ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ହୋଇଥିବା ହାଜତ ମୃତ୍ୟୁ ଅଭିଯୋଗ ମାମଲା ଓଡ଼ିଶା ମାନବାଧିକାର କମିସନ୍ (ଓଏଚ୍ଆରସି)ଙ୍କ ନିକଟରେ ପହଂଚିଛି। ମାଧବାଧିକାର କର୍ମୀ ପ୍ରବୀର ଦାସ ଓଏଚ୍ଆରସିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୨ଟି ଭିନ୍ନ ଭିନ୍ନ ମାମଲା ସେ ଦାୟର କରିଛନ୍ତି। ମାନବାଧିକାର କର୍ମୀ ଶ୍ରୀ ଦାସ କହିଛନ୍ତି, ଉଭୟ ମାମଲାର ତଦନ୍ତ ଓଏଚ୍ଆରସି ନିଜର ତଦନ୍ତ ସଂସ୍ଥା ଦ୍ୱାରା କରନ୍ତୁ ଓ ଉଭୟ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଉ ବୋଲି ଅପିଲ କରିଛନ୍ତି। ଏଥି ସହିତ ଦୋଷୀ ପୁଲିସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅପିଲ କରିଛନ୍ତି।
ସେହିପରି ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଓ ମଣିପୁର ପ୍ରଭାରୀ ସମ୍ବିତ ପାତ୍ର ଜାତୀୟ ମାନବାଧିକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନ୍ଏଚ୍ଆରସିରେ ସେ ଅଭିଯୋଗ କରିଛନ୍ତି ଯେ, ହାଜତ ମୃତ୍ୟୁ ପରେ ପୁଲିସ ମୃତଦେହକୁ ପରିବାରର ବିନା ସହମତିରେ ଅନ୍ତିମ ସଂସ୍କାର କରିଦେଲା। ମୃତକଙ୍କ ବାପା-ମା’ଙ୍କୁ ଉଠାଇ ନେଇ କେଉଁଠି ରଖିଛି, ତାହା ଜଣାନାହିଁ। ମୃତକଙ୍କ ବାପା-ମା’ଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। ଏନ୍ଏଚ୍ଆରସି ଆମ ଅପିଲକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ କମିସନ ଭରସା ଦେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବାକୁ କହିଛନ୍ତି।
ଗତକାଲି ପୁରୀରେ ପୋଲିସ ହେପାଜତରେ ଶ୍ରୀ କେ ରମେଶଙ୍କ ମୃତ୍ୟୁ ସମ୍ପର୍କରେ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ କଲୁ।
ମୃତ ବ୍ୟକ୍ତିଙ୍କ ପିତାମାତାଙ୍କୁ ସ୍ଥାନୀୟ ପୋଲିସ ଅମାନୁଷିକ ଉପାୟରେ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ରଖିଥିବାର ଅଭିଯୋଗ ମଧ୍ୟ ହୋଇଛି।
NHRC ଆମକୁ ସାହାଯ୍ୟ କରିବାକୁ ନିଶ୍ଚିତ କରିଛି। pic.twitter.com/v4EWHv6Jm7— Sambit Patra (@sambitswaraj) November 20, 2020
ସୂଚନାଯୋଗ୍ୟ, ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ସୋମବାର ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ପୀଡ଼ିତ ପରିବାରକୁ କ୍ଷତିପୂରଣ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ଏଥି ସହିତ ହାଜତ ମୃତ୍ୟୁ ଅଭିଯୋଗର ତଦାରଖ ହାଇକୋର୍ଟ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ଗତକାଲି ପୁରୀ ବାସେଳୀସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା। କେ.ରମେଶ ନାମକ ଯୁବକଙ୍କୁ ଥାନା ଭିତରେ ପିଟିପିଟି ମାରି ଦିଆଯାଇଥିବା ମୃତକଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ରମେଶଙ୍କ ଦେହସାରା ମାଡ଼ ଦାଗ ରହିଥିବାବେଳେ ନୋଳା ଫାଟି ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଥିଲା। ମାଡ଼ରେ ଦେହସାରା ସିଝି କଳା ପଡ଼ିଯାଇଥିଲା। ଏହାକୁ କେନ୍ଦ୍ରକରି ପୁରୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସର ଏଭଳି ବର୍ବରତା ବିରୋଧରେ ପରିବାର ଲୋକଙ୍କ ସହ ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେଣେ ପୁଲିସ ପରିବାର ଲୋକଙ୍କୁ ନ ଜଣାଇ କେ.ରମେଶଙ୍କ ଶବ ସତ୍କାର କରିଦେବାରୁ ନୂଆ ବିବାଦ ମୁଣ୍ଡଟେକିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/OHRC.jpg)