ପୁରୀ ବଗଲା ଧର୍ମଶାଳା ଜମି ବିବାଦ: ଜବାବ ଦାଖଲ ପାଇଁ ଚାରି ସପ୍ତାହ ମହଲତ

କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଦାୟର କରିଥିବା ମାମଲାରେ ଜବାବ ଦାଖଲ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ହାଇକୋର୍ଟ ଚାରି ସପ୍ତାହ ମହଲତ ପ୍ରଦାନ କରିଛନ୍ତି। ଏଥି ସହିତ ବଗଲା ଧର୍ମଶାଳା ଜମି ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପର ଭବିଷ୍ୟତ ବିଚାରାଧୀନ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ବଗଲା ଧର୍ମଶାଳା ଜମିର କିସମ ପରିବର୍ତ୍ତନ, ବିକ୍ରି, ହସ୍ତାନ୍ତର ଓ ନିର୍ମାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଶ୍ରୀ ପାତ୍ର ଦାୟର କରିଥିବା ଦୁଇ ଅନ୍ତରୀଣ ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ଏହି ଜମି ସଂପର୍କିତ ସମସ୍ତ ନିଷ୍ପତ୍ତି ମାମଲାରେ ପ୍ରଦାନ କରାଯିବାକୁ ଥିବା ଅନ୍ୟାଦେଶ ଉପରେ ନିର୍ଭର କରିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ବଗଲା ଧର୍ମଶାଳା ଜମିରେ କରାଯାଉଥିବା ପରିବର୍ତ୍ତନ ଓ ଏହା  ଉପରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ/ସ୍ଥିତାବସ୍ଥା ଜାରି ପାଇଁ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ମାମଲାରେ ଯୁକ୍ତି ଦର୍ଶାଯାଇଥିଲା। ବେଆଇନ ଭାବେ ବଗଲା ଧର୍ମଶାଳା ଜମି ଅନ୍ୟମାନଙ୍କୁ ବିକ୍ରି କରାଯିବା ସହିତ ଏହା ଉପରେ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ବସ୍ତିଆଙ୍କ ପକ୍ଷରୁ ଦର୍ଶାଯାଇଥିଲା। କିନ୍ତୁ ଖଣ୍ଡପୀଠ ଏହି ପ୍ରସଂଗରେ କୌଣସି ନିର୍ଦ୍ଦେଶ ଆଜି ପ୍ରଦାନ କରି ନଥିଲେ। ଶ୍ରୀ ପାତ୍ର ଓ ଶ୍ରୀ ବସ୍ତିଆଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬କୁ ଧାର୍ଯ୍ୟ କରାଯାଇଛି। ୨୦୨୧, ଅଗଷ୍ଟ ୯ରେ ହାଇକୋର୍ଟ ଶ୍ରୀ ବସ୍ତିଆଙ୍କ ଆବେଦନର ଶୁଣାଣି କରି ବଗଲା ଧର୍ମଶାଳା ଜମି ସଂପର୍କିତ ସମସ୍ତ ପଦକ୍ଷେପ ଅଦାଲତଙ୍କ ରାୟ ଉପରେ ନିର୍ଭର କରିବ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।  ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପ୍ରସଂଗକୁ ନେଇ ୨୦୧୯ରେ ଶ୍ରୀ ବସ୍ତିଆ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନ୍ୟପଟେ ଶ୍ରୀ ପାତ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର