ପୁରୀ : କରୋନା ମହାମାରୀ ଯୋଗୁଁ ବିଶ୍ବ ତଥା ଦେଶର ଅର୍ଥନୀତିରେ ଅସନ୍ତୁଳନ ଅବସ୍ଥା। ରାଜକୋଷରୁ ଅର୍ଥ ସରିଲାଣି। କରୋନା ପାଇଁ ନୂଆ ଚାକିରୀ ଓ ପ୍ରକଳ୍ପକୁ ନେଇ କଟକଣା ଲାଗିଲାଣି। ଏହାରି ଭିତରେ ପୁରୀକୁ ବିଶ୍ବ ଐତିହ୍ୟ ନଗରୀ କରି ଗଢି ତୋଳିବା ପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ‘ ପୁରୀ ବିଶ୍ବ ଐତିହ୍ୟ ନଗରୀର’' ଭବିଷ୍ୟତକୁ ନେଇ ଆଶଙ୍କା ଉପୁଜିଛି। ଗତ ମାର୍ଚ୍ଚ ମାସରୁ ଅଟକିଥିବା କାମ ଜୁନ ମାସରେ ଦୁଇ ଦିନ ହୋଇ ପୁଣି ବନ୍ଦ ରହିଛି। ତେବେ ପୁରୀ ଜିଲ୍ଲା ପ୍ରଶାସନ ଏହା ଉପରୁ ଆଶଙ୍କା ହଟାଇଛି। ପୁରୀ ସୌନ୍ଦର୍ଯ୍ୟୀକରଣ କାମରେ କୌଣସି ରୋକ୍ ଲାଗିବ ନାହିଁ। ପୂର୍ବଭଳି କାମ ତ୍ବରାନିତ୍ବ ହେବ। ସମ୍ଭବତଃ ଅଗଷ୍ଟ ୧୫ ତାରିଖ ପରେ ପୁଣି କାମ ଆରମ୍ଭ ହେବାର ଯୋଜନା ଥିବା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।
ଗତ ୨୦୧୯ ଅକ୍ଟୋବରରେ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଏହି ସ୍ବପ୍ନର ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ କାଳବିଳମ୍ବ କରିନଥିଲେ। ସବୁ କିଛି କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅର୍ଥର ପେଡି ମଧ୍ୟ ଖୋଲିଦେଇଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ବିକାଶ କାର୍ଯ୍ୟର ଘୋଷଣା କରିଥିଲେ। ଏଥିପାଇଁ ଅବଢ଼ା ଯୋଜନାରେ ୩ ହଜାର ୨୦୮ କୋଟି ଟଙ୍କାର ଅନୁଦାନକୁ କ୍ୟାବିନେଟ୍ ମଞ୍ଜୁର କରାଇଥିଲେ। ମାତ୍ର ତିନି ବର୍ଷ ଭିତରେ ବିକାଶ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଥିଲେ। ଏଥିରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୭୧୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୦୨ କୋଟି ଓ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୮୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିଲେ।
/sambad/media/post_attachments/wp-content/uploads/2020/08/puri-2-300x180.jpg)
ଏହି ଯୋଜନାରେ ଶ୍ରୀକ୍ଷେତ୍ର ତଥା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ବୁଲି ଆସୁଥିବା ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ଶ୍ରୀସେତୁର ପରିକଳ୍ପନା କରାଯାଇଥିଲା। ୨.୩ କିଲୋମିଟରର ଶ୍ରୀସେତୁ ପ୍ରକଳ୍ପ ପାଇଁ ୧୮୧ କୋଟି, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ପାଇଁ ୧୯୦ କୋଟି, ଜେଲରୋଡରେ ବହୁତଳ ପାର୍କିଂ ଗୃହ ନିର୍ମାଣ ପାଇଁ ୯୦.୨୨ କୋଟି ଟଙ୍କା, ମ୍ୟୁନିସିପାଲିଟି ମାର୍କେଟ ପାଇଁ ୪୪.୮୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସ୍ବର୍ଗଦ୍ବାରର ଉନ୍ନୟନ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫କୋଟି ଟଙ୍କା , ବେଳାଭୂମି ଭେଣ୍ଡିଂ ଜୋନ୍ ପାଇଁ ୧୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଏଥିରେ ପ୍ରାୟ ୮୦୦ଟି ସିଆରଜେଡ୍ ଭେଣ୍ଡିଂ କିଓସ୍କ ତିଆରି ହେବା ପାଇଁ ଯୋଜନା ଥିଲା। ଗତ ଜାନୁଆରି ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୨୨ କୋଟି ଟଙ୍କାର ୭ ପ୍ରକଳ୍ପର ଶିଳାନ୍ୟାସ କରି ପୁରୀ ବିକାଶ ସ୍ବପ୍ନକୁ ବାସ୍ତବରୂପ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାତ୍ର ଦୁଇମାସ ଭିତରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ଜବରଦଖଲ ଉଚ୍ଛେଦ କରଯାଇ ବଡଦାଣ୍ଡକୁ ପ୍ରଶସ୍ତ କରାଯାଇଥିଲା। ସେହିଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ବ( ୭୫ ମିଟର) ପରିଧିରୁ ଜମି କିଣା ବିକା କ୍ଷତିପୂରଣ ଦେବା କାମ ମଧ୍ୟ ଶତକଡା ୯୦ ପ୍ରତିଶତ ଶେଷ ହୋଇଥିଲା। ପ୍ରାୟ ୧୫ ଏକର ଜମି ସରକାରଙ୍କ ଖାତାକୁ ଆସି ସାରିଥିଲା। ମାତ୍ର କରୋନା କଟକଣା ଓ ଲକ୍ଡାଉନ ଯୋଗୁଁ ୫ ମାସ ହେବ କାମରେ ବିଳମ୍ବ ହୋଇଛି। ଏବେ ପୁଣି ଥରେ କାମ ଆରମ୍ଭ ହେବ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀମନ୍ଦିର ୭୫ ମିଟର ଐତିହ୍ୟ କରିଡର ପାଇଁ ଯେଉଁ ନକ୍ସା ପ୍ରସ୍ତୁତ ହୋଇଥିଲା ସେହି ଢାଞ୍ଚାରେ କାମ ଆରମ୍ଭ ହେବ। ସେପେଟେ ବାହାରୁଥିବା ବର୍ଜ୍ୟବସ୍ତୁକୁ ତୁରନ୍ତ ସ୍ଥାନାନ୍ତର କରାଯିବ। ଅବଢ଼ା ଯୋଜନାରେ ଶ୍ରୀସେତୁ, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୁଖ୍ୟ ଚିକିତ୍ସାଳୟ ନିକଟ ଜେଲରୋଡ୍ ବହୁତଳ କାର ପାର୍କିଂ, ବଡ଼ଦାଣ୍ଡ ମ୍ୟୁନିସିପାଲିଟି ପାର୍କିଂ କାର୍ଯ୍ୟ ସହ ସ୍ବର୍ଗଦ୍ବାରର ଉନ୍ନତୀକରଣ, ବେଳାଭୂମି ଭେଣ୍ଡିଂଜୋନ୍ ଓ ଅନ୍ୟାନ୍ୟସବୁ କାମ ଚାଲୁ ହେବ। ସ୍ବର୍ଗଦ୍ବାର ନିର୍ମାଣ କାମ ଏବେ ମଧ୍ୟ ଚାଲୁ ରହିଛି। ତେବେ ପ୍ରକଳ୍ପ ପାଇଁ ଜୀବିକା ହରାଇଥିବା ବ୍ୟବସାୟୀଙ୍କ ଥଇଥାନ ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/puri3.jpg)