ପୁରୀ/କଟକ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୩ଜଣ ଆଖି ବୁଜିଛନ୍ତି। ଦୁଇଦିନ ମଧ୍ୟରେ ଖଣ୍ଡିଆବନ୍ଧ ତେଲିସାହିର ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଥିବା ବେଳେ ଆଜି ଆଉ ଏକ ପରିବାରର ଦ୍ବିତୀୟ ସଦସ୍ୟ ଆଖି ବୁଜିଛନ୍ତି। ଆଜିର ମୃତ୍ୟୁ ସହିତ ସମୁଦାୟ ସଂଖ୍ୟା ୧୩ ଛୁଇଁଛି। ହସ୍ତଗତ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ରହିଛନ୍ତି ଖଣ୍ଡିଆବନ୍ଧ ବାରବାଟୀର ପି. ରାଜୁ ରାଓଙ୍କ ପୁଅ କେ. ଅଜୁ ରାଓ (୧୨)। ହାଇଟେକ୍ ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ରେ ୫ଦିନ ମୃତ୍ୟୁ ସହ ସଂଗ୍ରାମ କରିବାପରେ ଆଜି ମଧ୍ୟାହ୍ନ ୧୨ଟା ୧୦ରେ ସେ ଆଖି ବୁଜିଛନ୍ତି। ସେହିପରି, ତଳ ନୂଆସାହିର ପ୍ରଫୁଲ୍ଲ ବେହେରାଙ୍କ ପୁଅ ରାହୁଲ ବେହେରା (୧୪)ଙ୍କର ମଧ୍ୟ ଆଜି ମଧ୍ୟାହ୍ନ ୨ଟାରେ ମୃତ୍ୟୁ ଘଟିଛି। ଏସ୍ସିବିରେ ପ୍ଲାଷ୍ଟିକ ସର୍ଜରି ଆଇସିୟୁରେ ୫ଦିନ ଧରି ଚିକିତ୍ସିତ ହେବାପରେ ଆଜି ରାହୁଲ ମୃତ୍ୟୁବରଣ କରିଛନ୍ତି। ରାହୁଲଙ୍କ ସମ୍ପର୍କୀୟ ଟୁକୁନା ବେହେରା ଏବେ ବି ଏସ୍ସିବିରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ଜଣେ ମୃତକ ହେଲେ କଟକ ଜିଲ୍ଲା ଟାଭ୍ଗୀ ଅଞ୍ଚଳର ସୁକାନ୍ତ ସାହୁ( ୩୫ ବର୍ଷ)। ସେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ଏହି ଘଟଣାରେ ଏଯାବତ୍ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖଣ୍ଡିଆବନ୍ଧର କେବଳ ୮ ଜଣ ଆଖି ବୁଜିସାରିଲେଣି। ଆଜି କେ. ଅଜୁ ରାଓଙ୍କ ମୃତ୍ୟୁ ପରେ ହାଇଟେକ ମେଡିକାଲରୁ ମରଶରୀରକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ ପୁରୀ ଅଣାଯାଇ ଦାହ କରାଯିବ ବୋଲି ପରିବାରବର୍ଗ ସୂଚନା ଦେଇଛନ୍ତି। ଏହାବ୍ୟତୀତ ଏସ୍ସିବି ଓ ହାଇଟେକ୍ରେ ଏବେ ବି କିଛି ଆହତ ଚିକିତ୍ସାଧୀନ ଅଛନ୍ତି। ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରି ବିଭାଗ ଆଇସିୟୁ ୨ ଜଣ ଏବଂ ସର୍ଜରି ବିଭାଗରେ ୨ ଜଣ ଚିକିତ୍ସିତ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତ ୨୯ ତାରିଖରେ ଭଉଁରି ରାତିରେ ଏହି ଘଟଣା ଘଟିଥିଲା। ଏପର୍ଯ୍ୟନ୍ତ ଘଟଣାକୁ ୫ ଦିନ ପୂରିଛି। ଏବେ ବି ଆହୁରି ୨୦ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।
ଆସୁନାହାନ୍ତି ମୃତ ଦିବ୍ୟରଞ୍ଜନଙ୍କ ସମ୍ପର୍କୀୟ
ଗତକାଲି ମୃତ୍ୟୁବରଣ କରିଥିବା ଦିବ୍ୟରଞ୍ଜନ ସାହୁଙ୍କର ଆଜି ଏସ୍ସିବିରେ ଶବ ବ୍ୟବଚ୍ଛେଦ ହୋଇଛି। ଚିକିତ୍ସା ଦିନଠାରୁ ମୃତ୍ୟୁ ହେବାପର୍ଯ୍ୟନ୍ତ ଦିବ୍ୟରଞ୍ଜନଙ୍କ ପରିବାର ଲୋକ ପହଞ୍ଚି ନାହାନ୍ତି। ତାଙ୍କ ପ୍ରେସକ୍ରିପସନରେ ଥିବା ମୋବାଇଲ ନମ୍ବର ସ୍ବିଚ୍ ଅଫ୍ ରହିଥିବାରୁ ଘର ଲୋକଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇନାହିଁ। ତେଣୁ ଦିବ୍ୟରଞ୍ଜନଙ୍କ ମରଶରୀର ଏବେ ବି ଶବାଗାରରେ ରଖାଯାଇଛି। କିଛି ସ୍ବେଚ୍ଛାସେବୀ ସୋସିଆଲ ମିଡିଆରେ ଦିବ୍ୟରଞ୍ଜନଙ୍କୁ ଚିହ୍ନଟ କରିବା ପାଇଁ ସେୟାର କରିଛନ୍ତି। ମୃତକଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିବାରୁ ତାହାକୁ ୭୨ଘଣ୍ଟାରୁ ଅଧିକ ସମୟ ସଂରକ୍ଷିତ କରି ରଖିବା ସମ୍ଭବ ହେବନାହିଁ। ତେଣୁ, ଯେତେଶୀଘ୍ର ସମ୍ଭବ ତାଙ୍କ ପରିଚୟ ପ୍ରଦାନ ପୂର୍ବକ ମୃତଦେହ ନେବାକୁ ଏସ୍ସିବି କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/dead.jpg)