ଶ୍ରୀକ୍ଷେତ୍ରରେ ପରଂପରା ମୁତାବକ ସୁନା କୁରାଢ଼ିରେ କାଠ ଛେଦନ ସହ ଆରମ୍ଭ ହେଲା ରଥ ନିର୍ମାଣ

ପୁରୀ: ଶ୍ରୀକ୍ଷେତ୍ରରେ ପରଂପରା ମୁତାବକ ପବିତ୍ର ଅକ୍ଷୟ ତୃତୀୟ ତିଥିରେ ଆଜି ସୁନା କୁରାଢ଼ିରେ କାଠ ଛେଦନ ସହ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । କରୋନା ଭାଇରସ ଯୋଗୁଁ ଏହି ପାରଂପରିକ କାର୍ଯ୍ୟ ରଥଖଳାରେ କରା ନଯାଇ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥକାଠ ଉପରେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପୂର୍ବରୁ ଶାସ୍ତ୍ରୀୟ ବନଯୋଗ ବିଧିରେ ହୋମଯଜ୍ଞ କରାଯାଇଥିଲା । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ତଥା ଏହି ନୀତି ସହ ଜଡ଼ିତ ସେବାୟତମାନଙ୍କ ସହମତିରେ ଶ୍ରୀମନ୍ଦିର ବେଢ଼ାରେ ଥିବା ଚାହାଣୀ ମଣ୍ଡପ ଓ ସ୍ନାମମଣ୍ଡପ ମଧ୍ୟ ଭାଗରେ ଯଜ୍ଞକାର୍ଯ୍ୟ କରାଯାଇଥିଲା ।

ଶ୍ରୀମନ୍ଦିର ପୁରୋହିତ ମାନେ ସୁନା କୁରାଢ଼ିରେ ତିନିଟ କାଠକୁ ଚୋଟ ମାରି ରଥ ନିର୍ମାଣ କାମ ଅନୁକୁଳ କରିଥିଲେ । ଏହା ପରେ ବିଶ୍ୱକର୍ମାମାନେ ବ୍ରାହ୍ମଣଙ୍କ ଠାରୁ ବରଣ ଗ୍ରହଣ କରିବା ସହ ଶାଢ଼ି ବାନ୍ଧିଥିଲେ । ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲା ।

ସୂଚନାଯୋଗ୍ୟ, ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନେ ଶନିବାର ସନ୍ଧ୍ୟାରେ ତିନି ଖଣ୍ଡ କାଠକୁ ଉତ୍ତର ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ଆଜି ଅପରାହ୍ନରେ ତିନି କାଠ ରଖାଯାଇ ବନଯୋଗ ବିଧିରେ ହୋମଯଜ୍ଞ କରାଯାଇଥିଲା । ପୁରୋହିତ, ରାଜନଅର ରାଜଗୁରୁ, ସ୍ରୋତ୍ରୀୟ ବ୍ରାହ୍ମଣମାନେ ଯଜ୍ଞଶାଳାରେ ଯଜ୍ଞ କରିଥିଲେ । ମଣି ବିମାନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ ଏବଂ ପଞ୍ଚ ମହାଦେବ ଶ୍ରୀଜମ୍ବେଶ୍ୱର, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର ଓ ଶ୍ରୀନୀଳକଣ୍ଠେଶ୍ୱରର ସାତପାହାଚ ନିକଟରେ ବିରାଜମାନ ହୋଇଥିଲେ ।

ସମ୍ବନ୍ଧିତ ଖବର