ପୁରୀ : ବଦଳୁଛି ଶ୍ରୀକ୍ଷେତ୍ରର ଚିତ୍ର। ମହାପ୍ରଭୁଙ୍କ ନବକଳେବର ହେଉ କି ଶ୍ରୀମନ୍ଦିର ଐତିହ୍ୟ କରିଡର ବିକାଶ, ସବୁଥିରେ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଉଭୟ ସରକାର ପୁରୀକୁ ତାଲିକାର ଶୀର୍ଷରେ ରଖିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ପ୍ରମୁଖ ସହରକୁ ଆକାଶ ପଥରେ ଯୋଗାଯୋଗ ନିଶ୍ଚିତ କରିଛନ୍ତି। ହେଲେ ଭାରତ ବର୍ଷର ଅନ୍ୟତମ ପ୍ରମୁଖ ଧାମ ପୁରୀକୁ କିନ୍ତୁ ଆକାଶ ପଥରେ ଅପହଞ୍ଚ ରହିଛି। ସମସ୍ତ ଭିତ୍ତିଭୂମି ଉପଲବ୍ଧ ଥାଇ ମଧ୍ୟ ଏ ଦିଗରେ କୌଣସି ଅଗ୍ରଗତି ଘଟୁନାହିଁ।
ଅନ୍ୟ ସମସ୍ତ ପ୍ରମୁଖ ଧର୍ମକ୍ଷେତ୍ର ଆକାଶ ପଥରେ ଯୋଡ଼ି ହୋଇଥିଲେ ମଧ୍ୟ ପୁରୀ ଏ ଦିଗରେ ପଛରେ ରହିଛି। ଆଗକୁ ହେରିଟେଜ୍ ସିଟି ପାଇଁ କେନ୍ଦ୍ର ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି, କିନ୍ତୁ ଅଦ୍ୟାବଧି ଟଙ୍କାଟିଏ ଦେଇ ନାହାନ୍ତି। ବାରଣାସୀ ଭଳି ଧର୍ମକ୍ଷେତ୍ରକୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ଅନୁଦାନ ଅଜାଡୁ ଥିବା ବେଳେ ପୁରୀକୁ ଏ କ୍ଷେତ୍ରରେ ଅବହେଳା କରାଯାଇଛି। ଅନ୍ୟ ପକ୍ଷରେ ବହୁ ପୂର୍ବରୁ ପୁରୀ ସହର ଉପକଣ୍ଠ ବାଲିଗୁଆଳି ଠାରେ ଥିବା ଏକ ପୁରାତନ ଏୟାର୍ ଷ୍ଟ୍ରିପ୍ର ଆଉ ଚିହ୍ନ ବର୍ଣ୍ଣ ନାହିଁ। ଏହା ଏବେ ବିକ୍ରି ହେବାକୁ ବସିଛି। ହେରିଟେଜ୍ ସିଟି ପାଇଁ କେନ୍ଦ୍ର ସରକାର କେବେ ପ୍ୟାକେଜ ଘୋଷଣା କରିବେ ତାକୁ ପୁରୀବାସୀ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି।
ଚାରି ଧାମରୁ ଅନ୍ୟତମ ଧାମ ଶ୍ରୀକ୍ଷେତ୍ର ପୁରୀକୁ ଏବେ ଦୈନିକ ୬୦ ହଜାରରୁ ଅଧିକ ଭକ୍ତ, ପର୍ଯ୍ୟଟକ ଆସୁଛନ୍ତି। ମାତ୍ର ସେମାନଙ୍କ ଯୋଗାଯୋଗ ପାଇଁ ସଡ଼କ ଓ ରେଳପଥ ମାଧ୍ୟମ ହୋଇ ରହିଛି। ସିଧାସଳଖ ରେଳପଥରେ ପୁରୀକୁ ଆସିବାକୁ ପଡ଼ୁଛି। ପୁରୀକୁ ଆକାଶ ପଥରେ ଆସୁଥିବା ଭକ୍ତ ଭୁବନେଶ୍ବରରେ ଅବତରଣ କରୁଛନ୍ତି। ସେଠାରୁ ୨ ରୁ ୩ ହଜାର ଟଙ୍କା ଖର୍ଚ୍ଚ କରି ପୁରୀକୁ ଆସୁଛନ୍ତି।
ପୁରୀରେ ଏକ ବିମାନବନ୍ଦର ( ଏୟାର୍ପୋର୍ଟ) ପ୍ରତିଷ୍ଠା ପାଇଁ ଯୋଜନା ରହିଥିବା ନେଇ ପୁରୀ ସାଂସଦ ପିନାକୀ ମିଶ୍ର ଗତ କିଛି ଦିନ ତଳେ କହିଥିଲେ। ଏ ନେଇ ଯୋଜନା ଥିବା କଥା ଉଠାଇଥିଲେ। ସେହିଭଳି କିଛି ଦିନ ତଳେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମରେ ପୁରୀ ଆସିଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ମଧ୍ୟ ଏ କଥା କହିଛନ୍ତି। ପୁରୀ-କୋଣାର୍କକୁ ହେରିଟେଜ୍ ସିଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି। ଏହି ଯୋଜନାରେ ପୁରୀକୁ ଆକାଶ ପଥରେ ଯୋଗାଯୋଗ କରିବା ପାଇଁ ଏକ ବିମାନବନ୍ଦର ହେବାର ଯୋଜନା ଥିବାର ଆଭାସ ମିଳିଛି। ଏ ନେଇ ରାଜ୍ୟ ସରକାର ମଧ୍ୟ ତାଙ୍କ ଆଡ଼ୁ ତତ୍ପରତା ଦେଖାଇବାକୁ ପୁରୀବାସୀ ଦାବି କରଛନ୍ତି। ପୁରୀକୁ ଦେଶ ବିଦେଶରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ପୁରୀକୁ ଆସୁଥିବାରୁ ଏଠାରେ ଏକ ବିମାନବନ୍ଦର ଅପରିହାର୍ଯ୍ୟ ହୋଇଥିବାବେଳେ କେବେ ଏହା ବାସ୍ତବରେ ପରିଣତ ହେଉଛି, ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Puri1.jpg)