ପୁରୀ: ଅନ୍ଧାରରେ ପୁରୀ-ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥ। ଆରମ୍ଭରୁ ଆଲୋକୀକରଣ ବ୍ୟବସ୍ଥା ଫେଲ୍‌। ଲାଗିଥିବା ଷ୍ଟ୍ରିଟ୍‌ଲାଇଟ୍‌ରୁ ଅଧା ଜଳୁଥିବା ବେଳେ ଅଧା ଖରାପ ଅବସ୍ଥାରେ। ଫଳରେ ସନ୍ଧ୍ୟା ଗଡ଼ିଲେ ଏହି ରାଜପଥରେ ଅନ୍ଧାର ରାଜୁତି କରୁଛି। ଫଳରେ ଦିନକୁ ଦିନ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି। ଘନ ଅନ୍ଧକାର ଯୋଗୁଁ ଅକାଳରେ ମୁଣ୍ଡ ଗଡ଼ୁଛି। ଏଥିସହ ଚୋରି, ରାହାଜାନି ବି ବଢ଼ିଚାଲିଛି। ୨୦୨୨ ମସିହା ପହିଲାରୁ ଜାତୀୟ ରାଜପଥ ଆଲୋକୀକରଣ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦାମୀ ଟୁବୁଲାର ପୋଲ୍‌ ଓ ଏଲ୍‌ଇଡି ଲାଇଟ୍‌ ଲଗାଗଲା।

Advertisment

୨୦୨୨ ରଥଯାତ୍ରା ପୂର୍ବରୁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଅଠରନଳାଠାରୁ ପିପିଲି ପର୍ଯ୍ୟନ୍ତ ଶତାଧିକ ଷ୍ଟ୍ରିଲ୍‌ ଲାଇଟ୍‌(ଟୁବୁଲାର ପୋଲ୍‌) ଲଗାଯାଇଥିଲା। ଲକ୍ଷ୍ୟ ଥିଲା, କୋଭିଡ୍‌ କଟକଣା ଯୋଗୁ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖି ପାରିନଥିବା ଭକ୍ତଙ୍କୁ ଭିନ୍ନ ଏକ ଅନୁଭୂତି ଦେବା। ରାଜପଥରେ ଅନ୍ଧକାର ଦୂର କରି ଦୁର୍ଘଟଣା ହ୍ରାସ କରିବା। ପ୍ରକଳ୍ପ ଆରମ୍ଭର ପ୍ରାୟ ୨ ବର୍ଷ ପରେ ଏହି ଷ୍ଟ୍ରିଟ୍‌ ଲାଇଟ୍‌ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା। କିନ୍ତୁ ଦୁର୍ଭାଗ୍ୟ, କାର୍ଯ୍ୟକ୍ଷମର ଅଳ୍ପ କେଇଦିନ ଭିତରେ ବହୁ ଷ୍ଟ୍ରିଟ୍‌ଲାଇଟ୍‌ ଅଚଳ ହୋଇପଡ଼ିଛି। ସେ ପୁରୀ ହେଉ କି ଚନ୍ଦନପୁର, ସାକ୍ଷୀଗୋପାଳ, ସମଯାଜପୁର ହେଉ କି ପିପିଲି, ସବୁଠି ସମାନ ସ୍ଥିତି ଦେଖିବାକୁ ମିଳିଛି। ବହୁ ଷ୍ଟ୍ରିଟ୍‌ଲାଇଟ୍‌ ଜଳୁ ନଥିବାରୁ ଚାଳକମାନେ ଘନ ଅନ୍ଧକାରରେ ରାସ୍ତା ଜାଣି ନ ପାରି ଡିଭାଇଡରରେ ପିଟି ହେଉଛନ୍ତି। ଆଉ କେହି କେହି ରାସ୍ତା ତଳକୁ ଖସି ପଡ଼ୁଛନ୍ତି। ବେଳେ ବେଳେ ଅନ୍ଧାର ରାତିରେ ଶୋଇଥିବା ଗାଈଗୋରୁଙ୍କ ସହ ପିଟି ହୋଇ ମୃତାହତ ହେଉଛନ୍ତି।

ଅନ୍ୟପଟେ, ପୁରୀ-ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥରେ ଯା’ଆସ ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ପିପିଲି ଟୋଲ୍‌ ଗେଟ୍‌ରେ ଗାଡ଼ି ଚାଳକଙ୍କଠାରୁ ଦୈନିକ କୋଟି କୋଟି ଟଙ୍କାର ଟୋଲ୍‌ ଆଦାୟ ହେଉଛି। କିନ୍ତୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଯେଉଁ ପରିମାଣର ରାଜସ୍ବ ଗୋଟାଉଛି, ସେହି ପରିମାଣରେ ଲୋକଙ୍କୁ ସେବା ଦେବାରେ ବିଫଳ ହୋଇଛି। ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ଅନ୍ଧକାରମୟ ପରିବେଶ ଏହାର ଜ୍ବଳନ୍ତ ଉଦାହରଣ ବୋଲି ସାଧାରଣରେ ଅଭିଯୋଗ ହୋଇଛି।