ଐତିହ୍ୟକୁ ହତାଦାର: ବଣବୁଦାରେ ସୋମବଂଶ ସମୟର ଭୈରବ, ପୋତି ହୋଇ ରହିଛି ପୁରାତନ ସ୍ତମ୍ଭ, ବୀରଶିଳା

ପୁରୀ : ଅନାବନା ଜଙ୍ଗଲ ଘେରରେ ନିଖୋଜ ହୋଇଗଲାଣି ଭୌମଙ୍କ ସମୟର ଐତିହ୍ୟ ଗଣେଶ ମୂର୍ତ୍ତି। ଖୋଲାମେଲାରେ ପଡ଼ି ରହିଛି ଦଶମ ଶତାବ୍ଦୀର ଭୈରବ ମୂର୍ତ୍ତି। କଣାସ ବ୍ଲକ୍‌ ଗଡ଼ବେଗୁନିଆପଡ଼ାରେ ଦୁଇ ଐତିହ୍ୟ ଗବେଷକ ଉକ୍ତ ସ୍ଥାନରେ ପହଞ୍ଚି ମୂର୍ତ୍ତିର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ଚିତ୍ର ସାମ୍ନାକୁ ଆସିଛି। ସମ୍ଭବତଃ ଓଡ଼ିଶାରେ ଏତେ ବଡ଼ ଐତିହ୍ୟ ମୂର୍ତ୍ତି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ ବୋଲି ଐତିହ୍ୟ ଗବେଷକମାନେ କହିଛନ୍ତି। କିନ୍ତୁ ଏହା ଉପରେ ଆଜି ଯାଏ ପ୍ରତ୍ନତତ୍ତ୍ବ ବିଭାଗର ଦୃଷ୍ଟି ପଡ଼ିନାହିଁ। କେବଳ ସେତିକି ନୁହେଁ, ସେଠାରେ ସବାର ହୋଇଥିବା ଭୈରବ ମୂର୍ତ୍ତି ନିକଟରେ ପ୍ରାୟ ୮ରୁ ୧୦ ଫୁଟ ଉଚ୍ଚର ୪ଟି ସ୍ତମ୍ଭ ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି। ତେଣୁ ସେଠାରେ ସମ୍ଭବତଃ ମନ୍ଦିରଟିଏ ଥିବା ନେଇ ଅନୁମାନ କରାଯାଉଛି।

ଏ ବାବଦରେ ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ମଧ୍ୟ ଜରୁରି ହୋଇ ପଡ଼ିଛି। ଓଡ଼ିଶାରେ ଭୈରବ ମୂର୍ତ୍ତି ମନ୍ଦିର ଗାତ୍ର ବ୍ୟତୀତ ଖୋଲା ସ୍ଥାନରେ ବି ଦେଖିବାକୁ ମିଳନ୍ତି। ଶିବଙ୍କର ଉଗ୍ର ଓ ଭୟଙ୍କର ରୂପକୁ ଭୈରବ ଭା‌ବରେ ପୂଜା କରାଯିବାର ପରମ୍ପରା ରହି ଆସିଛି। ତେବେ ଅଧିକାଂଶ ସ୍ଥଳେ ମୂର୍ତ୍ତି ତତ୍ତ୍ବ ଅନ୍ୟଠାରୁ ଭିନ୍ନ। ତେଣୁ ଏଗୁଡ଼ିକର ସଠିକ୍‌ ଶାସ୍ତ୍ରୀୟ ନାମ ନିର୍ଧାରଣ କରିବା ସମ୍ଭବ ନୁହେଁ ବୋଲି ଗବେଷକମାନେ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଠାରେ ଦେଖିବାକୁ ମିଳିଥିବା ‌ଭୈରବ ମୂର୍ତ୍ତି ୫ ଫୁଟରୁ ଅଧିକ ଉଚ୍ଚତାର। ମୂର୍ତ୍ତିଟି ସମ୍ଭବତଃ ଦଶମ ଶତାବ୍ଦୀର ଏବଂ ପାଖାପାଖି ୧ ହଜାର ବର୍ଷରୁ ଅଧିକ ପୁରୁଣା ମନ୍ଦିର ବୋଲି ଅନୁମାନ କରାଯାଉଛି। ତେବେ ଭୈରବ ମୂର୍ତ୍ତି ଏକ ଗଛ ତଳେ ରହିଥିବା ବ‌େଳେ ଜଣେ ଘରୋଇ ଜମି ମାଲିକଙ୍କ ଜାଗାରେ ମୂର୍ତ୍ତି ରହିଛି। ‌ଖାଲି ସେତିକି ନୁହେଁ ବଣବୁଦାରେ ଭରପୂର ସେଇ ସ୍ଥାନରେ କେଉଁଠାରେ ଏକ ଗଣେଶଙ୍କ ମୂର୍ତ୍ତି ମଧ୍ୟ ପଡ଼ି ରହିଥିବା ଗ୍ରାମବାସୀ କହିଛନ୍ତି।

ତେବେ କେବଳ ସେତିକି ନୁହେଁ ଏହି ପାଖାପାଖି ସ୍ଥାନରେ ବୀରଶିଳା, ମାନସିକ ସ୍ତୂପ ତଥା ହିରୋଷ୍ଟୋନ, ପୁରାତନ ସ୍ତମ୍ଭ, ଐତିହ୍ୟ ଅବଶେଷ ଅବହେଳିତ ହୋଇ ପଡ଼ି ରହିଛି। ଗଡ଼ବେଗୁନିଆପଡା ସ୍ଥିତ ବୃହତ ଭୈରବ ପ୍ରତିମା ନିଃସନ୍ଦେହରେ ରାଜ୍ୟର ଏକ ବିରଳ ପ୍ରତିମା। ପ୍ରାୟ ୫ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମାର ଗଠନ ପାଖାପାଖି ୧୦୦୦ ବର୍ଷରୁ ଅଧିକ ସମୟ ପୂର୍ବରୁ ହୋଇଥିବାର ଅନୁମାନ କରାଯାଉଛି। ତେଣୁ ଏହା ବେଶ୍‌ ଗୁରୁତ୍ବ ବହନ କରୁଛି ବୋଲି ଇନ୍‌ଟାକ୍‌ର ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି। ଏଭଳି ପ୍ରତ୍ନତାତ୍ତ୍ବିକ ବିଭବର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି ଐତିହ୍ୟପ୍ରେମୀ ବିକ୍ରମ କୁମାର ନାୟକ କହିଛନ୍ତି। ଏଣେତେଣେ ଅବହେଳିତ ହୋଇ ପଡ଼ିଥିବା ମୂର୍ତ୍ତି ଗୁଡିକୁ ଖୋଜି ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରେ ସଜାଇ ରଖିବା ଆବଶ୍ରକ ବୋଲି ସ୍ଥାନୀୟ ଅଞ୍ଚଳର ଆଲୋକ ଚନ୍ଦ୍ର ଛୋଟରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର