ଏସ୍‌ସିବିରେ ବିନା ଟେଣ୍ଡରରେ ଔଷଧ କ୍ରୟ

ଭୁବନେଶ୍ବର : କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ୨୦୧୬ରୁ ୨୦୧୯ ଜାନୁଆରି ମଧ୍ୟରେ ବିନା ଟେଣ୍ଡରରେ ଔଷଧ କିଣାଯାଇଛି। ୨୦୧୫-୧୬ରେ ସୂଚୀଭୁକ୍ତ ହୋଇଥିବା ସ୍ଥାନୀୟ ଔଷଧ ଦୋକାନ ଗୁଡ଼ିକର ମୂଲ୍ୟାଙ୍କନ ଆଧାରରେ ଏସସିବିର ସୁପରିଟେ‌ଣ୍ଡେଣ୍ଟ ଔଷଧ ସଂଗ୍ରହ କରିଥିଲେ। ଫଳରେ ଅଡିଟ୍ ରିପୋର୍ଟରୁ ଏହା ଜଣାଯାଇଛି ଯେ, ହସ୍ପିଟାଲ ପକ୍ଷରୁ ୮୮.୩୮ ଲକ୍ଷ ଟଙ୍କାର ପାଞ୍ଚଟି ଔଷଧ ସଂଗ୍ରହଣ କରିବା ବେଳେ ୨୧.୫୮ ଲକ୍ଷ ଟଙ୍କା (୨୪ ପ୍ରତିଶତ)ର ଅତିରିକ୍ତ ବ୍ୟୟ କରିବାକୁ ପଡ଼ିଥିଲା। ସେହିଭଳି ୨୦୧୭-୧୮ରେ ଡିଏଚଏଚ, କେନ୍ଦୁଝରର ସିଡିଏମଓଙ୍କ ଦ୍ବାରା ବିନା ଟେଣ୍ଡରରେ ୮୭.୯୬ ଲକ୍ଷ ଟଙ୍କାର ଔଷଧ କିଣାଯାଇଥିଲା। ଏହା ଦ୍ବାରା ୪୦.୨୫ ଲକ୍ଷ ଟଙ୍କା (୪୬ ପ୍ରତିଶତ) ର ଅଧିକ ବ୍ୟୟ କରିବାକୁ ପଡ଼ିଛି। ଏହା ରାଜକୋଷ ପାଇଁ କ୍ଷତି ସାବ୍ୟସ୍ତ ହେବା ସହିତ ଯୋଗାଣକାରୀଙ୍କୁ ଅନୁଚିତ ଲାଭ ପ୍ରଦାନ କରିଥିଲା। ଏସବିସିରେ କେତେକ ଔଷଧ ମଧ୍ୟ ଆବଶ୍ୟକତା ତୁଳନାରେ ଅଧିକ ମାତ୍ରାରେ କିଣାଯାଇଥିବା ଅଡିଟ ରିପୋର୍ଟରୁ ଜଣାଯାଇଛି। ଏଥିପାଇଁ ସରକାରଙ୍କୁ ଅତିରିକ୍ତ ବ୍ୟୟଭାର ବହନ କରିବାକୁ ପଡ଼ିଛି।

ଏସ୍‌ସିବିରେ ଜଟିଳ ଓ ଉନ୍ନତ ଶଲ୍ୟ ଚିକିତ୍ସା ପାଇଁ ରୋବୋଟିକ ସର୍ଜରି ଯନ୍ତ୍ରପାତି କିଣିବାକୁ ଏସଇଏମସି ୨୦୧୬ ଏପ୍ରିଲରେ ଅନୁମୋଦନ କରିଥିଲା। ଏସବୁ ସରଂଜାମର ସଂଗ୍ରହ ପାଇଁ ଡିଏମଇଟି ପକ୍ଷରୁ ଔଷଧ ନିଗମକୁ ୧୨ କୋଟି ଟଙ୍କା ୨୦୧୬ ସେପ୍ଟେମ୍ବରରେ ପ୍ରଦାନ କରିଥିଲେ। କିନ୍ତୁ ଅନୁ ମୋଦନର ୩ ବର୍ଷ ପରେ ମଧ୍ୟ ଔଷଧ ନିଗମ ଏହାର ସଂଗ୍ରହ ପାଇଁ କୌଣସି ପଦକ୍ଷେପ ନେଇ ନଥିଲା। ତେଣୁ ରୋବୋଟିକ ସର୍ଜରୀ ସୁବିଧା ଏସ୍‌ସିବିରେ ଉପଲବ୍ଧ ହୋଇ ପାରି ନଥିଲା। ସେହିଭଳି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ସଂସ୍ଥାକୁ ମଧ୍ୟ ସରଂଜାମ ଯୋଗାଣରେ ବିଳମ୍ବ ହୋଇଛି। ଏଥିଯୋଗୁ ଚିକିତ୍ସା ସେବା ପ୍ରଭାବିତ ହୋଇଛି। ଏଥିସହିତ ଆବଶ୍ୟକ ଭିତ୍ତିଭୂମି ଅଭାବ ଯୋଗୁ ଏସସିବିକୁ ଯକୃତ ପ୍ରତିରୋପଣ ୟୁନିଟ ପାଇଁ ଯୋଗାଇ ଦିଆଯାଇଥିବା ୫.୪୧ କୋଟି ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ସ୍ଥାପନ ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର