ଗରିବଙ୍କୁ କ’ଣ ପୁରୀ ମନା? ଶ୍ରୀମନ୍ଦିର ଭକ୍ତନିବାସ ପାଲଟିଛି ହୋଟେଲ, ମଠ, ମନ୍ଦିର ଭାଙ୍ଗିଦେବା ପରେ ବଢ଼ିଛି ଦୁର୍ଦଶା
ପୁରୀ,(ଗଦାଧର ପଣ୍ଡା): ପୁରୀରେ ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ସବୁଆଡ଼ୁ ବିରୋଧର ସ୍ବର ଉଠିଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳ ଗତକାଲି ତାଙ୍କ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେବାକୁ ଯାଇ ଗରିବଙ୍କ ପାଇଁ ସେମାନେ କେତେ ତତ୍ପର ତାହା ବଖାଣିଛନ୍ତି। ବଗଲାରେ ୨୦୦ ଲୋକଙ୍କ ରହଣି ପାଇଁ ବ୍ୟବସ୍ଥା ଥିଲା, ମାତ୍ର ଏବେ ସରକାର ପ୍ରଶାସନ ଗରିବଙ୍କ ପାଇଁ ୫୦ ଗୁଣା ଅଧିକ ଅର୍ଥାତ ପୁରୀରେ ୧୦ ହଜାର ଲୋକଙ୍କ ରହଣି ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି ଓ ସେଥିରୁ ଦୁଇହଜାର ଗରିବଙ୍କ ଲୋକଙ୍କ ରହଣି ବ୍ୟବସ୍ଥା ହୋଇସାରିଛି ବୋଲି ସଫେଇ ଦେଇଛନ୍ତି। ଜିଲ୍ଲାପାଳଙ୍କ ଏହି ଦୃଢ଼ୋକ୍ତି ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ସତରେ କ’ଣ ପୁରୀରେ ଗରିବ ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ତତ୍ପର? ବଦଳୁଥିବା ପୁରୀରେ କ’ଣ ଗରିବଙ୍କୁ ସୁବିଧା ମିଳୁଛି? ଏଭଳି ଅନେକ ପ୍ରଶ୍ନ ଉଙ୍କିମାରୁଛି। ଭିଡ଼ ଭିତରେ ସାଧୁସନ୍ଥ ଓ ଗରିବ ଲୋକଟି ଆଉ ପୁରୀକୁ ମନଭରି ଦେଖିବାର ସୁଯୋଗ ପାଉନାହିଁ। ମଠ ଓ ମନ୍ଦିର ଭାଂଗିଥିବାରୁ ସେ ସୁବିଧା ମିଳୁନାହିଁ। ଏ ପଟେ ଗଢ଼ି ଉଠିଥିବା ବହୁତଳ ହୋଟେଲ, ଲଜିଂରେ ରହିବା ପାଇଁ ପକେଟ ସୁହାଉନାହିଁ। ଏଭଳି ସ୍ଥିତିରେ ପୁରୀ ଯେତେ ବିକଶିତ ହେଉଛି, ଚିତ୍ର ଯେତେ ବଦଳୁଛି, ଗରିବ ଓ ନିମ୍ନ ମଧ୍ୟବିତ୍ତ ପୁରୀଠୁ ସେତିକି ଦୂରେଇ ଯାଉଛନ୍ତି। ପୁରୀ ଧର୍ମ ଓ ଆଧ୍ୟାତ୍ମିକ କ୍ଷେତ୍ର କମ। ଉପଭୋଗ, ବ୍ୟବସାୟ ଓ ଆମୋଦ କେନ୍ଦ୍ର ଭାବେ ଧୀରେ ଧୀରେ ବଢ଼ିବାରେ ଲାଗିଛି।
