ପୁରୀ: ନା ଯୁଦ୍ଧ ହେଉଥିଲା, ନା ଶତ୍ରୁପକ୍ଷରୁ ଆକ୍ରମଣର ଭୟ ଥିଲା। ମାତ୍ର ସମୁଦ୍ରରୁ ଆକାଶ କିଛି ସମୟ ପାଇଁ ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଥିଲା। ଲଢ଼ୁଆ ବିମାନ ‘ସି-ହକ୍‌’ ଜେଟ୍‌ ବାଦଲ ଚିରି ଗର୍ଜନ କରି ଉଡ଼ିଗଲା ବେଳେ କାନ ବୁଜି ଦେଉଥିଲା ହାତ। କିନ୍ତୁ ପରାକ୍ରମୀ ସେନାଙ୍କ ଏଭଳି ଉଡ଼ାଣ ଦେଖି ଛାତି ଗର୍ବରେ ଫୁଲି ଉଠିଥିଲା। ହେଲିକପ୍ଟରରୁ ମେରିନ୍ କମାଣ୍ଡୋମାନେ ସମୁଦ୍ରକୁ ଖସିବାର ଦୃଶ୍ୟ ଦେଖି ଦେହ ଶିତେଇ ଯାଉଥିଲା। କିନ୍ତୁ ନୌବୀରଙ୍କ ସାହସ ଦେଖି ମନ କୁଣ୍ଢେମୋଟ ହୋଇଯାଉଥିଲା। ଯୁଦ୍ଧର ଡେମୋ ଦେଖାଉଥିଲେ ସତ, କିନ୍ତୁ ସେଇ ସେନାନୀଙ୍କ ପାଇଁ ଆମେ ଯେ ସତରେ ସୁରକ୍ଷିତ, ତାହା ସେମାନେ ପ୍ରମାଣିତ କରିଦେଉଥିଲେ। ନୌସେନା ଦିବସରେ ସେନାଙ୍କ ଏହି ପରାକ୍ରମ ଦେଖିବାକୁ ଆଜି ପୁରୀ ସମୁଦ୍ରକୂଳ ଜନସମୁଦ୍ର ପାଲଟିଥିଲା। ପେଣ୍ଠକଟାଠାରୁ ଷ୍ଟର୍ଲିନ୍‌ ପର୍ଯ୍ୟନ୍ତ ସୁଦୀର୍ଘ 
ବେଳାଭୂମିରେ ଏକକାଳୀନ ୩ ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ରଥଯାତ୍ରା ଭିଡ଼ର ଭ୍ରମ ସୃଷ୍ଟି କରିଥିଲା। 

Advertisment

ତିନି ସେନାବାହିନୀର ସୁପ୍ରିମ୍‌ କମାଣ୍ଡାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଭବ୍ୟ ସମାରୋହରେ ଥିଲେ ମୁଖ୍ୟଅତିଥି। ଉଦ‌୍‌ବୋଧନ ପ୍ରସଙ୍ଗରେ କହିଥିଲେ, ଅତୀତର କଳିଙ୍ଗ ରାଜତ୍ବ ସମୟରେ ପୁରୀ ସମୁଦ୍ର ତଟ ନୌବାଣିଜ୍ୟ ସହ ଜଡ଼ିତ ଥିଲା। ଏଣୁ ପୁରୀ ଭଳି ଜାଗାରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ କୃତଜ୍ଞତା ଜଣାଉଛି। ଭାରତରେ ସାମୁଦ୍ରିକ ବ୍ୟାପାର ୫ହଜାରରୁ ଅଧିକ ବର୍ଷ ତଳୁ ଆରମ୍ଭ ହୋଇଥିଲା। ଇତିହାସର ସେହି ପୂର୍ବ ଗରିମାକୁ ବଜାୟ ରଖିବା ସହ ଭବିଷ୍ୟତରେ ଶ୍ରେଷ୍ଠତ୍ବ ପ୍ରତିପାଦନ ପାଇଁ ଭାରତର ଦୃଢ଼ ସାମୁଦ୍ରିକ ସାମର୍ଥ୍ୟ ରହିଛି। ଆମ ନୌବାହିନୀ ସାମୁଦ୍ରିକ ସୁରକ୍ଷା ଓ ନିରାପତ୍ତା ଦିଗରେ ଆହୁରି ଅଧିକ କ୍ରିୟାଶୀଳ ହେବ। