ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଏପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇନଥିବା ଖବର ‘ସମ୍ବାଦ’ରେ ସୋମବାର ପ୍ରକାଶିତ ହୋଇଥିଲା। ଏହାପରେ ପ୍ରଶାସନ ତତ୍ପରତା ଦେଖାଇ ସୋମବାର ଉଫୁଲା ସେବା ସମବାୟ ସମିତିରେ ଧାନ କିଣା ଆରମ୍ଭ କରିଛି। ଚାଷୀମାନେ ୪୭୪ ବସ୍ତା ଧାନ ମଣ୍ଡିକୁ ଆଣିଥିଲେ। କିନ୍ତୁ ଉଲୁଣ୍ଡା ପଞ୍ଚଲିଙ୍ଗିଆ ରାଇସ୍ ମିଲ୍‌ ବସ୍ତାକୁ ଏକ କେଜି ଧାନ କଟନି କଲେ ଯାଇ ଧାନ କିଣିବୁ ବୋଲି କହିଥିଲା। ଏଥିରେ ଚାଷୀ ମଧ୍ୟ ରାଜି ହୋଇଥିଲେ। ଏହାପରେ ଧାନ ମିଲ୍ ମାଲିକ ପ୍ଳାଷ୍ଟିକ୍‌ ବସ୍ତା ପିଛା ୪ଶହ ଗ୍ରାମ୍‌ କଟାଯିବ ଓ ଧାନ ବସ୍ତା ଫେରାଇବୁ ନାହିଁ ବୋଲି ଜିଦ୍‌ କରିଥିଲେ। ପ୍ଳାଷ୍ଟିକ୍ ବସ୍ତା ଓଜନ କରିବାରୁ ୮୦ ରୁ ୧୦୦ ଗ୍ରାମ ଓଜନ ହୋଇଥିଲା। ବସ୍ତା ଓଜନ ଯେତିକି ହେଉଛି ସେତିକି କାଟିବା ପାଇଁ ଚାଷୀମାନେ କହିଥିଲେ। କିନ୍ତୁ ମିଲ୍‌ ମାଲିକ ଧାନ କିଣିବି ନାହିଁ କହି ଟ୍ରକ୍ ଧରି ପଳାଇଥିଲେ।

Advertisment

ଯୋଗାଣ ଅଧିକାରୀଙ୍କ କଥାକୁ ମଧ୍ୟ ଖାତିର କରିନଥିଲେ। ଏପଟେ ଏକ କେଜି ଧାନ କଟନି କଲେ ଚାଷୀ ୧୮ ଟଙ୍କା ୬୮ ପଇସା କ୍ଷତି ସହିବୁ, ସେପଟେ ୪୦୦ ଗ୍ରାମ୍‌ ବସ୍ତା ପାଇଁ କାଟିଲେ ୭ଟଙ୍କା ୪୭ ପଇସା ଚାଷୀ କ୍ଷତି ସହିବୁ। ଏହାସହିତ ବସ୍ତା ନଫେରାଇବାରୁ ବାବଦକୁ ଆହୁରି ୮ରୁ ଦଶ ଟଙ୍କା ଚାଷୀ କ୍ଷତି କେମିତି ସହିବୁ ବୋଲି ଚାଷୀ ପ୍ରଶ୍ନ କରିଥିଲେ। ରାଇସ୍ ମିଲ୍‌ମାନଙ୍କ ଅସହଯୋଗ ମନୋବୃତ୍ତି ଏହି ଘଟଣାରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ବୋଲି ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ସମ୍ପାଦକ ଧର୍ମେନ୍ଦ୍ର ମେହେର କହିଛନ୍ତି। ଯଦି ଏହି ସମାସ୍ୟାର ସମାଧାନ ନହୁଏ ତେବେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।