ଦିନ ଥିଲା ପୁରୀକୁ ଆସୁଥିବା ଗରିବ ଭକ୍ତଟିଏ ରାତି କାଟିବାକୁ ରୁମ୍ ଟିଏ ନ ପାଇଲେ ମଠରେ ମୁଣ୍ଡ ଗୁଂଜୁଥିଲା। ଜଣେ ବ୍ୟକ୍ତି ମାତ୍ର ୫୦ରୁ ୧୦୦ ଟଙ୍କା ଦେଇ ଧର୍ମଶାଳାରେ ରହି ମହାପ୍ରଭୁଙ୍କୁ ଦର୍ଶନ କରି ଶାନ୍ତିରେ ଘରକୁ ଫେରୁଥିଲା। ପୂରା ପରିବାର ଧରି ଆସୁଥିବା ବ୍ୟକ୍ତି ୧୦୦/୨୦୦ ଦେଇ ମନ ଖୁସିରେ ପୁରୀ ବୁଲୁଥିଲା। ମାତ୍ର ଏ ସୁବିଧା ସେ ଗରିବଙ୍କ ପାଖରୁ ଛଡ଼ାଇ ନିଆଯାଉଛି। ସରକାର ଶ୍ରୀମନ୍ଦିର ଚତୁର୍ପାର୍ଶ୍ବ ଉଚ୍ଛେଦ କରି ସୁରକ୍ଷା କରିଡର ନିର୍ମାଣ କରୁଛନ୍ତି। ଏମାର ମଠ, ଲଙ୍ଗୁଳି ମଠ, ବଡ଼ଆଖଡ଼ା ମଠ, ସାନ ଛତା ମଠ ଭାଂଗି ସାରିଥିବା ବେଳେ ପ୍ରାୟ ୧୭ଟି ମଠ ଭାଂଗିବାକୁ ତାଲିକା କରିଛନ୍ତି। ପୂର୍ବରୁ ରଥ ସମୟରେ ହେଉ କିମ୍ବା ଯାନିଯାତ୍ରା ସମୟରେ ପୁରୀକୁ ଆସୁଥିବା ଗରିବ ଶ୍ରଦ୍ଧାଳୁ ଯେଉଁ ମଠ, ମନ୍ଦିରରେ ମୁଣ୍ଡ ଗୁଂଜୁଥିଲେ ତାହା ସବୁ ଧ୍ବସଂସ୍ତୁପ।
ହୋଟେଲ ଦର ଦେଇପାରୁନଥିବା ଭକ୍ତଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସେଭଳି କିଛି ସୁବିଧା କରାଯାଇନାହିଁ। ସାଧୁ ଓ ସନ୍ଥ ବିଶ୍ରାମସ୍ଥଳ ନ ପାଇ ବଡ଼ଦାଣ୍ଡରେ ରାତି କାଟୁଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ସବୁ ଭକ୍ତ ନିବାସ ରହିଛି ତାହାର ଦର ହୋଟେଲକୁ ବଳିଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଜମିରେ ମହାପ୍ରଭୁଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମିତ ନୀଳାଦ୍ରି ନୀଳାଚଳ ଓ ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ଗରିବ ତଥା ନିମ୍ନ ମଧ୍ୟବିତ୍ତଙ୍କୁ ସୁହାଉନାହିଁ।
ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ୭୭ଟି କୋଠରୀ, ନୀଳାଦ୍ରିରେ ୧୦୮ ଓ ନୀଳାଚଳରେ ୬୦ରୁ ଅଧିକ କୋଠରୀ ରହିଛି। ତେବେ ଏହାର ଦର ତାଲିକା ଦେଖିଲେ ଏହା ଏକ ଲାଭଜନକ ହୋଟେଲ ଠାରୁ ବଳିଯାଉଛି। ଭକ୍ତ ନିବାସର ଦର ୬୬୦ ଟଙ୍କାରୁ ଆରମ୍ଭ ହୋଇ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସାଧାରଣ ଓ ଗରିବ ଭକ୍ତଟିଏ ଏହି ଭକ୍ତ ନିବାସର ସୁବିଧା ନେଇ ପାରୁନାହିଁ। ଏହାର ବୁକିଂ ଅନଲାଇନରେ ଥିବାରୁ ଏ ସୁବିଧାରୁ ଭକ୍ତ ବଂଚିତ ରହୁଛନ୍ତି। ମହାପ୍ରଭୁଙ୍କ ପାଣ୍ଠିରୁ ନିର୍ମିତ ଏହି ଭକ୍ତ ନିବାସ ତା’ର ବାସ୍ତବ ଉଦ୍ଦେଶ୍ୟ ସାଧନ କରିପାରୁନାହିଁ। ଦୁଇ ଶଯ୍ୟା କୋଠରୀ ପାଇଁ ଜଣେ ଭକ୍ତ ୧୮୦୦ ଟଙ୍କା ଓ ଆଉ ଗୋଟିଏ ଶଯ୍ୟା ନେଲେ ଅତିରିକ୍ତ ୧୯୮ ଟଙ୍କା ଦେବାକୁ ପଡୁଛି। ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ୬୬୦ରୁ ଆରମ୍ଭ ହୋଇ ୧୫୮୪ ଟଙ୍କା ପର୍ଯ୍ୟନ୍ତ ରୁମ ରହିଛି। ଏସି କୋଠରୀ ୧୫୮୪, ଡିଲକ୍ସ ଦୁଇ ଶଯ୍ୟା କୋଠରୀ ୧୨୫୪, ଦୁଇ ଶଯ୍ୟା (ବିନା ଏସି) ୬୬୦, ସମ୍ମିଳନୀ କକ୍ଷ ୮ ଘଣ୍ଟା ପାଇଁ ୫୨୮୦, ୧୨ ଘଣ୍ଟା ପାଇଁ ୭୯୨୦ ରଖାଯାଇଛି। ସେହଭିଳି ୩ ଘଣ୍ଟିଆ ଓ ୫ ଘଣ୍ଟିଆ କୋଠରୀ ବୁକିଂ ବ୍ୟବସ୍ଥା ମଧ୍ୟ ରହିଛି। ନୀଳାଦ୍ରି ଭକ୍ତ ନିବାସରେ ୭୦୦ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ କୋଠାରୀ ଦର ରହିଛି। ୬, ୭ ଓ ୯ ଜଣ ରହିବା ପାଇଁ ଡର୍ମିଟୋରି ବ୍ୟବସ୍ଥା ରହିଛି। ଏହାର ସମ୍ମିଳନୀ କକ୍ଷ ଓ ଅନ୍ୟ ବୁକିଂ ପାଇଁ ୬ ରୁ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି।
ଭକ୍ତଙ୍କୁ ସୁଲଭ ମୂଲ୍ୟରେ ରୁମ ଦେବା ବଦଳରେ ପ୍ରଶାସନ ଏବେ ଭକ୍ତ ନିବାସରୁ ପ୍ରଚୁର ଆୟ ଲକ୍ଷ୍ୟ ରଖିଛି। ଲାଭଖୋର ମନୋବୃତ୍ତିରେ ବିଶ୍ବାସ ରଖୁଥିବା ପ୍ରଶାସନ ଏବେ ଅଧିକ ଭକ୍ତ ନିବାସ ଯୋଜନା କରୁଛି। କୁମ୍ଭାରପଡ଼ା ପୁରୁଣା ଜେଲ ରୋଡ ଅଞ୍ଚଳରେ ଆଉ ଏକ ବିରାଟ ଭକ୍ତ ନିବାସ ନିର୍ମାଣ କାମ ମଧ୍ୟ ଆଗକୁ ବଢ଼ିଛି। ସୂଚନାଯୋଗ୍ୟ, ଏହି ତିନୋଟି ଭକ୍ତ ନିବାସରେ ଅତିବେଶିରେ ଦୈନିକ ୬ ଶହରୁ ୭ ଶହ ଲୋକଙ୍କ ପାଇଁ ବ୍ୟବସ୍ଥା ରହିଛି।