ଆଜି ହେବ ପରୀକ୍ଷାମୂଳକ ଅବଢ଼ା ‌ରୋଷେଇ

ପୁରୀ : ମହାପ୍ରସାଦ ଦର ନିର୍ଧାରଣ ହେବା ପାଇଁ ହେବାକୁ ଥିବା ମହାପ୍ରସାଦ ରୋଷେଇକୁ ନେଇ ଦେଖାଦେଇଥିବା ବିବାଦ ତୁଟିଛି। ସମନ୍ବୟ ଅଭାବରୁ ଅଟିକି ଥିବା ପରୀକ୍ଷାମୂଳ ଅବଢା ରୋଷେଇ ପାଇଁ ଶେଷରେ ଦିନ ଧାର୍ଯ୍ୟ ହୋଇଛି। ଆସନ୍ତାକାଲି ସକାଳ ୯ଟାରୁ ଏହି ପରୀକ୍ଷାମୂଳକ ରୋଷେଇ ଆରମ୍ଭ ହେବ ‌ବୋଲି ନିଷ୍ପତ୍ତି ହୋଇଛି। ଆଜି ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ସୁଆର-ମହାସୁଆର ନିଯୋଗ ମଧ୍ୟ‌ରେ ଅନୁଷ୍ଠିତ ଆପୋଷ ଆଲୋଚନା ପରେ ଏ ପ୍ରକାର ନିଷ୍ପତ୍ତି ହୋଇଛି। ପ୍ପୂର୍ବ ନିଷ୍ପତ୍ତି ମୁତାବକ, କୋଠଭୋଗ ରୋଷଶାଳାରେ ଏହି ରୋଷେଇ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଦ୍ରବ୍ୟ ଯୋଗାଇବ। କୋଠ ଭୋଗ ସୁଆର ଏହି ରୋଷେଇ କରିବେ। ରୋଷେଇ କରିବା ପରେ ସମୁଦାୟ ଖର୍ଚ୍ଚକୁ ହିସାବକୁ ନିଆଯାଇ ମହାପ୍ରସାଦର ଦର ଧାର୍ଯ୍ୟ ହେବ। ଏହି ଧାର୍ଯ୍ୟ ଦରକୁ ଚୂଡାନ୍ତ ବୋଲି ଧରି ନିଆଯିବ। ପରେ ସୁଆର-ମହାସୁଆର ନିଯୋଗର ସହମତିରେ ଧାର୍ଯ୍ୟ ଦର ସୂଚନାଫଳକ ଲଗାଯିବ। ଆଜି ଜିଲ୍ଲାପାଳ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି, ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ, ବଳରାମ ମହାପାତ୍ର, ମାଧବ ଚନ୍ଦ୍ର ପଣ୍ଡା, ରାମଚନ୍ଦ୍ର ଦିକ୍ଷିତ, ବୈଦ୍ୟନାଥ ମହାସୁଆର ପ୍ରମୁଖ ଉପସ୍ଥିତ ରହି ଏ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯେ, ଶ୍ରୀମନ୍ଦିରରେ ଅବଢା ଦର ଧାର୍ଯ୍ୟ ପାଇଁ ଗତକାଲି ପରୀକ୍ଷାମୂଳକ ରୋଷେଇ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସମନ୍ବୟ ଅଭାବରୁ ଗତକାଲି ଏ ରୋଷେଇ ହୋଇପାରିନଥିଲା। ଚିଠା ଓ ସାମଗ୍ରୀ ଆସିଥିଲେ ହେଁ କୋଠ ଭୋଗ ସୁଆରଙ୍କୁ ଡକାଯାଇପାରିନଥିବାରୁ ସେମାନେ ରୋଷେଇ ପାଇଁ ଆସିନଥିଲେ। ଫଳରେ ରୋଷେଇ ଅଟକିଥିଲା।

ସମ୍ବନ୍ଧିତ ଖବର