ଗୋଆକୁ ଟପିଯିବ ପୁରୀ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’, ଅନ୍ତର୍ଜାତୀୟ ବେଳାଭୂମିର ଅନୁଭବ ନେବେ ପର୍ଯ୍ୟଟକ

ପୁରୀ : ପୁରୀର ସ୍ବର୍ଣ୍ଣିମ ବେଳାଭୂମି ବହୁ ଦଶନ୍ଧି ପରେ ତାର ବାସ୍ତବ ରୂପ ନେଇଛି। ପୁରୀ ବେଳାଭୂମିକୁ ବିଶ୍ବସ୍ତରୀୟ କରାଯାଇଛି। ସୁବିଧା ସୁଯୋଗ, ସା‌ଜ ସଜ୍ଜା ଓ ସବୁଜିମା ବେଳାଭୂମିକୁ ନୂଆ ଚେହେରା ଦେଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଖଞ୍ଜି ଦିଆଯାଇଛି। କେଉଁ ଗୁଣରେ କମ ନୁହେଁ ନୂଆ ହୋଇ ନିର୍ମାଣ ସରିଥିବା ପୁରୀର ଏହି ବ୍ଲୁ ଫ୍ଲାଗ ବିଚ। ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ ଶୀଘ୍ର ଏହି ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ ‌ଲୋକାର୍ପିତ ହେବ ବୋ‌ଲି ଜଣେ ଅଧିକାରୀ କହିଛନ୍ତି।

ଦେଶବିଦେଶର ପର୍ଯ୍ୟଟକଙ୍କୁ ଏହି ବେଳାଭୂମି ଆକୃଷ୍ଟ କରିବ। ବେଳାଭୂମିରେ ବସିଲେ ଦେଶବିଦେଶର ଯେ କୌଣସି ଅନ୍ତର୍ଜାତିୟ ବେଳାଭୂମିର ଅନୁଭବ ହେବ। ପୁରୀ ବେଳାଭୂମି ଏତେ ସୁନ୍ଦର ଦିଶିପାରେ ତାହା ଦେଖିଲା ପରେ ଯାଇ ବିଶ୍ବାସ ହେବ। ସ୍ବଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ସମୁଦ୍ର ସ୍ନାନ ପରେ ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ ଓ ପାର୍କିଂ ସମସ୍ତ ସୁବିଧା ଏଠାରେ ରହିଛି। ଶିଶୁମାନଙ୍କ ପାଇଁ ଖେଳିବା ପାଇଁ ସୁବିଧା ରହିଛି। ପୁରୀ ବେଳାଭୂମିରେ ତାଳ ଓ ନଡିଆ ଗଛ ବି ଶୋଭା ପାଉଛି। ଗୋଆ ବେଳାଭୂମି ଭଳି ପାଲମିରା ପାମ ଟ୍ରି ବଢ଼ିଗଲାଣି।

ଲାଗିଛି ପାଲମିରା ପାମ
ବାଥିଂ ଜୋନ ସହିତ ଖଞ୍ଜାହୋଇଛି ସବୁ ସୁବିଧା

ପୁରୀ ଗାନ୍ଧୀ ପାର୍କରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ଏହି ବ୍ଲୁ ଫ୍ଲାଗ୍‌ ବିଚ ମନଲୋଭ ହୋଇଛି। ଏହାର ସୁବିଧାସୁଯୋଗ ଓ ସବୁଜିମା ଗୋଆ ତଥା ବିଶ୍ବର ଅନ୍ୟ ପ୍ରମୁଖ ବେଳାଭୂମି ସହିତ ସମକ୍ଷକ ହେବ। ଏଠାରେ ଗୋଆ ଢାଞ୍ଚାରେ ବେଳାଭୂମିକୁ ଆକର୍ଷଣୀୟ କରାଯାଉଛି। ପାଲମିରା ପାମ ଗଛ ଲଗାଯାଇଛି। ତାଳପତ୍ର ଓ ବେତରେ ପ୍ରସ୍ତୁତ ସେଡ୍‌ ଓ ଫୁଟପାଥ ରହିଛି। ତଳେ ବସି ପର୍ଯ୍ୟଟକ ମଜା ନେବେ। ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ କରିବା ପାଇଁ ସୀମା ନିର୍ଦ୍ଧାରଣ କରଯାଇଛି। ପରିବାର ନେଇ ବେଳାଭୂମି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ନିରାପଦ ହେବ।

ପର୍ଯ୍ୟଟକମାନେ ଅଧିକ ସମୁଦ୍ର ଭିତରକୁ କିଭଳି ନଯାଇପାରିବେ ତା’ର ମଧ୍ୟ ବ୍ୟବସ୍ଥା ହୋଇଛି। କେନ୍ଦ୍ର ସରକାରଙ୍କ ଅନୁଦାନରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ବେଳାଭୂମିର ଭିତ୍ତିଭୂମି ବିକାଶ କରାଯାଇଛି। ଏହାକୁ ନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ଆଡ଼ୁ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ହେତୁ ହେବା ଦିନରୁ ପୁରୀ ବେଳାଭୂମିରେ ଏମିତି ଚିତ୍ର ବଦଳିନଥିଲା। କମ ସମୟ ମଧ୍ୟରେ ଏହି ବେଳାଭୂମି ନିର୍ମାଣ କରାଯାଇଛି। ଏହା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର