ବଲାଙ୍ଗୀର: ବଲାଙ୍ଗୀର ମଦ ମାଫିଆ ମେସର୍ସ ବଳଦେବ ସାହୁ ଆଣ୍ଡ୍‌ ସନ୍ସଙ୍କ ମଦ ଭାଟିରୁ ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣା ସାରା ଦେଶରେ ଚହଳ ପକାଇଥିବା ବେଳେ ଏବେ ଉକ୍ତ ମଦଭାଟିର ଏକ ଜମି କେଳେଙ୍କାରୀ ପଦାକୁ ଆସିଛି। ସରକାରୀ ତଥ୍ୟ ଅନୁସାରେ, ମେସର୍ସ ବଳଦେବ ସାହୁ ଆଣ୍ଡ୍‌ ସନ୍ସଙ୍କ ବିଷ୍ଣୁମୁଣ୍ଡାସ୍ଥିତ ମଦଭାଟି ନାଁରେ କେବଳ ୩ ହଜାର ବର୍ଗଫୁଟ ଜମି ଥିବା ବେଳେ ଉକ୍ତ ମଦଭାଟିକୁ ଲାଗି ରହିଥିବା ପ୍ରାୟ  ୩୨ ହଜାର ବର୍ଗଫୁଟ ଜମିକୁ କମ୍ପାନି ବାଡ଼ ଦେଇ ଜବରଦଖଲ କରିଛି। ବଲାଙ୍ଗୀର ସହରର କେନ୍ଦ୍ରସ୍ଥଳରେ ଥିବା ଏହି ୩୨ ହଜାର ବର୍ଗଫୁଟର ମୂଲ୍ୟବାନ ସରକାରୀ ଜମିରେ କଂପାନି ଦୀର୍ଘ ବର୍ଷ ହେଲା ମଦ ବେପାର ଚଳାଇ ଆସୁଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, ମେସର୍ସ ବଳଦେବ ସାହୁ ଆଣ୍ଡ୍‌ ସନ୍ସଙ୍କ ବଲାଙ୍ଗୀର ଗାନ୍ଧୀନଗରପଡ଼ା ୟୁନିଟରେ ମଦ ତିଆରି ଓ ସୁଦପଡ଼ା ୟୁନିଟରେ ଏହାର ମାନ ନିର୍ଦ୍ଧାରଣ କରାଯାଉଥିବା ବେଳେ ରୋହିଦାସନଗର ପଛପଟ ଭାଟିରେ ମଦ ବିକ୍ରି କରାଯାଉଛି। ଆୟକର ବିଭାଗ ସୁଦପଡ଼ା ୟୁନିଟ ଓ କ୍ଲବ୍‌ପଡ଼ାସ୍ଥିତ ଘରେ ଚଢ଼ଉ କରିଥିଲେ। ହେଲେ ଅନ୍ୟ ୟୁନିଟ୍‌ଗୁଡ଼ିକୁ ଚଢ଼ଉରୁ ବାଦ୍‌ ଦେଇଥିଲା। କମ୍ପାନିର ବିଷ୍ଣୁମୁଣ୍ଡାସ୍ଥିତ ମଦଭାଟି ସରକାରୀ ଖତିଆନ ଅନୁସାରେ ବିଷ୍ଣୁମୁଣ୍ଡା ମୌଜା ଅନ୍ତର୍ଗତ ଖତିଆନ କ୍ରମିକ ନମ୍ବର ୩୩୧/୧୧୦୭ରେ ପ୍ଲଟ ନମ୍ବର ୨୦୬/୫୪୩୯ ନାମରେ ବେର୍ଣ୍ଣା ମାମୁଲି କିସମର କେବଳ ୦. ୦୬୯୦ ଡିସିମିଲ ଅର୍ଥାତ ୩ ହଜାର ୫ ବର୍ଗଫୁଟ ଜମି ମେସର୍ସ ବଳଦେବ ସାହୁ ଶିବପ୍ରସାଦ ସାହୁ ତରଫରୁ ପାର୍ଟନର ସଞ୍ଜୟ ସାହୁଙ୍କ ନାମରେ ରହିଛି। ଏହି ପ୍ଲଟକୁ ଲାଗି ସରକାରୀ ଖତିଆନ କ୍ରମିକ ନମ୍ବର ୩୧୯ର ପ୍ଲଟ ନମ୍ବର ୫୪ ରେ ୦.୪୫୫୦ ଡିସିମିଲ ଅର୍ଥାତ ୧୯ ହଜାର ୮୧୯ ବର୍ଗଫୁଟ ଓ ପ୍ଲଟ ନମ୍ବର ୫୬ରେ ୦.୨୮୦୦ ଡେସିମିଲ ଅର୍ଥାତ ୧୨ ହଜାର ୧୯୬ ବର୍ଗଫୁଟ ପତିତ କିସମର ସରକାରୀ ଜମି ରହିଛି। ଉଭୟ ସରକାରୀ ଜମି ମିଶି ପ୍ରାୟ ୩୨ ହଜାର ବର୍ଗଫୁଟ୍‌ ଜମି ରହିଛି। ଯାହାକୁ ମଦ କମ୍ପାନି ଦୀର୍ଘଦିନ ହେଲା ଜବରଦଖଲରେ ରଖି ସେଠାରେ ବେପାର ଚଳାଇଥିବା ଜଣାଯାଇଛି। କମ୍ପାନି ନାମରେ ମାତ୍ର ୩ ହଜାର ବର୍ଗଫୁଟ ଜମିଥିବା ବେଳେ ଏତେ ବଡ଼ ଜମିକୁ କବ୍‌ଜା କରିଥିବା କମ୍ପାନି ପ୍ରତି ପ୍ରଶାସନ କୋହଳ ମନୋ‌ଭାବ ପୋଷଣ କରିବା ସାଧାରଣରେ ସଂଶୟ ସୃଷ୍ଟି କରିଛି।

ଏହି ଜବରଦଖଲ ସରକାରୀ ଜମିକୁ ଭାଟି ମାଲିକ ଚାରିପଟୁ ବାଡ଼ ଦେଇ ନିଜ କବ୍‌ଜାରେ ରଖିଥିବା ବେଳେ ନିଜସ୍ୱ ରେକର୍ଡଭୁକ୍ତ ଜମିରେ ମଦ ଓ ଚାଖଣା ବିକ୍ରି କରାଯାଉଛି ଏବଂ ବାଡ଼ ଦେଇଥିବା ରଖିଥିବା ସରକାରୀ ଜମିରେ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ, ଶୌଚାଳୟ, ରୋଷେଇ ଘର, ଗୋଦାମ ଓ ବିଭିନ୍ନ ଯନ୍ତ୍ରପାତି ରଖାଯାଇଛି। ଗତ ୬ ତାରିଖରେ ମେସର୍ସ ବଳଦେବ ସାହୁ ଏଣ୍ଡ ସନ୍ସଙ୍କ ବିଭିନ୍ନ ମଦଭାଟିରେ ଆୟକର ବିଭାଗ ଚଢ଼ଉ କରି  ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଥିଲା।