ଗୋପ : ପୁଲିସ କବ୍‌ଜାରୁ ଅଭିଯୁକ୍ତକୁ ଖସାଇ ୨୮ ଫସିଲେ

ପୁଲିସ ଠାରୁ ଛଡ଼ାଇ ନେଲେ ମୋବାଇଲ୍‌, ମନିପର୍ସ, ଗାଁ’ ପୁରୁଷ ଶୂନ୍ୟ, ପୁଲିସର ପଇଁତରା

ଗୋପ/ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଥାନା ପୁଲିସ ଜଣେ ଚୋରକୁ ଧରିବା ପାଇଁ ତା’ ଗାଁ’ରେ ଚଢ଼ଉ କରିବା ସମୟରେ ହଟହଟା ହୋଇଛି। ବିଳମ୍ବିତ ରାତିରେ ଗ୍ରାମବାସୀମାନେ ଦୀର୍ଘ ସମୟ ଧରି ଅଟକ ରଖିବା ସହିତ ଠେଲାପେଲା କରି ପୁଲିସ ଠାରୁ ହାତ ଘଣ୍ଟା, ମୋବାଇଲ୍‌, ମନିପର୍ସ ଆଦି ଛଡ଼ାଇ ନେଇଥିଲେ। ଖବର ପାଇ ଭୋର ସମୟରେ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ଲୋକମାନଙ୍କ କବଳରୁ ଅନ୍ୟ ପୁଲିସମାନଙ୍କୁ ମୁକୁଳାଇଥିଲେ। ଏହି ଘଟଣାକୁ ପୁଲିସ ସହଜରେ ଗ୍ରହଣ କରିନାହିଁ। ଏନେଇ ଏକ ମାମଲା ରୁଜୁ କରି ଆଜି ପୁଲିସ ୨୮ଜଣଙ୍କୁ ଗିରଫ କରିଛି।

ଖବର ନେବାରେ ଜଣାପଡ଼ିଛି, ଗତ ୫ ତାରିଖ ଦିନ ଗୋପ ଥାନା ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତର ରେଢ଼ୁଅ ଗାଁ’ର ସୁବାସ ଚନ୍ଦ୍ର ରଥଙ୍କ ଫାର୍ମ ହାଉସ୍‌ରୁ ମାଛ, ୩୫ ହଜାର ଟଙ୍କାର ପ୍ଲାଷ୍ଟିକ୍‌ ପାଇପ ଓ ଟ୍ୟୁବ୍‌ୱେଲ ଆଦି ଲୁଟ୍‌ ହୋଇଯାଇଥିଲା। ଏ ନେଇ ସୁବାସ ଗୋପ ଥାନାରେ ଅଭିଯୋଗ କରିବାରୁ ପୁଲିସ ୨୧୧/୨୦ ନମ୍ବରରେ ଏକ ମାମଲା ରୁଜୁ କରିଥିଲା। ଗୋପ ଥାନାର ଏଏସ୍ଆଇ ଗଙ୍ଗାଧର ସେଠୀ ଏହି ମାମଲାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଦିଲୀପ କୁମାର ସ୍ବାଇଁ ବୋଲି ଜାଣିଥିଲେ। ତାକୁ ସତିଆ ଓରଫ ଅଭିମନ୍ୟୁ ସ୍ବାଇଁ ସହଯୋଗ କରିଥିବା ଜଣାପଡ଼ିଥିଲା। ତେଣୁ ଏହି ମାମଲାର ଅଭିଯୁକ୍ତକୁ ଧରିବା ପାଇଁ ଗତ ୬ ତାରିଖ ରାତିରେ ମାମଲାର ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ସେଠୀ ସଦଳବଳେ ମହଲପଡ଼ା ଗାଁରେ ଚଢ଼ଉ କରିଥିଲେ। ସେ ଏହି ଗାଁ’ର ଦିଲୀପକୁ ଧରିବାରେ ସକ୍ଷମ ହୋଇଥିଲେ। ପୁଲିସ ଜିପ୍‌ରେ ଦିଲୀପକୁ ବସାଇ ପୁଲିସ ଫେରିବା ବେଳେ ଗ୍ରାମବାସୀ ପୁଲିସକୁ ଘେରିଯାଇଥିଲେ। ପୁଲିସ ଜିପ୍‌କୁ ଅଟକାଇ ଗ୍ରାମବାସୀମାନେ ଅଭିଯୁକ୍ତ ଦିଲୀପକୁ ପୁଲିସ ହାତରୁ ଛଡ଼ାଇ ନେଇଥିଲେ। ପୁଲିସକୁ ଠେଲାପେଲା କରିବା ସହିତ ମାଡ଼ ମାରି ମୋବାଇଲ୍‌, ହାତ ଘଣ୍ଟା ଓ ମନିପର୍ସ ଆଦି ଛଡ଼ାଇ ନେଇ ପୁଲିସକୁ ଅଟକାଇ ରଖିଥିଲେ। ପୁଲିସ ଗ୍ରାମବାସୀଙ୍କ ମଧ୍ୟରେ ରାତିତମାମ ଏଭଳି ଚାଲିଥିଲା। ଗ୍ରାମବାସୀମାନେ ଭୋର ସାଢ଼େ ଚାରିଟା ପର୍ଯ୍ୟନ୍ତ ପୁଲିସକୁ ଅଟକାଇ ରଖି ଦେଇଥିଲେ। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ସେଠାରେ ପହଞ୍ଚି ଅଟକ ରହିଥିବା ପୁଲିସ ଓ ଗାଡ଼ିକୁ ମୁକୁଳାଇଥିଲେ। ଏହି ଘଟଣାରେ ପୁଲିସ୍‌ ୨୮ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ୧୯ ଜଣ ମହିଳା ଥିବାବେଳେ ୯ ଜଣ ପୁରୁଷ ଥିବା ଜଣାପଡ଼ିଛି। ଗିରଫଦାରୀ ଭୟରେ ପୁରୁଷମାନେ ଗାଁ’ ଛାଡ଼ି ପଳାଇଥିବା ଜଣାପଡ଼ିଛି। ତେଣୁ ପୁଲିସ ସେଠାରେ ଅବଶିଷ୍ଟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଇଁତରା ମାରୁଛି।

ସମ୍ବନ୍ଧିତ ଖବର