ରୋଗ ବାଣ୍ଟୁଛି ପୁରୀ ଆୟୁର୍ବେଦ ମହାବିଦ୍ୟାଳୟ : ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଛି ଅଳିଆ ଆବର୍ଜନା, ବିପର୍ଯ୍ୟସ୍ତ ପରିମଳ ଯୋଗୁ ମେଡିକାଲ କଲେଜରେ ପୁତିଗନ୍ଧମୟ ପରିବେଶ

ପୁରୀ : ଓଡ଼ିଶାରେ ଆୟୁର୍ବେଦ ଶିକ୍ଷା‌ର ପ୍ରାଣକେନ୍ଦ୍ର ପୁରୀର ଗୋପବନ୍ଧୁ ଆୟୁର୍ବେଦ ମେଡିକାଲ କଲେଜ। ମାତ୍ର ଏହାର ପରିମଳ ବିପର୍ଯ୍ୟସ୍ତ ହୋଇପଡିଛି। ବିପର୍ଯ୍ୟସ୍ତ ପରିମଳ ଯୋଗୁ ମେଡିକାଲ କଲେଜରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଚାରିଆଡ଼େ ଅଳିଆ ଆବର୍ଜନା ବିଛାଡ଼ି ହୋଇ ପଡ଼ିଛି। ପରିସ୍ଥିତି ଏମିତି ଯେ ଏହି ଡାକ୍ତରଖାନା ରୋଗୀଙ୍କ ରୋଗ ଭଲ କରିବା ପରିବର୍ତ୍ତେ ଏହାକୁ ଆସୁଥିବା ରୋଗୀଙ୍କୁ ରୋଗ ବାଣ୍ଟୁଛି ବୋଲି ସହରରେ ଚର୍ଚ୍ଚା ହେଉଛି। ଓଡ଼ିଶାର ଏହି ପ୍ରମୁଖ ମେଡିକାଲ କଲେଜର ଏଭଳି ଅବସ୍ଥା ସୁଧାର ଆଣିବାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜରେ ସ୍ବାସ୍ଥ୍ୟକର ପରିବେଶ ଓ ପରିମଳ ବ୍ୟବସ୍ଥା ପାଇଁ ୧୯ଜଣ କର୍ମଚାରୀ (ସୁଇପର) ନିଯୁକ୍ତି ପାଇଛନ୍ତି। ମାତ୍ର ନେତା, ମନ୍ତ୍ରୀଙ୍କ କୋଟାରେ ଚାକିରି ପାଇଥିବା ଏହି କର୍ମଚାରୀମାନେ ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ‌ହୋଇଛି। ପ୍ରତିଦିନ ଏହି ସଫେଇ କର୍ମଚାରୀମାନେ ଆସି ହାଜିରା ପକାଉଥିଲେ ମଧ୍ୟ ମେଡିକାଲ କଲେଜ୍‌ର ସ୍ୱଚ୍ଛତା ପ୍ରତି ଗୁରୁତ୍ବ ଦେଉ ନାହାନ୍ତି।

ପୁରୀର ଏହି ପୁରାତନ ମହାବିଦ୍ୟାଳୟ ପ୍ରତି ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନାହିଁ। ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରାଙ୍କୁ ପଚାରିବାରେ, ପରିମଳ ଠିକ୍‌ ଅଛି ବୋଲି କହିଥିଲେ। ଯଦି କିଛି ତ୍ରୁଟି ଥାଏ ତା’ର ସମାଧାନ କରାଯିବ ବୋଲି ଡା. ବେହେରା କହିଛନ୍ତି।

 

ସମ୍ବନ୍ଧିତ ଖବର