ମାଲେସିଆ ଜାହାଜରୁ ତେଲ କାଢ଼ିବାକୁ ନାକେଦମ୍‌

କୋଲକତାରୁ ଆସିଲେ ୭ଜଣିଆ ବିଶେଷଜ୍ଞ ଟିମ୍, ସପ୍ତାହ ମଧ୍ୟରେ ପୁରୀ ଉପକୂଳ ଛାଡ଼ିବାକୁ ଜାହାଜ ମାଲିକଙ୍କୁ ନୋଟିସ୍‌

ବ୍ରହ୍ମଗିରି/ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟରେ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜରୁ ତେଲ କଢାଯିବା ଯେତିକି ବିଳମ୍ବ ହେଉଛି ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ସେତିକି ବଢିବାରେ ଲାଗିଛି। ଗତକାଲିଠାରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଜାହାଜରୁ ତେଲ କଢା ଯାଇପାରିନାହିଁ। ତେଲ ନେବାକୁ ଆଜି ସକାଳେ ୧୮ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଟ୍ୟାଙ୍କର ଆସି ପହ‌ଞ୍ଚିଥିଲା। ସେପଟେ ବାଲେଶ୍ବରରୁ ଆସିଥିବା ୧୨ଜଣିଆ ଟିମ୍ ଆଜି ସକାଳେ ଜାହାଜରୁ ତେଲ କାଢିବାକୁ ଅଧିକ ପାଇପ୍‌ ପକାଇଥିଲେ। ଅପେକ୍ଷା ଥିଲା ବୈଷୟିକ ଟିମ୍‌କୁ। ଦ୍ବିପ୍ରହରରେ କୋଲକତାରୁ ମର୍ଚାଣ୍ଟ ନାଭିର ଏକ ୭ ଜଣିଆ ଟିମ୍ ପହଞ୍ଚିବା ପରେ ତେଲ କଢାଯିବାକୁ ଚାଲିଥିଲା ପ୍ରସ୍ତୁତି। କିନ୍ତୁ ଜହ୍ନିକୁଦା ଘାଟରୁ ଭସାପୋଲ ଯୋଗେ ଆସିବାକୁ ଥିବା ବ୍ୟାରେଲ୍‌ ପହଞ୍ଚି ପାରିନଥିଲା। ସେପଟେ ତେଲ କାଢିବାକୁ ଆସିଥିବା ପମ୍ପରେ ବି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ସବୁପ୍ରକାର ପ୍ରସ୍ତୁତି ସତ୍ତ୍ବେ ତେଲ କଢା ଯାଇପାରିନାହିଁ। ଅପରାହ୍ନରେ ଆଉ ଏକ ଟ୍ୟାଙ୍କର ସାତପଡାରେ ପହ‌ଞ୍ଚିଥିବା ବେଳେ ଆସନ୍ତାକାଲି ତେଲ କଢାଯିବ ବୋଲି ଜଣାପଡ଼ିଛି। ତେଲ କଢାଯିବା ନେଇ ଆଜି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ର ହେଲିକ୍ୟାପ୍ଟର ଘନ ଘନ ପଇଁତରା ମାରିଥିଲା।

ଅନ୍ୟପକ୍ଷରେ ଦୁଇ ଦିନ ମଧ୍ୟରେ ଜାହାଜରୁ ତେଲ କାଢିବା ସହିତ ୭ ଦିନ ମଧ୍ୟରେ କଣ୍ଟେନର ଓ ଜାହାଜକୁ ଏଠାରୁ ନେଇଯିବା ଲାଗି ମାଲେସିଆର କାର୍ଗୋ ସିପ୍ ସଂସ୍ଥା (ଲର୍ଡ ବ୍ଲୁ ଟେକ୍ ପ୍ରାଇଭେଟ୍‌ ଲିମିଟେଡ୍‌) ଏବଂ ଏହାର ଏଜେଣ୍ଟ କଲିକତାର ଅମିତ ଶାହାଙ୍କୁ ଜିଲ୍ଲା ପ୍ରଶାସନ ନୋଟିସ୍‌ ଜାରି କରିଛି। ସେପଟେ ଜାହାଜର କଣ୍ଟେନର ୯୦ ପ୍ରତିଶତ ବୁଡ଼ିଗଲାଣି। ଜାହାଜଟି ମଧ୍ୟ ଗୋଟିଏ ପଟକୁ ଢଳି ରହିଛି। ଜାହାଜରେ ପାଖାପାଖି ୩୦ ହଜାର ଲିଟର ଡିଜେଲ୍‌ ମହଜୁଦ୍‌ ଥିବାରୁ ଏହାକୁ ବାହାର କରିବାକୁ ଅତି କମ୍‌ରେ ୩ରୁ ୪ ଦିନ ଲାଗିବ। ତେବେ କଣ୍ଟେନରଟି ପାଣିରେ ବୁଡ଼ିଯାଇଥିବାରୁ ଏହାକୁ ଆଉ ଅକ୍ଷତ ଅବସ୍ଥାରେ ନିଆଯିବା ସମ୍ଭବ ନୁହେଁ। ଏହାକୁ ଭାଙ୍ଗି କୂଳକୁ ଆଣିବାକୁ ପଡ଼ିବ ବୋଲି ବାଲେଶ୍ବରରୁ ଆସିଥିବା ଟିମ୍‌ର ସଦସ୍ୟମାନେ କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୯ରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମାଲେସିଆର ଏହି ପଣ୍ୟବାହୀ ଜାହାଜ ରାଜହଂସଠାରେ ଅଟକି ରହିଛି।

ସମ୍ବନ୍ଧିତ ଖବର