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ସାକାର କରିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦୁଇ ମହିଳା ନୌସେନା ଅଧିକାରୀ ଲେପ୍ଟନାଣ୍ଟ କମାଣ୍ଡର ଦିଲ୍‌ନା କେ ଓ ଲେଫ୍ଟନାଣ୍ଟ କମାଣ୍ଡର ରୁପାଙ୍କ ଉଦାହରଣ ଦେଇଥିଲେ। ୧୯୭୧ ଯୁଦ୍ଧରେ ଅଦମ୍ୟ ପରାକ୍ରମ ଦେଖାଇ ବଳିଦାନ ଦେଇଥିବା ଆଇଏନ୍‌ଏସ୍‌ ‘ଖୁକ୍ରି’ର କ୍ୟାପଟେନ୍‌ ମହେନ୍ଦ୍ରନାଥ ମୁଲ୍ଲାଙ୍କୁ ବି ମନେ ପକାଇଥିଲେ। ଯୁଦ୍ଧ ବେଳେ ଜଣେ କମାଣ୍ଡିଂ ଅଧିକାରୀ ଭାବେ ସେ ଯେଉଁଭଳି ନେତୃତ୍ବ ଓ ପରାକ୍ରମ ଦେଖାଇ ପ୍ରାଣବଳି ଦେଇଥିଲେ, ତାହା ଅବିସ୍ମରଣୀୟ। ନୌସେନାର ଅଧ୍ୟକ୍ଷ ଭାବେ ମୁଁ ଗୌରବାନ୍ବିତ। ନୌବାହିନୀର ଦେଶଭକ୍ତି, ଦେଶ ସେବା, ବୀରତ୍ବ ସର୍ବଦା ପ୍ରେରଣାଦାୟୀ। ଶେଷରେ ସମସ୍ତ ନୌସେନା ଅଧିକାରୀ, ନାବିକ ଓ ସେନା କର୍ମଚାରୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ। 

ନୌବୀର ଦେଖାଇଲେ ବୀରତ୍ବର ପରାକାଷ୍ଠା  
ରୋମାଞ୍ଚି‌ତ ହେଲେ ୩ ଲକ୍ଷରୁ ଅଧିକ ଜନତା
୧୫ ଯୁଦ୍ଧ ଜାହାଜ, ୩୭ ଲଢ଼ୁଆ ବିମାନ, ହେଲିକପ୍ଟର୍‌ ଓ ଟ୍ୟାଙ୍କ ସାମିଲ
ବିମୋହିତ କଲା ଲେଜର୍‌ ସୋ, ଆତସବାଜି, ନେଭି ମ୍ୟୁଜିକ୍ ବ୍ୟାଣ୍ଡ

ନୌସେନା ଦିବସ ଅବସରରେ ନୌବୀରଙ୍କ ରଣକୌଶଳ ଦେଖିବା ସୁଯୋଗକୁ କେହି ଯେମିତି ହାତଛଡ଼ା କରିବାକୁ ଚାହୁନଥିଲେ। କାର୍ଯ୍ୟକ୍ରମ ଥିଲା ଅପରାହ୍‌ଣରେ। କିନ୍ତୁ ସମୁଦ୍ର କୂଳକୁ ସକାଳୁ ଛୁଟିଥିଲା ଜନସମୂହଙ୍କ ସୁଅ। ଯୁଦ୍ଧପୋତ ଜାହାଜ ସମୁଦ୍ର କୂଳକୁ ଯେତେ ନିକଟବର୍ତ୍ତୀ ହେଉଥିଲା, ଲୋକଙ୍କ ମଧ୍ୟରେ ରୋମାଞ୍ଚ ବଢ଼ିବାରେ ଲାଗିଥିଲା। ବିଶାଳକାୟ ପାଣି ଜାହାଜ ଦେଖି ମନ ନ ଭରୁଣୁ ସମୁଦ୍ରର ଅଥଳ ଜଳରାଶିରେ ଯାଉଥିବା ବୁଡ଼ାଜାହାଜ ଆଇଏନ୍‌ଏସ୍‌ ‘ସଲ୍‌କି’କୁ ଦେଖି ଉଲ୍ଲସିତ ହୋଇ ଉଠିଥିଲେ। ଓଡ଼ିଆ ପୁଅ ରାହୁଲ ପଟ୍ଟନାୟକ ଏହି ବୁଡ଼ାଜାହାଜ ଚଳାଉଥିବା ଜାଣିବା ପରେ ତାଳିରେ ଗୁଞ୍ଜରିତ ହୋଇଥିଲା ବେଳାଭୂମି ମାର୍ଗ। ଚେତକ ହେଲିକପ୍ଟରଠୁ ନେଇ ଜେଟ୍‌ ବିମାନରୁ ଗୁଳିଗୋଳା ବର୍ଷାର ଦୃଶ୍ୟ ଦେଖି ହୋହଲ୍ଲାରେ ଫାଟି ପଡ଼ୁଥିଲା ପରିବେଶ। ହେଲିକପ୍ଟରରୁ ପାରାଚ୍ୟୁଟ୍‌ ସହାୟତାରେ ଓହ୍ଲାଇବାର ଦୃଶ୍ୟ ଥିଲା ଅତ୍ୟନ୍ତ ଚିତ୍ତାକର୍ଷକ। ବିଶେଷ କରି ସମୁଦ୍ରକୂଳ ନିକଟରେ ବିଭିନ୍ନ କୋଠା ଉପରେ ପାରାଚ୍ୟୁଟ୍‌ରେ କମାଣ୍ଡୋମାନଙ୍କ ଅବତରଣ ଏବଂ ଆକାଶମାର୍ଗରେ ଚକ୍କର କାଟିବାର ଦୃଶ୍ୟ ବେଶ୍‌ ଉପଭୋଗ୍ୟ ହୋଇଥିଲା। ତ୍ରିରଙ୍ଗା ସଦୃଶ ପାରାଚ୍ୟୁଟ୍‌ ହେଉ ବା ଜାତୀୟ ପତାକା ଓ ନାଭି ପତାକା ସଂଲଗ୍ନ ଥିବା ପାରାଚ୍ୟୁଟ୍‌କୁ ଧାରଣ କରି କମାଣ୍ଡୋମାନେ ସମୁଦ୍ର କୂଳରେ ଓହ୍ଲାଇଥିଲେ। ଆକାଶର ବାଦଲମାଳା ସହ ଭାସୁଥିବା ବେଳର ଦୃଶ୍ୟକୁ ଅନେକ ମୋବାଇଲରେ ଉତ୍ତୋଳିତ କରି ନେଉଥିଲେ। ସମୁଦ୍ର କୂଳରେ ଏମିତି କୌଣସି କୋଠା ନଥିଲା, ଯାହା ଉପରେ ଜନତାଙ୍କ ସମାଗମ ହୋଇ ନଥିଲା। ଭାରତୀୟ ନୌସେନାର ଏହି ଐତିହାସିକ ରଣକୌଶଳ ପ୍ରଦର୍ଶନୀ ପୁରୀ ଇତିହାସରେ ଅବିସ୍ମୃତ ହୋଇରହିବ ବୋଲି କହିଛନ୍ତି ଏହାକୁ ଅଙ୍ଗେ ନିଭାଇଥିବା ଜନତା। 

ନୌସେନାର ଅପରେସନାଲ୍‌ ଡେମୋନ୍‌ଷ୍ଟ୍ରେସନର ଆକର୍ଷଣ ବଢ଼ାଇଥିଲା ଡ୍ରୋନ୍‌ ସୋ। ଇଂରାଜୀ ‘ଏ’ ସଦୃଶ ପୃଷ୍ଠଭାଗରୁ ଆକାଶ ମାର୍ଗକୁ ଉଠିଥିଲା ଡ୍ରୋନ୍‌ ସମୂହ। ତ୍ରିରଙ୍ଗା ରଙ୍ଗରେ ଭାରତ ମାନଚିତ୍ର ଆଙ୍କିଥିଲା ଏହି ଡ୍ରୋନ୍‌ ପ୍ରଦର୍ଶନୀ। ନୌଯାତ୍ରାର ପରିଚୟ ବହନ କରୁଥିବା ବୋଇତ ସାଙ୍ଗକୁ ଯୁଦ୍ଧ ଜାହାଜ, ବୁଡ଼ାଜାହାଜକୁ ଡ୍ରୋନ୍‌ ମାଧ୍ୟମରେ ପ୍ରଦର୍ଶନ କରାଯିବା ଯେତିକି ଆକର୍ଷଣୀୟ ଥିଲା, ବୋଇତ ଭାସୁଥିବାର ଦୋଳାୟମାନ ଚିତ୍ର ତା’ଠୁ ଅଧିକ ଚିତ୍ତାକର୍ଷକ ଥିଲା। ଏହାବ୍ୟତୀତ ସିଂହ, ନୌସେନାର ପ୍ରତୀକ ଚିତ୍ର, ସାଲ୍ୟୁଟ୍‌ ମାରିବା ଏବଂ ବନ୍ଧୁକ ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ସେନାର ଚିତ୍ର ମଧ୍ୟ ଆକାଶରେ ଆଙ୍କିଥିଲା ଡ୍ରୋନ୍‌। ପାଣିଜାହାଜ ମଧ୍ୟରୁ ଲେଜର୍‌ ସୋ ପରିପ୍ରକାଶକୁ ମଧ୍ୟ ଲୋକେ ବେଶ୍‌ ଉପଭୋଗ କରିଥିଲେ। ଆକାଶପଥରେ ଲଢ଼ୁଆ ବିମାନ ଓ ହେଲିକପ୍ଟରର ରଣ କୌଶଳ ଉପଭୋଗ କରିଥିଲେ। ସେହିପରି ବ୍ଲୁ ଫ୍ଲାଗ ବିଚ୍‌ ନିକଟରେ ଲଢ଼ୁଆ ଟ୍ୟାଙ୍କ, ନୌସେନାର ଡ୍ରିଲ୍‌ ଓ ମନୋରମ ନୃତ୍ୟ ଦେଖିବାକୁ ମିଳିଥିଲା। ସମରାଭ୍ୟାସରେ ୧୫ ଯୁଦ୍ଧ ଜାହାଜ, ୩୭ ଲଢ଼ୁଆ ବିମାନ, ହେଲିକପ୍ଟର୍‌ ଓ ୪ଟି ଟ୍ୟାଙ୍କ ସାମିଲ ଥିଲା।

ନୌସେନାର ଶକ୍ତି ପ୍ରଦର୍ଶନ ଦେଖିବାକୁ ଉତ୍କଣ୍ଠା ଏତେ ବଢ଼ିଯାଇଥିଲା ଯେ କିଏ କାହା ଛାତ ଉପରେ ତ କିଏ ସମୁଦ୍ରକୂଳ କୋଠା ଉପରେ ଛିଡ଼ା ହୋଇ ଏହି ଦୃଶ୍ୟକୁ ଉପଭୋଗ କରିଥିଲେ। ଦିଗବାରେଣୀ ଛକ ନିକଟରେ ସମୁଦ୍ର କୂଳକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ବାଟ ଥିବାରୁ ଏହି ବାଟରେ ଯାତାୟାତ ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍‌ ଲୁହା ବାଡ଼ ଲଗାଇ ଜଗି ରହିଥିଲେ ହେଁ ଯାତାୟାତକୁ ନିୟନ୍ତ୍ରଣ କରିପାରିନଥିଲା। ଲୋକେ ବାହାରକୁ ବାହାରିବା ବେଳେ ବ୍ୟାରିକେଡ୍‌ ଭାଙ୍ଗିଯାଇଥିଲା। ନୌସେନା ଦିବସରେ ଲୋକେ ଆକାଶରେ କେବଳ ଯୁଦ୍ଧ ବିମାନର କୌଶଳ ଦେଖିନଥିଲେ, ତା’ ସହିତ ଆକର୍ଷଣୀୟ ଆତସବାଜିର ଢୋଢା ଶଦ୍ଦ ଓ ରଙ୍ଗିନ ସ୍ପର୍ଶରେ ରୋମାଞ୍ଚିତ ହୋଇଥିଲେ। ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଆକାଶରେ ଆତସବାଜି ବର୍ଷା ଦେଖିବାକୁ ମିଳିଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଂଜୟ ସେଠ୍‌, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ବତଟ ନୌସେନା କମାଣ୍ଡିଂ ଚିଫ୍‌ ରାଜେଶ ପେନ୍ଧାରକର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।