ଭୁବନେଶ୍ବର : ଦେଶର ୪୦ଟି ରେଳ ଷ୍ଟେସନର ବିକାଶ କରାଯିବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରମୁଖ ଷ୍ଟେସନଗୁଡ଼ିକର ପୁନଃ ନିର୍ମାଣ କାର୍ଯ୍ୟକୁ ଇତିମଧ୍ୟରେ ତ୍ୱରାନ୍ୱିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ସୁବିଧା ଯୋଗାଇବା ଲାଗି ଭାରତୀୟ ରେଳପଥରେ ୪୦ଟି ଷ୍ଟେସନ ଚିହ୍ନଟ ସହ ବିକାଶ କାର୍ଯ୍ୟ ଜାରି ରହିଛି। ଆଉ ୧୪ଟି ରେଳ ଷ୍ଟେସନ ଟେଣ୍ଡର ପର୍ଯ୍ୟାୟରେ ରହିଛି। ଆସନ୍ତା ୫ମାସ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ସହ କାର୍ଯ୍ୟ ଆରମ୍ଭ ହେବ। ବିକଶିତ ହେବାକୁ ଥିବା ୫୪ଟି ରେଳ ଷ୍ଟେସନ ମଧ୍ୟରେ ଓଡ଼ିଶାର ୩ଟି ସମେତ ପୂର୍ବତଟ ରେଳପଥର ମୋଟ ୪ଟି ଷ୍ଟେସନ ରହିଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ବିକଶିତ ହେବାକୁ ଥିବା ଦୁଇଟି ଷ୍ଟେସନ ପୁରୀ ଓ ଭୁବନେଶ୍ବର ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ୨୦୨୪ ସୁଦ୍ଧା ଏହି ଦୁଇ ରେଳ ଷ୍ଟେସନର ନବକଳେବର କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେହିପରି କଟକ ରେଳ ଷ୍ଟେସନର ଭିତ୍ତିଭୂମି ବିକାଶ କରି ବିଶ୍ବସ୍ତରୀୟ କରିବା ଲାଗି ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ମନ୍ତ୍ରଣାଳୟ କହିଛି।

Advertisment

ଐତିହ୍ୟ ସହର ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ମଡେଲ୍‌ରେ ପ୍ରସ୍ତୁତ କରାଯାଉଛି। ଅଗଷ୍ଟରୁ କାର୍ଯ୍ୟ ଆରମ୍ଭ ହୋଇଛି। ୨୦୨୪ ସୁଦ୍ଧା ଶେଷ ହେବାକୁ ଥିବା ରେଳ ଷ୍ଟେସନର ଉନ୍ନତୀକରଣ ଓ ଯାତ୍ରୀ ନିବାସ ନିର୍ମାଣ ପାଇଁ ୩୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଜାପାନ ଓ ଜର୍ମାନୀ ଜ୍ଞାନକୌଶଳରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନରେ ୨୦୦ରୁ ୩୦୦ କିମି ବାତ୍ୟା ସହନଶୀଳ ବିଲ୍ଡିଂ ନିର୍ମାଣ ‌ହେବ। ଯେଉଁଥିରେ ଉତ୍କଳୀୟ କଳା ସଂସ୍କୃତି ଓ ସ୍ଥାପତ୍ୟର ଛାପ ରହିବ। ଭୁବନେଶ୍ୱରରୁ ପୁରୀ ଚାଲିବ ୱାର୍ଲ୍ଡ କ୍ଲାସ ଟ୍ରେନ। ୨୦୩ କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ସୁବିଧା ଥିବା ଯାତ୍ରୀ ନିବାସ କରିବାକୁ ରୂପ‌ରେଖ ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିକଶିତ ହେବାକୁ ଥିବା ଭୁବନେଶ୍ବର ରେଳ ଷ୍ଟେସନ ଲାଗି ମଧ୍ୟ ସମସ୍ତ ପ୍ରକ୍ରିୟା ଶେଷ ହୋଇ କାର୍ଯ୍ୟ ଆରମ୍ଭ ହୋଇଛି।

ଷ୍ଟେସନର ରୂପରେଖ କିଭଳି ହେବ ସେନେଇ ମଧ୍ୟ ନକ୍ସା ପ୍ରସ୍ତୁତ ସରିଛି। ତେବେ ଏପର୍ଯ୍ୟନ୍ତ ବିକାଶ କାର୍ଯ୍ୟ ଲାଗି ଭିତ୍ତିପ୍ରସ୍ତର ପଡ଼ିପାରି ନାହିଁ। ଗତ ମାସରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ଗସ୍ତ ଅବସରରେ କହିଥିଲେ ‌ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୟ ଦେଲେ ଶୁଭ ଦିଆଯିବ। ଇତିମଧ୍ୟରେ ୨୦ ଦିନ ବିତିଯାଇଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେପଟେ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ନକ୍ସା ପ୍ରସ୍ତୁତ ସହ ବିକାଶ କାର୍ଯ୍ୟ ଚାଲିଛି। ଏହି କ୍ରମରେ ପୂର୍ବତଟ ରେଳପଥ ଅଧୀନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରେଳ ଷ୍ଟେସନର ରୂପରେଖ ମଧ୍ୟ ବଦଳିବ। ଏହି ଯୋଜନା ଅଧୀନରେ ଷ୍ଟେସନ ଅଟ୍ଟାଳିକାର ପୁନଃନିର୍ମାଣ, ସୁଧାର ଓ ସମ୍ପ୍ରସାରଣ, ଷ୍ଟେସନ ପରିସରରେ ଭିଡ଼, ବାଧାମୁକ୍ତ ପ୍ରବେଶ ଓ ପ୍ରସ୍ଥାନ ସୁବିଧା, ଯାତ୍ରୀଙ୍କର ଆଗମନ ଓ ପ୍ରସ୍ଥାନ ପାଇଁ ପୃଥକ ବ୍ୟବସ୍ଥା, ଅଧିକ ଭିଡ଼ ମୁକାବିଲା ପାଇଁ ଯଥେଷ୍ଟ ସ୍ଥାନ, ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ସଙ୍କେତ, ଭଲ ଆଲୋକ ଚଳପ୍ରଚଳ ସ୍ଥାନ ଓ ପାର୍କିଂ ପାଇଁ ଯଥେଷ୍ଟ ବ୍ୟବସ୍ଥା, ଆବଶ୍ୟକତା ଅନୁଯାୟୀ ଦିବ୍ୟାଙ୍ଗଙ୍କ ପାଇଁ ସବୁ ସୁବିଧା ଆଦି ସାମିଲ ରହିଛି।