ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା, ୧୫ ଦିନ ଭିତରେ ଆରମ୍ଭ ହେବ କାମ, ଖର୍ଚ୍ଚ ହେବ ୧୧ କୋଟି

ପୁରୀ : ଫନି ବାତ୍ୟାର ମହାପ୍ରଳୟ ପରେ ପୁରୀ ପାଇଁ ଆସିଛି ସବୁଠୁ ବଡ ଖୁସି ଖବର। ବହୁ ପ୍ରତୀକ୍ଷା‌ ପରେ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ନିଷ୍ପତ୍ତି ଚୂଡାନ୍ତ ହେବା ସହ ଏହାକୁ ଅନୁମୋଦନ ମିଳିଛି। ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ବ୍ଲୁ ଫ୍ଲାଗ ବିଚ୍‌ର ଆକସନ୍‌ ପ୍ଲାନକୁ ମଂଜୁରି ମିଳିଛି। ଆସନ୍ତା ସପ୍ତାହକ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୮ ଦିନ ଭିତରେ ବ୍ଲୁ ଫ୍ଲାଗ୍ ବିଚ୍ କାମ ଆରମ୍ଭ ହେବ। ନିର୍ମାଣ କାମ ଆସନ୍ତା ୪ ମାସ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାର, ଏନ୍‌ଜିଟି, ଜଂଗଲ ଓ ପରିବେଶ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନ ସହିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ପର୍ଯ୍ୟଟନ ଉପନିର୍ଦ୍ଦେଶକ ବିଜୟ କୁମାର ଜେନା ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟକୁ ଅନୁମୋଦନ କରାଯାଇଛି। ପୁରୀ ସର୍କିଟ୍‌ ହାଉସ-ପଛପାଖ ବେଳାଭୂମିରୁ ପାନ୍ଥ ନିବାସ ପର୍ଯ୍ୟନ୍ତ ବେଳାଭୂମିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରାୟ ୪୦୦ ମିଟର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ। ଏଥି ପାଇଁ ୧୧ କୋଟି ଖର୍ଚ୍ଚ ହେବ। ୮୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିବେ ଏବଂ ଅବଶିଷ୍ଟ ୨୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ। ବେଳାଭୂମିରେ ପର୍ଯ୍ୟଟକଙ୍କ ବସିବା ସୁବିଧା ସହିତ ପାଇଖାନା, ପରିସ୍ରାଗାର, ଚେଂଜି ରୁମ ସୁବିଧା ରହିବ। ପର୍ଯ୍ୟଟକଙ୍କ ସୁରକ୍ଷିତ ଗାଧୁଆ ପାଇଁ ଲାଇଫଗାର୍ଡ ରହିବେ। ତେବେ ଏହାର ସୁପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ କୌଣସି ସଂସ୍ଥାକୁ ଦାୟିତ୍ବ ଦିଆଯିବ। ପର୍ଯ୍ୟଟକ ଯାହା ବ୍ୟବହାର କରିବେ ସେଥିପାଇଁ କିଛି ଅର୍ଥ ପୈଠ କରିବେ, ସେଥିରେ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ହେବ। ବୈଠକରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ପୁରୀ ପର୍ଯ୍ୟଟନ ଉପନିର୍ଦ୍ଦେଶକ ବିଜୟ କୁମାର ଜେନା, ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା ଓ ଏନିଜିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର