ପୁରୀ: ପୁରୀ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ଆସନ ହେଉଛି ପୁରୀ ବିଧାନସଭା। ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ କଂଗ୍ରେସ ଟିକେଟ୍ ପାଇବା ପରେ ଏଠି ଜୋରଦାର ଲଢ଼େଇ ହେବାକୁ ଯାଉଛି। କାରଣ କଂଗ୍ରେସର ଉମାବଲ୍ଲଭ ଓ ବିଜେପିର ଜୟନ୍ତ ଷଡ଼ଙ୍ଗୀ ରାଜନୀତିରେ ପୁରୁଣା ଖେଳୁଆଡ୍। ଅନ୍ୟପକ୍ଷରେ ବିଜେଡିର ସୁନିଲ ମହାନ୍ତି ରାଜନୀତିରେ ସଂପୂର୍ଣ୍ଣ ନୂଆ। ସେପଟେ ତାଙ୍କ ପିତା ତଥା ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ଭଳି ଦଖଲ ବି ସୁନିଲଙ୍କ ପାଖରେ ନାହିଁ। ସେହି ତୁଳନାରେ ଦେଖିଲେ, ବିଜେପି ଓ କଂଗ୍ରେସ ଦୁଇନେତା ମହେଶ୍ବରଙ୍କ ସମସାମୟିକ ହୋଇଥିବାବେଳେ ଦଖଲରେ ବହୁ ଆଗରେ ରହିଛନ୍ତି। ଯାହା ବିଜେଡି ପାଇଁ ଅଡ଼ୁଆ ସ୍ଥିତି ଠିଆ କରିଛି।
ବିଜେଡି ମହେଶ୍ବରଙ୍କ ପୁଅ ସୁନିଲଙ୍କୁ ଟିକେଟ୍ ଦେଇଛି। ପୁରୀ ବିଧାୟକ ଜୟନ୍ତଙ୍କୁ ଟିକେଟ୍ ଦେଇଛି ବିଜେପି ଶେଷ ମୁହୂର୍ତ୍ତରେ କଂଗ୍ରେସ ପୂର୍ବତନ ବିଧାୟକ ଉମାବଲ୍ଲଭଙ୍କୁ ଟିକେଟ୍ ଦେବା ପରେ ଏଠାରେ ରାଜନୈତିକ ପରିବେଶ ବେଶ ସରଗରମ ହେଲାଣି। ସୁନିଲଙ୍କ ରାଜନୈତିକ କ୍ୟାରିୟର ଦେଖିଲେ, ସେ ପୂର୍ବରୁ କେବେ ବି ନିର୍ବାଚନ ଲଢ଼ିନାହାନ୍ତି। ଦଳ ମହେଶ୍ବରଙ୍କ ପୁଅ ହିସାବରେ ତାଙ୍କୁ ଟିକେଟ ଦେଇଛି। କିନ୍ତୁ ରାଜନେତା ହିସାବରେ ମହେଶ୍ବର ପୁରୀ ବିଧାନସଭା ଆସନରେ ଯେତିକି ଦଖଲ ରଖିଥିଲେ, ସେତିକି ଦଖଲ ସୁନିଲଙ୍କ ପାଖରେ ନାହିଁ। ସୁନିଲ ସେତେଟା ଲୋକସଂପର୍କ ତିଆରି କରି ପାରିନାହାନ୍ତି କି ପ୍ରଚାରକୁ ସେଭଳି ଶାଣିତ କରିନାହାନ୍ତି। ସେହି ତୁଳନାରେ ବିଜେପି ଓ କଂଗ୍ରେସ ବହୁ ଆଗରେ ଅଛନ୍ତି। ପୁରୀ ବିଧାନସଭା ଅଞ୍ଚଳରେ ଜୟନ୍ତଙ୍କ ଭଲ ଦଖଲ ରହିଛି। ସେହିଭଳି ଉମାବଲ୍ଲଭ ପୂର୍ବତନ କଂଗ୍ରେସ ବିଧାୟକ ଓ ମହେଶ୍ବରଙ୍କ ପ୍ରତିଦ୍ବନ୍ଦ୍ବୀ। କଂଗ୍ରେସର ସେ ଜଣେ ଟାଣୁଆ ନେତା ଓ ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ସେ ଚର୍ଚ୍ଚାରେ ରହିଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେପି ଦଖଲରେ ଏବେ ପୁରୀ ପୌରାଞ୍ଚଳ ରହିଛି। କିନ୍ତୁ ପୁରୀ ସଦର ଓ ଗୋପ ବ୍ଲକ୍ର ଯେଉଁ ପଞ୍ଚାୟତ ପୁରୀ ନିର୍ବାଚନମଣ୍ଡଳୀରେ ଆସୁଛି, ତାହା ତିନି ଦଳ ଭିତରେ ବିଭାଜନ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/political-ll.jpg)