ପୁରୀ: ନରେନ୍ଦ୍ରରେ ଭଉଁରି ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ତିନିଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁମ୍ଭାରପଡ଼ା ଥାନା ଖଣ୍ଡିଆବନ୍ଧ ଗାଁର ହେମନ୍ତ କୁମାର ସାହୁ (୩୭ ବର୍ଷ) ଓ ତାଙ୍କ ସମୃଦ୍ଧି ସାହୁ (୪ ବର୍ଷ), ସୌମ୍ୟରଂଜନ ସାହୁ (୧୨ ବର୍ଷ) । ସୌମ୍ୟ ଗତ ୨୯ ତାରିଖରୁ ଭୁବନେଶ୍ବର ଏମ୍‌ସରେ ଓ ହେମନ୍ତ ହାଇଟେକ୍‌ରେ ଚିକିତ୍ସାଧୀନ ଥିଲେ। ତିନିଜଣଙ୍କ ମୃତଦେହ ଆଜି ଖଣ୍ଡିଆବନ୍ଧରେ ପହଞ୍ଚିବା ପରେ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଛି। ଏହି ତିନିଜଣଙ୍କୁ ମିଶାଇ ତିନିଦିନ ଭିତରେ ବାଣ ବିସ୍ଫୋରଣ ଘଟଣାରେ ୬ଜଣ ଆଖି ବୁଜିଲେଣି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ସୌମ୍ୟ ଓ ଅପରାହ୍ନରେ ହେମନ୍ତ ଓ ସମୃଦ୍ଧିଙ୍କ ମୃତ୍ୟୁ ଘଟିଛି। ସୌମ୍ୟ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବାବେଳେ ହେମନ୍ତ ଜଣେ ବ୍ୟବସାୟୀ। ହେମନ୍ତଙ୍କ ଏକ ଛୋଟ ଝିଅ ବି ଅଛି। ଅନ୍ୟପକ୍ଷରେ, ଏବେ ବି ଭୁବନେଶ୍ବର ଓ କଟକର ବିଭିନ୍ନ ଡାକ୍ତରଖାନାରେ ୨୪ଜଣ ଚିକିତ୍ସାଧୀନ ଅଛନ୍ତି। ଗୁରୁତରଙ୍କ ଭିତରୁ ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରା(୩୮), ପୁରୀର ଦିବ୍ୟରଂଜନ ସାହୁ(୩୫) ଶତ ପ୍ରତିଶତ ପୋଡ଼ି ଯାଇଛନ୍ତି। ସେହିଭଳି ପୁରୀ ତଳନୂଆସାହିର ଟୁକୁନା ବେହେରା(୧୫), ରାହୁଲ ବେହେରା(୧୪), ମନମୋହନ ବେହେରା(୨୪), ମାର୍କେଣ୍ଡେଶ୍ବରସାହିର ବଳରାମ ଦାସ(୧୫), ନୀଳଚକ୍ରନଗରର ସିପୁ ପଣ୍ଡା(୧୮) ଏବେ ଚିକିତ୍ସାଧୀନ ଅଛନ୍ତି।

ଗତ ୨୯ ତାରିଖରେ ନରେନ୍ଦ୍ରରେ ମହାପ୍ରଭୁଙ୍କ ଏହି ଭଉଁରି ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୩୬ରୁ ଅଧିକ ଜଣ ଗୁରୁତର ହୋଇଥିଲେ। ଏହି ବାଣ ବିସ୍ଫୋରଣ ଘଟଣାରେ ପୁଲିସ ନିଜ ତରଫରୁ ଗତକାଲି ଏକ ମାମଲା ରୁଜୁ କରିଛି। କୁମ୍ଭାରପଡ଼ା ଥାନା ଏଏସ୍‌ଆଇ ପ୍ରମୋଦ କୁମାର ଦଳେଇଙ୍କ ଅଭିଯୋଗ ଆଧାରରେ ୧୮୧/୨୪ରେ ଏକାଧିକ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି, ସେମାନଙ୍କ ଭିତରୁ ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟମାନେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ, ମୃତକଙ୍କ ଭିତରୁ ୪ଜଣ ଖଣ୍ଡିଆବନ୍ଧ ଅଞ୍ଚଳର ହୋଇଥିବାରୁ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

୨ ଗୁରୁତର ଭେଣ୍ଟିଲେଟର୍‌‌ରେ

କଟକ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ୭ଜଣ ଗୁରୁତର ଆହତ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଦୁହେଁ ହେଲେ, ଶଙ୍କର ବେହେରା(୩୮) ଓ ଦିବ୍ୟ ରଞ୍ଜନ ସାହୁ(୩୫)।

ସୂଚନା ଅନୁସାରେ, ଦୁହିଁଙ୍କ ଶରୀର ଶହେ ପ୍ରତିଶତ ପୋଡିଥିବାରୁ ଆଇସିୟୁରୁ ନେଇ ଭେଣ୍ଟିଲେଟରରେ ରଖାଯାଇଛି। ଅନ୍ୟପଟେ, ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବର୍ଣ୍ଣ ଆଇସିୟୁରେ ୨ଜଣ ଚିକିତ୍ସିତ ହେଉଥିବାବେଳେ ସର୍ଜରି ବିଭାଗରେ ୩ଜଣ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ମେଡିସିନ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ବିଶ୍ୱାଳ, ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଦେବ ପ୍ରସାଦ ମହାନ୍ତି ପ୍ରମୁଖଙ୍କୁ ନେଇ ଟିମ୍‌ ଗଠିତ ହୋଇଛି। ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଏହି ଟିମ୍‌ ୨୪ ଘଣ୍ଟିଆ ଅନୁଧ୍ୟାନ କରୁଛନ୍ତି।

ଅନ୍ୟପଟେ ମେୟର ସୁବାସ ସିଂହ ଆଜି ଏସ୍‌ସିବିରେ ଆହତଙ୍କୁ ଭେଟିଥିଲେ। ମୁଖ୍ୟ ଶାସନ ସଚିବଙ୍କ ନେତତ୍ୱରେ ସ୍ୱତନ୍ତ୍ର କମିଟି ଏହି ଘଟଣାକୁ ଗୁରୁତ୍ବର ସହ ବିଚାର କରୁଛନ୍ତ। ଆଗାମୀ ଦିନରେ କୌଣସି ବଡ ଉତ୍ସବ, ସମାବେଶରେ ବାଣ ଫୁଟାଇବା ଉପରେ କିଭଳି ଅଙ୍କୁଶ ଜାରି କରାଯାଇପାରିବ ସେ ଉପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ପୁରୀ ବିସ୍ଫୋରଣ ଆହତଙ୍କୁ ଭେଟିବା ପରେ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ପ୍ଲାଷ୍ଟିକ୍‌ ସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ସହିତ ମେୟର ଚିକିତ୍ସିତ ରୋଗୀଙ୍କ ସ୍ଥିତି ଓ ଚିକିତ୍ସାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।