ବିଶ୍ୱର ୧୭ଟି ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ କୋଣାର୍କ ଓ ପୁରୀକୁ ସ୍ଥାନିତ କରାଯାଉ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥଧାମ ପୁରୀକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଐତିହ୍ୟସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରା ନଯିବା ଦୁର୍ଭାଗ୍ୟଜନକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଉପରୋକ୍ତ ଦୁଇଟି ସ୍ଥାନକୁ କେନ୍ଦ୍ର ସରକାର ତୁରନ୍ତ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ମନ୍ତ୍ରୀ ଦାଶ ଦାବି କରିଛନ୍ତି।

ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ସରକାରଙ୍କୁ ଅନୁରୂପ ଦାବି କରିବାକୁ ମନ୍ତ୍ରୀ  ଅନୁରୋଧ କରିଛନ୍ତି। କେନ୍ଦ୍ରରେ ବିଜେପି ସରକାର ତା’ର ନିର୍ବାଚନ ଇସ୍ତାହାରରେ ଜଗନ୍ନାଥଧାମ ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଉନ୍ନୀତ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ପୂରଣ ନ କରିବା ଉଚିତ ହୋଇ ନାହିଁ। ଅନନ୍ୟ ସ୍ଥାପତ୍ୟଭରା ପ୍ରସିଦ୍ଧ କୋଣାର୍କ ମନ୍ଦିର ଓଡ଼ିଶାବାସୀଙ୍କ ଭାବାବେଗ ଓ କଳ୍ପନା ସହିତ ସଂଯୋଜିତ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ପୁରୀ ଓ କୋଣାର୍କକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ପୀଠର ମାନ୍ୟତା ଦେବା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର