ଭୁବନେଶ୍ବର: ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀ ସହର ସହ ଅନେକଙ୍କ ଭାବାବେଗ ଜଡ଼ିତ। ନୂତନ ଭିତ୍ତିଭୂମି ନିର୍ମାଣ ସମୟରେ ଓଡ଼ିଶାର ବାସ୍ତୁକଳାକୁ ଉପଯୋଗ ସାଙ୍ଗକୁ ବିପଦସଙ୍କୁଳ ତଥା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ତ ନିର୍ମାଣକୁ ଭଙ୍ଗାଯିବ। ଭିତ୍ତିଭୂମି ଗୁଡ଼ିକରେ ଅତ୍ୟାଧୁନିକ ଉପକରଣର ବ୍ୟବହାର, ନିର୍ମାଣ ସମୟରେ ଜାତୀୟ ଐତିହ୍ୟ ପ୍ରାଧିକରଣ ମାଗଦର୍ଶିକାର ଅନୁପାଳନ ଓ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିଆଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ପୁରୀ ସହରକୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

Advertisment

ଐତିହ୍ୟ, କୀର୍ତ୍ତିରାଜିର ସୁରକ୍ଷା ସହିତ ପୁରୀକୁ କିଭଳି ଏକ ବିଶ୍ବସ୍ତରୀୟ ସହର ଭାବେ ଗଢ଼ି ତୋଳା ଯାଇପାରିବ ତାହା ଉପରେ ବୈଠକରେ ଆଲୋଚନା ହୋଇଛି। ଏଥିରେ ଶ୍ରୀଗୁଣ୍ଡିଚା ମନ୍ଦିରର ପାରିପାର୍ଶ୍ୱିକ ବିକାଶ, ପ୍ରମୋଦ ଉଦ୍ୟାନର ଉନ୍ନତୀକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳର ନିର୍ମାଣ ସମ୍ପର୍କିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ସେବାୟତ ହାଉସିଂ ପ୍ରକଳ୍ପ, ବିଶ୍ବସ୍ତରୀୟ ରଘୁନନ୍ଦନ ପାଠାଗାର ଓ ଶ୍ରୀଜଗନ୍ନାଥ ଗବେଷଣା କେନ୍ଦ୍ର ନିର୍ମାଣ, ପୁରୁଣା ପୁଲିସ ଷ୍ଟେସନରେ ଭକ୍ତନିବାସ ନିର୍ମାଣ, ଅଠରନଳାର ବିକାଶ ସହ ପୁରୀ ସହରର ବିଭିନ୍ନ ଉନ୍ନତୀକରଣ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ହୋଇଥିଲା।

ପୁରୀ ଜିଲ୍ଲା ଉନ୍ନୟନ ପ୍ରକଳ୍ପର ସମୀକ୍ଷା 
ଗୁଣ୍ଡିଚା ମନ୍ଦିର ଉନ୍ନୟନ କାର୍ଯ୍ୟ ଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ 
ସହର ଭିଡ଼ ପରିଚାଳନା ଉପରେ ଗୁରୁତ୍ବ 
ବିପଦସଙ୍କୁଳ କୋଠା ଶୀଘ୍ର ଭାଙ୍ଗିବାକୁ ନିର୍ଦ୍ଦେଶ

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଲେ, ଶ୍ରୀଜଗନ୍ନାଥ ମନ୍ଦିର ଓ ପୁରୀ ସହରକୁ ଆସିବା ପାଇଁ ରାଜ୍ୟ ତଥା ଦେଶବାସୀଙ୍କ ସ୍ବପ୍ନ ରହିଛି। ତେଣୁ ପୁରୀ ସହରକୁ ସବୁ ଦୃଷ୍ଟିରୁ ସରସ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ସରକାରୀ ଓ ସାଧାରଣ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ପୁରୀ ସହର ତଥା ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ସେ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ। ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ, ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ସମୟରେ ଅନେକ ସମସ୍ୟା ଆସିଥାଏ। ଯୋଜନାବଦ୍ଧ ଭାବେ ପୁରୀ ସହରର ବିକାଶ ପ୍ରକ୍ରିୟାକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଓବିସିସି ପରିଚାଳନା ନିର୍ଦ୍ଦେଶକ ସମୀର ହୋତା, ଇଆଇସି (ସିଭିଲ) ସତ୍ୟବ୍ରତ ବେହେରା, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜୟକୃଷ୍ଣ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।