ପୁରୀ: ମହାପ୍ରଭୁଙ୍କ ଭଉଁରି ଯାତ୍ରା ବେଳେ ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଏସ୍ଆର୍ସିଙ୍କ ତଦନ୍ତ ଶେଷ ହୋଇଛି। ଏସ୍ଆର୍ସି ସତ୍ୟବ୍ରତ ସାହୁ ଆଜି ଦୁଇଟି ପର୍ଯ୍ୟାୟରେ ଉଭୟ ଅଧିକାରୀ ଓ ପୀଡ଼ିତ ପରିବାରଙ୍କଠାରୁ ଅଭିଯୋଗ ଶୁଣିଥିଲେ। ଜୁନ ୫ ତାରିଖ ପ୍ରଥମ ଦିନର ଶୁଣାଣିରେ ୩୦ଟି ଓ ଆଜି ଦ୍ବିତୀୟ ଦିନର ଶୁଣାଣିରେ ୩ଟି, ଏପରି ଏସ୍ଆର୍ସିଙ୍କୁ ୩୩ଟି ଅଭିଯୋଗ ପ୍ରଦାନ କରାଯାଇଛି। ଅଭିଯୋଗକାରୀଙ୍କ ଭିତରେ ପୀଡ଼ିତ ପରିବାରଙ୍କ ସମେତ ଗ୍ରାମବାସୀ, ପ୍ରତ୍ୟକ୍ଷଦର୍ଶୀ, ଉଦ୍ଧାରକାରୀ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ ଆଦି ରହିଛନ୍ତି।
ଅପରପକ୍ଷେ ଚିକିତ୍ସିତ ହେଉଥିବା ପୀଡ଼ିତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବୁଝିବା ପରେ ଏସ୍ଆର୍ସିଙ୍କ ପରାମର୍ଶକ୍ରମେ ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ ଗଠନ କରାଯାଇଛି। ଏମାନେ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ବ୍ୟକ୍ତିଙ୍କ ଘରକୁ ଯାଇ ସୁବିଧା ଅସୁବିଧା ବୁଝିବେ। ସମସ୍ୟା ଦୂର ପାଇଁ ଆବଶ୍ୟକ ପରାମର୍ଶ ଦେବେ। ସେହି ଅନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସୂଚନା ଅନୁସାରେ, ଗତ ୫ ତାରିଖରେ ତଦନ୍ତ ସମ୍ପୂର୍ଣ୍ଣ ହୋଇ ନ ପାରିବାରୁ ଆଜି ପୁଣିଥରେ ପୁରୀ ସର୍କିଟ୍ ହାଉସରେ ଏସ୍ଆର୍ସି ତଦନ୍ତ ପାଇଁ ବୈଠକ ଡାକିଥିଲେ। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରୀ ସାହୁ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ, ପ୍ରତ୍ୟକ୍ଷଦର୍ଶୀ, ଉଦ୍ଧାରକାରୀ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ ଓ ସାଧାରଣ ଲୋକଙ୍କଠାରୁ ଘଟଣା ସମ୍ପର୍କରେ ଜମାନବନ୍ଦୀ ନେଇଥିଲେ। ଆଜି ପୂର୍ବାହ୍ନର ପ୍ରଥମ ଅଧିବେଶନରେ ପୁଲିସ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଥିଲା।
ଶ୍ରୀ ସାହୁ ମଧ୍ୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପୁଙ୍ଖାନୁପୁଙ୍ଖ ଘଟଣା ବୁଝିଥିଲେ। ଦ୍ବିତୀୟ ଅଧିବେଶନରେ ପୀଡ଼ିତ ପରିବାର ଓ ଅନ୍ୟମାନଙ୍କଠାରୁ ଜମାନବନ୍ଦୀ ନିଆଯାଇଥିଲା। ଏହି ଶୁଣାଣିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ପିନାକ ମିଶ୍ର, ଅତିରିକ୍ତ ଏସ୍ଆର୍ସି ପଦ୍ମନାଭ ବେହେରା, ଡେପୁଟି କଲେକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର, ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା ଓ ଏସ୍ଆର୍ସି କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଆଜି ନରେନ୍ଦ୍ରକୋଣ ଅକ୍ଷୟପାତ୍ର ଗଳିର ରଞ୍ଜିତ ପ୍ରଧାନ(୨୭)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା କୁମ୍ଭାରପଡ଼ା ଥାନା ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି। ଶ୍ରୀ ପ୍ରଧାନ ଭୁବନେଶ୍ବରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ୧୦ ଦିନ କାଳ ସେ ମୃତ୍ୟୁସହ ସଂଗ୍ରାମ କରି ହାରିଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/blast.jpg)