ବଢ଼ିଲା ବ୍ଲୁ ଫ୍ଲାଗ୍‌ ବିଚ୍ ଅଡ଼ୁଆ : ବେଳାଭୂମିରେ କଂକ୍ରିଟ୍ ନିର୍ମାଣକୁ ବିରୋଧ

ପୁରୀ : ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ୍‌ ବିଚ୍ ମାନ୍ୟତା ପାଇବା ପୂର୍ବରୁ ଅଡ଼ୁଆ ଖିଅରେ ଛନ୍ଦି ହୋଇଛି। ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପାଇବାକୁ ଆବଶ୍ୟକ ୩୩ଟି ସର୍ତାବଳୀ ପୂରଣ କରିବାକୁ ଯାଇ ଏଠାରେ କଂକ୍ରିଟ୍ ନିର୍ମାଣକୁ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ବିରୋଧ କରିବା ଆରମ୍ଭ କରିଛନ୍ତି। ବ୍ଲୁ ଫ୍ଲାଗ ବିଚ୍ ପାଇଁ ସମୁଦ୍ର କୂଳରେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି ତାହା ସିଆରଜେ ଆଇନ୍‌କୁ ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ ଉଠିଛି।

ସମୁଦ୍ରର ପ୍ରାକୃତିକ ‌ଶୋଭାରାଜିକୁ ଅକ୍ଷୁଣ୍ଣ ରଖିବା ପାଇଁ ସିଆରଜେଡ୍ ନିୟମ ଲାଗୁ କରାଯାଇଥିବା ଅଞ୍ଚଳରେ କଂକ୍ରିଟ୍ ନିର୍ମାଣକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। କିନ୍ତୁ ବ୍ଲୁ ଫ୍ଲାଗ ବିଚ୍ ପାଇଁ ବେଳାଭୂମିରେ ଚାଲିଥିବା ବିକାଶ କାର୍ଯ୍ୟ ଏହି ନିୟମକୁ ଉଲ୍ଲଙ୍ଘନ କରୁଛି। ଏଭଳି ଅଭିଯୋଗ ପରେ ଏବେ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏସିଆର ପ୍ରଥମ ବେଳାଭୂମି ଭାବେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ ବିଚର ମାନ୍ୟତା ପାଇବାକୁ ଯାଉଛି। ଏହି ମାନ୍ୟତାର ପ୍ରମୁଖ ଲକ୍ଷ୍ୟ ହେଉଛି ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଅନ୍ତର୍ଜାତୀୟସ୍ତରର ପରିବେଶ ଅନୁକୂଳ ସୁବିଧା ଯୋଗାଇ ଦେବା। ବେଳାଭୂମିର ସଫାସୁତରାକୁ ବି ଏଥିରେ ପ୍ରାଥମିକତା ଦିଆଯାଇଛି। ଡେନମାର୍କର ଏକ ସଂସ୍ଥା ‘ଫି’ (ଫେଡେରେସନ୍ ଅଫ୍ ଏନଭିରୋନ୍‌ମେଣ୍ଟ ଏଜୁକେସନ୍) ଏହି ପ୍ରମାଣପତ୍ର ଦେଉଛି। ଏଥି ପାଇଁ ୩୩ଟି ସର୍ତାବଳୀ ରହିଛି। ଯେଉଁଥିରେ ଭଲ ସମୁଦ୍ର ଜଳ, ପରିଚ୍ଛନ୍ନତା, ଶୌଚାଳୟ, ପୋଷାକ ବଦଳ ଗୃହ, ଫାଷ୍ଟ ଏଡ୍ ସେଣ୍ଟର, ସୋଲାର ଲାଇଟ୍, ପାର୍କିଂ ଭଳି ଅନେକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି। ଏହି ମାନ୍ୟତା ପାଇବା ପାଇଁ କେନ୍ଦ୍ର ସରକାର ସିକମ୍‌ (ଦି ସୋସାଇଟି ଫର୍ ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ମ୍ୟାନେଜମେଣ୍ଟ) ସହଯୋଗରେ ୧୦ କୋଟି ଟଙ୍କା ଖର୍ଚ୍ଚ କରୁଛି।

ଦିଗବାରେଣୀଠାରୁ ପାନ୍ଥ ନିବାସ ପର୍ଯ୍ୟନ୍ତ ଥିବା ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ପାଇଁ ଚିହ୍ନଟ ପରେ ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଶିଶୁଙ୍କ ଖେଳକୁଦ ଉପକରଣ, ବ୍ୟାୟାମ ଯନ୍ତ୍ରାଂଶ ସ୍ଥାପନ ସହ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଆବର୍ଜନାର ସୁପରିଚାଳନା ପାଇଁ ଏକ ଅତ୍ୟାଧୁନିକ କମ୍ପୋଷ୍ଟ ପ୍ଲାଣ୍ଟ, ୱାଚ୍ ଟାୱାର ଆଦି ବ୍ୟବସ୍ଥା କରାଯିବ। କିନ୍ତୁ ଶୌଚାଳୟ, ପୋଷାକ ବଦଳ ଗୃହ ପାଇଁ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି ତାହା ସିଆରଜେଡ୍‌କୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଉଠିଛି। ବେଳାଭୂମି କୂଳରେ ବାଲି ଖୋଳି ଏଠାରେ କଂକ୍ରିଟ୍ ନିର୍ମାଣ ଚାଲିଛି। ପୋଷାକ ବଦଳ ଗୃହ ପାଇଁ ପିଲର୍‌ ଉଠାସରିଥିବା ବେଳେ କଂକ୍ରିଟର ବେସ୍‌ ଲାଇନ୍ ପକାଯାଇଛି। ଗୋଲଡେନ୍ ବିଚ୍‌ର ମାନ୍ୟତା ପାଇଥିବା ବେଳାଭୂମିରେ କଂକ୍ରିଟ୍ ନିର୍ମାଣକୁ ବୁଦ୍ଧିଜୀବୀମାନେ ବିରୋଧ କରିଛନ୍ତି। ବ୍ଲୁ ଫ୍ଲାଗ୍ ବିଚ୍ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ କଂକ୍ରିଟ୍ ନିର୍ମାଣ ବଦଳରେ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ନଚେତ୍ ସିଆରଜେଡ୍-୧ ଓ ୨ ଭିତରୁ ବାହାରି କଂକ୍ରିଟ୍ ନିର୍ମାଣ କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ବେଳାଭୂମି କଡ଼ରେ ଯାଇଥିବା ଡ୍ରେନେଜ୍ ଅପରପାର୍ଶ୍ବରେ କଂକ୍ରିଟ୍ ନିର୍ମାଣ କାର୍ଯ୍ୟ କରିବାକୁ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର