର) ଆସନରୁ ବିଜୟ ଲାଭ କରିଛନ୍ତି। ଓଡ଼ିଆ ପୁଅ ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ କୂଳଦୀପ ସିଂହ ଜୁନେଜାଙ୍କୁ ୨୩ହଜାର ୫୪ ଖଣ୍ଡ ଭୋଟରେ ପରାସ୍ତ କରିଥିବା ଜଣାଯାଇଛି। ଶ୍ରୀ ମିଶ୍ର ୫୪ହଜାର ୨୭୯ ଖଣ୍ଡ  ଭୋଟ ପାଇଥିବା ବେଳେ  ଶ୍ରୀ ଜୁନେଜା ୩୧ହଜାର୨୨୫ଖଣ୍ଡ ଭୋଟ ପାଇଛନ୍ତି। ଛତିଶଗଡ଼ର ନବନିର୍ବାଚିତ ବିଧାନ ସଭାରେ ଶ୍ରୀ ମିଶ୍ର ଏକମାତ୍ର ଓଡ଼ିଆ ବିଧାୟକ ହେବେ। ପୁରନ୍ଦର ମିଶ୍ର ଏବେ ୱାଲର୍ଡ ଓଡ଼ିଆ ସୋସାଇଟିର ଛତିଶଗଡ଼ ଶାଖା ର ମୁଖ୍ୟ ପୃଷ୍ଠପୋଷକ ଆସନରେ ଅଧିଷ୍ଠିତ ଅଛନ୍ତି।  ରାୟପୁରର ଗାୟତ୍ରୀ ନଗର ଠାରେ ଶ୍ରୀ ମିଶ୍ର ଙ୍କ ଦ୍ଵାରା ପ୍ରତିଷ୍ଠିତ ଛତିଶଗଡ଼ ପ୍ରଦେଶର ସବୁଠାରୁ ବଡ଼ ଜଗନ୍ନାଥ ମନ୍ଦିର ତାଙ୍କର ନିର୍ବାଚନ ମଣ୍ଡଳୀ  ଅଧୀନରେ ଆସୁଛି।

Advertisment

ଆଜି ଅପରାହ୍ଣ ରେ ଶ୍ରୀ ମିଶ୍ର ଙ୍କର ଜିତିବା ଖବର ମିଳିବା ପରେ ଛତିଶଗଡ଼ ର  କୋଣ ଅନୁକୋଣରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ,ଶ୍ରୀ ଜଗନ୍ନାଥଙ୍କର ଭକ୍ତ ମହଲ  ଏବଂ ବିଶ୍ଵଭରି  ୱାଲର୍ଡ ଓଡ଼ିଆ ସୋସାଇଟି ର ସଦସ୍ୟ ମାନଙ୍କ ମଧ୍ୟରେ ଆନଂଦ ଓ ଉଲ୍ଲାସ ର ଲହରୀ ଖେଳିଯାଇଥିବା ଲକ୍ଷ କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀ ମିଶ୍ର ଙ୍କୁ ଗାୟତ୍ରୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ଙ୍କର ଉପସ୍ଥିତି ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇ ଥିବାର ଖବର ମିଳିଛି।ବର୍ତ୍ତମାନ ଓଡ଼ିଶା, ଦେଶର ବିଭିନ୍ନ ସ୍ଥାନ ଏବଂ ବିଦେଶରୁ ପ୍ରବାସୀ ଓଡ଼ିଆ ନେତୃବର୍ଗ ତଥା ଶ୍ରୀ ମିଶ୍ର ଙ୍କର ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କ ପକ୍ଷରୁ ତାଙ୍କ ନିକଟକୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟି ଥିବା ପ୍ରାପ୍ତ ସୂଚନା ରୁ ପ୍ରକାଶ।ଶ୍ରୀ ମିଶ୍ରଙ୍କୁ ତାଙ୍କର ବିପୁଳ ବିଜୟ ପାଇଁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ୱାଲର୍ଡ ଓଡ଼ିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏକ ବାର୍ତ୍ତାରେ  ଛତିଶଗଡ଼ର  ନୂତନ ବିଧାନସଭା ରେ ପୁରନ୍ଦର ମିଶ୍ର ଓଡ଼ିଆ ମାନଙ୍କର ପ୍ରକୃତ ପ୍ରତିନିଧି ହେବେ ଓ ସେମାନଙ୍କର ଆଶାଆକାଂକ୍ଷାକୁ ପୂରଣ କରିବାରେ ନିଶ୍ଚିତ ଭାବେ ସକ୍ଷମ ହେବେ ବୋଲି ଭରସା ପ୍ରକାଶ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନିକଟରେ ଶ୍ରୀ ମିଶ୍ର ଛତିଶଗଡ଼ରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ର ଛାମୁଆଁ ସଂଗଠନ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ସର୍ଵସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଏହି ବୃହତ ସମାଜ ଅଧୀନରେ ପ୍ରଦେଶର ୩୫ଲକ୍ଷ ଓଡ଼ିଆ ଆଦିବାସୀଙ୍କୁ ପ୍ରତିନିଧିତ୍ୱ କରୁଥିବା ୨୪ଟି ଜାତିଭିତ୍ତିକ ସମାଜ ଅନ୍ତର୍ଭୁକ୍ତ ହୋଇଛନ୍ତି।