ଭୁବନେଶ୍ବର: ଖୁବ୍ଶୀଘ୍ର ପୂରଣ ହେବାକୁ ଯାଉଛି ଓଡ଼ିଶାର ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ ତିଆରି ହେବାକୁ ଥିବା ବିମାନବନ୍ଦରକୁ ଖୁବ୍ଶୀଘ୍ର ନୀତିଗତ ମଞ୍ଜୁରି ମିଳିବ। କେନ୍ଦ୍ର ସରକାର ଦେଶର ତିନିଟି ନୂଆ ବିମାନବନ୍ଦର କାର୍ଯ୍ୟ ଆଗକୁ ବଢ଼ାଇବା ଲାଗି ସବୁଜ ସଙ୍କେତ ଦେବା ଉପରେ ବିଚାର କରୁଛନ୍ତି। ସେଥିରେ ପୁରୀ ବିମାନବନ୍ଦର ନାମ ରହିଛି। ପ୍ରତିରକ୍ଷା ଓ ପରିବେଶ ମଞ୍ଜୁରି ମିଳୁନଥିବାରୁ ବିମାନବନ୍ଦର କାର୍ଯ୍ୟ ବିଳମ୍ବ ହୋଇଛି। ତେବେ ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ, ଗୃହ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆଇଏମ୍ଡି ମଧ୍ୟରେ ବିଚାରବିମର୍ଶ ଜାରି ରହିଥିବାରୁ ପୁରୀ ବିମାନବନ୍ଦରକୁ କାମ ଆରମ୍ଭ କରିବା ଲାଗି ଶୀଘ୍ର ମଞ୍ଜୁରି ମିଳିବ ବୋଲି ଆଶା କରାଯାଉଛି।
କେନ୍ଦ୍ର ସରକାରଙ୍କ ନୂଆ ବିମାନବନ୍ଦର ନୀତି ଅନୁସାରେ ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ ମଞ୍ଜୁରି ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ସ୍ଥଳ (ସାଇଟ୍)କୁ ଅନୁମୋଦନ କରାଯାଉଛି। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ନୀତିଗତ ମଞ୍ଜୁରି ଦିଆଯାଉଛି। ମିଳିଥିବା ସୂଚନା ଅନୁସାରେ ଏହି ନୀତିର ଦ୍ବିତୀୟ ପର୍ଯ୍ୟାୟ ମାନଦଣ୍ଡକୁ ପୁରୀ ବିମାନବନ୍ଦର ପୂରଣ କରୁଛି। ତେଣୁ ନିର୍ମାଣ ଓ ଅନ୍ୟାନ୍ୟ କାମ ଆରମ୍ଭ କରିବା ଲାଗି ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ଏହାକୁ ନୀତିଗତ ମଞ୍ଜୁରି ଦେବା ଉପରେ ସରକାର ବିଚାର କରୁଛନ୍ତି।
ପୂର୍ବରୁ ପୁରୀ ବିମାନବନ୍ଦରର ସାଇଟ୍କୁ କେନ୍ଦ୍ର ସରକାର ମଞ୍ଜୁର କରିସାରିଛନ୍ତି। ଏହି ବିମାନବନ୍ଦର ରାଜ୍ୟର ଅର୍ଥନୀତି ଓ ପର୍ଯ୍ୟଟନ ବିକାଶ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଆସୁଛନ୍ତି। ବିମାନବନ୍ଦର ନିର୍ମାଣ ହେବା ପରେ ଏହି ସହରକୁ ବିଭିନ୍ନ ସ୍ଥାନରୁ ସିଧାସଳଖ ବିମାନ ଯାତ୍ରା ସମ୍ଭବ ହୋଇପାରିବ ଯାହା ସ୍ଥାନୀୟ ଅର୍ଥନୀତି ଓ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ପୁରୀ ବିମାନବନ୍ଦର ବିକାଶ କରିବାକୁ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରାଯାଇଥିଲା। କିନ୍ତୁ ସେଥିପ୍ରତି ବିଶେଷ ଆଗ୍ରହ ଦେଖିବାକୁ ମିଳିନଥିଲା। ଏହି ବିମାନବନ୍ଦର ଲାଗି ସିପସରୁବାଲି ମୌଜାରେ ୧୧୬୪ ଏକର ଜମି ଚିହ୍ନଟ କରାଯାଇଛି। ପ୍ରାୟ ୨୨୦୩ କୋଟି ଟଙ୍କା ବିନିଯୋଗରେ ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍ରେ ଏହାକୁ ବିକାଶ କରିବା ଲାଗି ଯୋଜନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/03/1yv3yob3DoOMsLCzIJ6V.jpg)